ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଉପରେ ଗୁରୁତ୍ୱ

ଓଡ଼ିଶାରେ କୁଷ୍ଠରୋଗୀ ଓ କୁଷ୍ଠରୋଗମୁକ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ

ଭୁବନେଶ୍ୱର:ରାଜ୍ୟରେ ଥିବା କୁଷ୍ଠରୋଗୀ ତଥା କୁଷ୍ଠରୋଗମୁକ୍ତ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଥଇଥାନ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ ବୈଷୟିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କୁଷ୍ଠ ନିରାକରଣ ସହିତ କୁଷ୍ଠରୋଗୀ ଏବଂ କୁଷ୍ଠରୋଗମୁକ୍ତ ଲୋକମାନଙ୍କ ସାମାଜିକ ତଥା ଅର୍ଥନୈତିକ ସୁରକ୍ଷା ପାଇଁ ବିଭିନ୍ନ ବିଭାଗ ଏବଂ ସ୍ଵେଛାସେବୀ ସଂଗଠନ ନିଷ୍ଠାପର ଭାବେ ସମନ୍ୱିତ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ବିଭାଗର ଦାୟିତ୍ୱ ଗ୍ରହଣ କରିଥିବାରୁ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଶ୍ରୀ ନିତେନ୍‌ ଚନ୍ଦ୍ର ପୌରୋହିତ୍ୟ କରିଥିଲେ । ବୈଠକରେ କୁଷ୍ଠ କଲୋନୀରେ ରହୁଥିବା ଅନ୍ତେବାସୀମାନଙ୍କୁ ଥାଇ ଘରଡିହ ପଟ୍ଟା ଓ ବାସଗୃହ ଯୋଗାଣ,
ଖାଲିପଡ଼ିଥିବା ୪୦୪ଟି କୁଷ୍ଠକର୍ମୀ, ଡ଼୍ରେସର୍‌ ଓ ନନ୍‌ମେଡ଼ିକାଲ ସୁପରଭାଇଜର୍‌ ପଦବୀ ପୂରଣ, କୁଷ୍ଠରୋଗୀମାନଙ୍କ ପ୍ରତି ଥିବା ଘୃଣାଭାବର ଦୂରୀକରଣ ନିମନ୍ତେ ଶିକ୍ଷା ବ୍ୟବସ୍ଥାରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ବିଷୟବସ୍ତୁ ପ୍ରବର୍ତ୍ତନ, ସେମାନଙ୍କର ଜୀବିକାର୍ଜନ ପାଇଁ ବ୍ୟବସ୍ଥା, କୁଷ୍ଠରୋଗୀ ପରିବାରର ପିଲାମାନଙ୍କ ତାଲିକା ପ୍ରସ୍ତୁତି ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ, କୁଷ୍ଠରୋଗଜନିତ ବିକଳାଙ୍ଗତାର ଉପଚାର, ଶଲ୍ୟ ଚିକିତ୍ସା ନିମନ୍ତେ ଅଲଟ୍ରାସାଉଣ୍ଡ ଯନ୍ତ୍ର କ୍ରୟ ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । କ୍ଷମତା ଏକ୍ସପ୍ରେସ୍‌ ମାଧ୍ୟମରେ କୁଷ୍ଠ କଲୋନୀମାନଙ୍କରେ ରହୁଥିବା ରୋଗୀମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । କୁଷ୍ଠରୋଗୀ ପୁନର୍ବାସ କଲୋନୀ ତଥା କୁଷ୍ଠାଶ୍ରମଗୁଡ଼ିକରେ ପରିବେଶ ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ପରିଚାଳନା ବାବଦରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ହିନ୍ଦ୍‌ କୁଷ୍ଠ ନିବାରିଣୀ ସଂଘ, ଲେପ୍ରା ସୋସାଇଟି, ଇଣ୍ଡିଆନ୍‌ ହାନ୍‌ସେନିଆନ୍ସ୍‌ ଆସୋସିଏସନ୍‌ ଓ ୟୁନିସେଫ୍‌ ସମେତ ବିଭିନ୍ନ କୁଷ୍ଠ କଲୋନୀର ପ୍ରତିନିଧିମାନେ ଯୋଗଦେଇ କୁଷ୍ଠରୋଗୀ ଚିହ୍ନଟ, ରୋଗ ପରୀକ୍ଷଣ ତଥା ଚିକିତ୍ସାକ୍ରମେ କୁଷ୍ଠନିରାକରଣ ଏବଂ କୁଷ୍ଠରୋଗମୁକ୍ତ ଲୋକମାନଙ୍କ ସାମାଜିକ-ଅର୍ଥନୈତିକ ସୁରକ୍ଷା ଉପରେ ମତ ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ କୁଷ୍ଠରୋଗୀ ଓ କୁଷ୍ଠରୋଗମୁକ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ୧୦ ଲକ୍ଷ ହେବ ।

Categories
HEALTH

RELATED BY

  • ମହାନିମ୍ବ

    ମହାନିମ୍ବ ଏକ ବିରାଟକାୟ ବୃକ୍ଷ ଅଟେ । ଏହାର ପତ୍ର ନିମ୍ବ ପତ୍ର ପରି କିନ୍ତୁ ନିମ୍ବ ପତ୍ର ଠାରୁ ଅଧିକ ଚଉଡ଼ା ଅଟେ । ଏହି ଗଛ ୨୦-୬୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଗୋଲେଇରେ ୬-୮...
  • ଭୂଇଁ କଦମ୍ବ

    ଭୂଇଁ କଦମ୍ବ ଗଛ ଧାନ କ୍ଷେତ୍ରରେ ଓ ବଣଜଙ୍ଗଲରେ ଦେଖିବାକୁ ମିଳେ । ଏହାର ଉଚ୍ଚତା ୧-୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଛରେ ଶୀତଦିନରେ ଫୁଲ ଓ ପରେ ଫଳ ଆସିଥାଏ । ଫୁଲର ରଙ୍ଗ ବାଇଗେଣି...
  • ବିନା ଅସ୍ତ୍ରୋପଚାରରେ ଓଜନ ହ୍ରାସ ଚିକିତ୍ସା

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ତରଫରୁ ଶନିବାର ଦିନ ଡ. ମୋହିତ ଭଣ୍ଡାରୀଙ୍କ ନେତୃତ୍ୱରେ ବିନା ଅସ୍ତ୍ରୋପଚାର ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ ପ୍ରକ୍ରିୟା କାର୍ଯ୍ୟକ୍ରମ (ଇଏସଜି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଡ଼ଃ ଭଣ୍ଡାରୀ ଯିଏ କି ୧୧୦୦୦ରୁ...
  • ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ

    ଆଜି ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଯୋଗ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ...
WhatsApp chat