ଏହି ଉତ୍ସାହ ଚମତ୍କାର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ସଂସଦରେ ରାଷ୍ଟପ୍ରତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ବିତର୍କରେ ଅଂଶଗ୍ରହଣ କରିଥିବା କାରଣରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ, ନୂତନ ଭାରତର ପ୍ରତିଫଳନ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିବା ସେ ଉଲ୍ଲେଖ କରିଥିଲେ ।

୨୦୧୯ ଲୋକସଭା ନିର୍ବାଚନରେ ଏକ ଦୃଢ଼ ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତବାସୀ ସରକାରଙ୍କ ପ୍ରଦର୍ଶନକୁ ଆକଳନ କରିବା ପରେ ପୁଣିଥରେ ଏକ ସ୍ଥିର ସରକାରକୁ ନିର୍ବାଚିତ କରିଛନ୍ତି ।

“୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଦର୍ଶାଇଛି ଯେ ଭାରତବାସୀ ରାଷ୍ଟ୍ରର କଲ୍ୟାଣ ଚାହୁଁଛନ୍ତି । ଏହି ଉତ୍ସାହ ଚମତ୍କାର”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ୧୩୦ କୋଟି ଭାରତବାସୀଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା ଲାଗି କାମ କରିବାର ସୁଯୋଗ ମିଳିବା ସନ୍ତୋଷଜନକ ।

କେନ୍ଦ୍ର ସରକାରଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜନକଲ୍ୟାଣ ଏବଂ ଆଧୁନିକ ଭିତିଭୂମିରେ ବିଶ୍ୱାସ କରନ୍ତି ।

ସେ କହିଥିଲେ ଯେ ସରକାର କେବେହେଲେ ବିକାଶର ମାର୍ଗରୁ ପଥଭ୍ରଷ୍ଟ ହୋଇନାହାନ୍ତି କିମ୍ବା ବିକାଶର ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇନାହାନ୍ତି ।

ଦେଶର ବିକାଶ, ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତିକରଣ ଏବଂ ଆଧୁନିକ ଭିତିଭୂମି ଉପଲବ୍ଧ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶ ଦିଗରେ ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ରହିଛି ବୋଲି ତାଙ୍କ ସରକାର ବିଶ୍ୱାସ କରିଥାଏ ।

ଜରୁରିକାଳୀନ ପରିସ୍ଥିତି ସମୟରେ ଦେଖାଦେଇଥିବା କଳାଦିନଗୁଡ଼ିକ ବିଷୟରେ ମଧ୍ୟ ସେ ସଦନକୁ ସ୍ମରଣ କରାଇଦେଇଥିଲେ ।

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ୧୫୦ ବର୍ଷ ଏବଂ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତିକୁ ଭାରତ ଇତିହାସର ଏକ ଐତିହାସିକ କ୍ଷଣ ବୋଲି ଉଲ୍ଲେଖ କରି ଏହାକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

ସେ କହିଥିଲେ ଯେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ ଲାଗି ଦେଶର ନାଗରିକମାନେ ଆଗେଇ ଆସିବା ଉଚିତ ଏବଂ ଦେଶ ପାଇଁ ବଂଚିବା ଆବଶ୍ୟକ ।
ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ବହୁ ଲୋକାଭିମୁଖୀ ନିଷ୍ପତି ନେଇଛନ୍ତି । ଏସବୁ ନିଷ୍ପତି ବ୍ୟାପକ ଭାବେ କୃଷକ, ବ୍ୟବସାୟୀ, ଯୁବପିଢ଼ି ଏବଂ ସମାଜର ଅନ୍ୟ ବର୍ଗର ଲୋକମାନଙ୍କୁ ଲାଭାନ୍ୱିତ କରିବ ବୋଲି ସେ କହିଥିଲେ । ଦେଶକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ‘ଜଳ ଶକ୍ତି’ ମନ୍ତ୍ରଣାଳୟ ଗଠନ ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଜଳ ସଂରକ୍ଷର ପାଇଁ ଦୃଢ଼ ପଦକ୍ଷେପ ନେବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ସେ କହିଥିଲେ ଯେ ଜଳ ସଂକଟ ଗରିବ ଏବଂ ମହିଳାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ । ପ୍ରତ୍ୟେକ ପରିବାରକୁ ଜଳଯୋଗାଣ ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇଥିଲେ ।

ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ମିଳିତ ଉଦ୍ୟମ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ।

ଆର୍ଥିକ ସମୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ପର୍ଯ୍ୟଟନ ଭିତିଭୂମିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ‘ମେକ ଇନ ଇଣ୍ଡିଆ’ ଏବଂ ଦକ୍ଷତା ବିକାଶର ଗୁରୁତ୍ୱ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ସେ କହିଥିଲେ ଯେ ଦୁର୍ନୀତି ବିରୋଧରେ ସରକାରଙ୍କ ଲଢ଼େଇ ଜାରି ରହିବ । ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଲାଗି ସରକାର ପ୍ରତିବଦ୍ଧ ଏବଂ ନୂତନ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

Categories
NATIONAL

RELATED BY

  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...
  • ମୋଟ ପଶୁସମ୍ପଦ ସଂଖ୍ୟା ୫୩୫.୭୮ ନିୟୁତ

    ବିଂଶତମ ପଶୁସମ୍ପଦ ଗଣନା ଫଳାଫଳ ପ୍ରକାଶିତ,୨୦୧୨ ତୁଳନାରେ ପଶୁସମ୍ପଦ ସଂଖ୍ୟାରେ ୪.୬% ବୃଦ୍ଧି  ମୋଟ ପଶୁସମ୍ପଦ ସଂଖ୍ୟା ୫୩୫.୭୮ ନିୟୁତରେ ପହଁଚିଲା ମତ୍ସ୍ୟ, ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ...