ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ଉପରେ ଗୁରୁତ୍ୱ

୧୫୫ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି ।

ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ କମିଟି ବୈଠକରେ ରିଜର୍ଭ ବ୍ୟାଙ୍କ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ନାବାର୍ଡ, ଏସ୍‌ବିଆଇ, ୟୁକୋ ବ୍ୟାଙ୍କ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ ।

ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏହି ବୈଠକକୁ ଉଦ୍‌ଘାଟନ କରି କହିଲେ ଯେ, ପ୍ରଳୟଙ୍କରୀ ଫନୀ ବାତ୍ୟା ସମୟରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାଙ୍କ ସେବାକୁ ସଚଳ
କରିବାରେ ବ୍ୟାଙ୍କ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସେବା ଯୋଗାଇଛନ୍ତି । ରିଜର୍ଭ ବ୍ୟାଙ୍କ, ଏସ୍‌.ଏଲ୍‌.ବି.ସି. ଓଡ଼ିଶା ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟାଙ୍କଗୁଡ଼ିକ ବାତ୍ୟା ଫନୀ ସମୟରେ ପ୍ରତି ସ୍ଥାୟୀ ଶାଖା ଏବଂ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରି ଜନସାଧାରଣ ନଗଦ ଟଙ୍କା ଉଠାଇବାରେ ସହଯୋଗ କରିଛନ୍ତି ।

କୃଷକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ‘କାଳିଆ’ ଯୋଜନାରେ ସେମାନଙ୍କ ପାସ୍‌ ବୁକ୍‌କୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବାରେ ମଧ୍ୟ ବ୍ୟାଙ୍କ ଅଫିସରମାନେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ନିର୍ବାହ କରିଛନ୍ତି ।

ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଇଣ୍ଟରନେଟ୍‌ ସୁବିଧା ରହୁ ନଥିବାରୁ ବ୍ୟାଙ୍କ କାରବାର ବାଧାପ୍ରାପ୍ତ ହେଉଛି । ଏଥି ନିମନ୍ତେ ଅର୍ଥ ବିଭାଗ ପ୍ରଥମ ପର୍ଯ୍ୟାୟରେ ୫୦ଟି ସୌର v-sat ସ୍ଥାପନା କରିବା ପାଇଁ ୨ କୋଟି ଟଙ୍କା ଓଡ଼ିଶା ଜୀବିକା ମିଶନକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅର୍ଥନୈତିକ ସାକ୍ଷରତା ସପ୍ତାହ ପାଳନ କରାଯାଇ କୃଷକ, କ୍ଷୁଦ୍ର ବ୍ୟବସାୟୀ , ସ୍କୁଲପିଲା, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଓଡ଼ିଆ ଭାଷାର ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ କ୍ଷୁଦ୍ର ପୁସ୍ତିକା ବଣ୍ଟନ କରାଯାଇଛି ।

୨୦୧୯-୨୦ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନା ୭୧,୪୨୦ କୋଟି ଟଙ୍କାରେ ଧାର୍ଯ୍ୟ ହୋଇଥିବା ବେଳେ ୩୧.୦୩.୨୦୧୯ ସୁଦ୍ଧା ୫୯୯୩୬.୩୪ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହୋଇ ପାରିଛି, ଯାହାକି ଶତକଡ଼ା ୮୩.୯୨ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ୨୦୧୮- ୧୯ ବର୍ଷ ପାଇଁ ୧୭୯୧୯ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୩୧.୦୩.୨୦୧୯ ସୁଦ୍ଧା ୨୫୯୧୧ କୋଟି ଟଙ୍କାର ଲକ୍ଷ୍ୟ ହାସଲ ହୋଇଛି ।

ଯାହାକି ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୧୪୪.୬୦ । କୃଷି ଓ ଶିକ୍ଷା କ୍ଷେତ୍ରରେ ବାର୍ଷିକ ଋଣ ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରାଧାନ୍ୟ ଦେବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଅଗ୍ରାଧିକାର କ୍ଷେତ୍ରରେ ୭୫୬୧୧.୯୬ କୋଟି ଟଙ୍କା ବାର୍ଷିକ ଋଣ ଯୋଜନା ଧାର୍ଯ୍ୟ ହୋଇଛି । ରାଜ୍ୟର ପ୍ରତି ଜିଲ୍ଲାଗୁଡ଼ିକରେ ରିଜର୍ଭ ବ୍ୟାଙ୍କ୍‌, ଅର୍ଥବିଭାଗ ଏବଂ ଏସ୍‌.ଏଲ୍‌.ବି.ସି. ତରଫରୁ ଋଣମେଳା ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଗତ ଦୁଇ ବର୍ଷ ହେଲା ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ବାର୍ଷିକ ଋଣ ଯୋଜନା ଏବଂ ଋଣ ଓ ଜମା ଅନୁପାତକୁ ସତର୍କତାର ସହ ତଦାରଖ କରାଯାଉଛି । ଯାହାଦ୍ୱାରା ବାର୍ଷିକ ଋଣ ଯୋଜନା ଏବଂ ଋଣ ଓ ଜମା ଅନୁପାତ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା ତାଙ୍କର ବକ୍ତବ୍ୟରେ ଡିଜିଟାଲ ଟଙ୍କା ପୈଠ ସମ୍ପର୍କରେ ଆଲୋଚନା କରି କହିଥିଲେ ସମ୍ପ୍ରତି ଜାତୀୟ ଅର୍ଥନୀତିରେ ଡିଜିଟାଲ ଟଙ୍କା ପୈଠ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।

ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ, ଏସ୍‌.ଏଲ୍‌.ବି.ସି ଓଡ଼ିଶା ଏବଂ ପ୍ରମୁଖ ବ୍ୟାଙ୍କ୍‌ଗୁଡ଼ିକୁ ଡିଜିଟାଲ ଟଙ୍କା ପୈଠ ସମ୍ପର୍କରେ କର୍ମଶାଳା ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।

କୃଷି ଏବଂ ଶିକ୍ଷା କ୍ଷେତ୍ରରେ ବାର୍ଷିକ ଋଣ ଯୋଜନା ପ୍ରତି ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଏମ୍‌.ଏସ୍‌.ଏମ୍‌.ଇ. ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, କୃଷି ଏବଂ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ, କମିଶନର ତଥା ନିର୍ଦ୍ଦେଶିକା (ମିଶନ ଶକ୍ତି) ଶ୍ରୀମତୀ ସୁଜାତା କାର୍ତ୍ତିକେୟନ, ୟୁକୋ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏ. କେ. ଗୋଏଲ, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ମଲ୍‌, ନାର୍ବାର୍ଡର ଚିଫ୍‌ ଜେନେରାଲ ମ୍ୟାନେଜର ଶ୍ରୀ ଚନ୍ଦ୍ରଶେଖର, ଏସ୍‌.ବି.ଆଇ. ଚିଫ୍‌ ଜେନେରାଲ ମ୍ୟାନେଜର ଶ୍ରୀମତୀ ପ୍ରବୀଣା କାଲା ଏବଂ ୟୁକୋ ବ୍ୟାଙ୍କ୍‌ର ଜେନେରାଲ ମ୍ୟାନେଜର ତଥା ଏସ୍‌.ଏଲ୍‌.ବି.ସିର ଆବାହକ ଉଜ୍ଜଲ୍‌ କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବ୍ୟାଙ୍କ୍‌ର ପ୍ରତିନିଧିମାନେ ଉପସ୍ଥିତ
ଥିଲେ ।

Categories
BUSINESS

RELATED BY

  • Chief Minister Neveen Patnaik Releases Vision Report

    Chief Minister Shri Neveen Patnaik today released a Vision Report- “Economic Possibilities for Odisha Towards a One Trillion Dollar Economy”, jointly prepared by JSW Group and PWC India at...
  • ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରମେଶ...
  • ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ...
  • ବିଗତ ୫ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଛି ଭାରତୀୟ ଅର୍ଥ ବ୍ୟବସ୍ଥା

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଆର୍ଥିକ ବିକାଶ ଲାଗି ଉନ୍ନତ ସମ୍ଭାବନାର ପୂର୍ବାନୁମାନ କରାଯାଇଛି । ସମୀକ୍ଷାରେ କୁହାଯାଇଛି ଯେ ୨୦୨୪-୨୫ ସୁଦ୍ଧା...
WhatsApp chat