ଓଡ଼ିଶାକୁ ‘ଏଗ୍ରିକଲଚରାଲ୍‌ ଲିଡରସିପ୍‌ ଆୱାର୍ଡ’

ମତ୍ସ୍ୟ ସଂପଦର ବିକାଶ କ୍ଷେତ୍ରରେ ଓଡ଼ିଶା ସର୍ବୋତ୍ତମ ରାଜ୍ୟ

ଭୁବନେଶ୍ୱର: ମତ୍ସ୍ୟ ସଂପଦର ବିକାଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଓଡ଼ିଶା ୨୦୧୯ ବର୍ଷ ନିମନ୍ତେ ସର୍ବୋତ୍ତମ ରାଜ୍ୟ ଭାବରେ ପୁରସ୍କୃତ ହୋଇଛି ।

ଏଗ୍ରିକଲଚର ଟୁଡ଼େ ଗ୍ରୁପ୍‌ ପକ୍ଷରୁ ଏଗ୍ରିକଲଚର ଲିଡରସିପ୍‌ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବାରୁ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

କେରଳର ରାଜ୍ୟପାଳ ପି. ସଦାଶିବମ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶାକୁ ଏହି ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି ।

ଏହି ପୁରସ୍କାର ରାଜ୍ୟର ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ
ପ୍ରକାଶ କରିବା ସହିତ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।

ଏହି ସଫଳତା ପାଇଁ ମନ୍ତ୍ରୀ ଡ. ସାହୁ ଓଡ଼ିଶାର ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି । ଆଜି ନୂଆଦିଲ୍ଲୀସ୍ଥିତ ତାଜ୍‌ ପ୍ୟାଲେସ୍‌ ହୋଟେଲ୍‌ଠାରେ ଆୟୋଜିତ ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ପୁରସ୍କାର ପ୍ରଦାନ କରିଥିଲେ । ଓଡ଼ିଶା ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ଶ୍ରୀ ସଂଜୀବ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ ।

ରାଜ୍ୟର ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି କରିବା ସହ ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ଜୀବିକା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୫ ମସିହାରେ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମତ୍ସ୍ୟ ନୀତି ପ୍ରଣୟନ କରିଛନ୍ତି ।

ରାଜ୍ୟରେ ୪୮୦ କିମି ସମୁଦ୍ର ଉପକୂଳ ସମେତ ୬ ଲକ୍ଷ ୬୯ ହଜାର ହେକ୍ଟରରେ ମଧୁର ଜଳ ଅଞ୍ଚଳ, ୪ ଲକ୍ଷ ୧୮ ହଜାର ହେକଫର ଖାରିପାଣି ଅଞ୍ଚଳ ରହିଥିବାରୁ ମତ୍ସ୍ୟ ଉତ୍ପାଦନକୁ ବୃଦ୍ଧି ସହିତ ରପ୍ତାନୀରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଇବା ନିମନ୍ତେ ମତ୍ସ୍ୟ ବିଭାଗର ବିଭିନ୍ନ ଯୋଜନାର ରୂପାୟନକୁ ଗତିଶୀଳ କରାଯାଇଛି ।

ମତ୍ସ୍ୟ ସଂପଦ ବିକାଶରେ ବୈଷୟିକ ଜ୍ଞାନକୌଶଳ ବିନିଯୋଗ ଦ୍ୱାରା ରାଜ୍ୟର ମତ୍ସ୍ୟଚାଷୀ ତଥା ମତ୍ସ୍ୟଜୀବୀଙ୍କର ଆର୍ଥିକ ପ୍ରଗତି, ମତ୍ସ୍ୟ ଚାଷରେ ଆତ୍ମନିଯୁକ୍ତି ସହିତ ବୈଦେଶିକ ମୁଦ୍ରା ଅର୍ଜନ ୨୦ ହଜାର କୋଟି ଟଙ୍କାକୁ ବୃଦ୍ଧି ନିମେନ୍ତ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ ମଧୁରଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତବର୍ଷରେ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନ ଅଧିକାର କରିଛି ।

ରାଜ୍ୟର ମତ୍ସ୍ୟ ଉତ୍ପାଦନ ବିଗତ ୩ ବର୍ଷ ମଧ୍ୟରେ ଶତକଡ଼ା ୪୫.୬ ପ୍ରତିଶତ ଅଭିବୃଦ୍ଧି ଘଟିବା ସ୍ଥଳେ ହେକ୍ଟର ପ୍ରତି ମାଛ ଉତ୍ପାଦନ ବୃଦ୍ଧି ପାଇଁ ୪.୧୦ ମେଟ୍ରିକ ଟନ୍‌ରେ ପହଞ୍ଚି
ପାରିଛି ।

ରାଜ୍ୟ ସରକାରଙ୍କ ଜଳଭଣ୍ଡାରରେ ମାଛଚାଷ ନୀତି ପ୍ରଣୟନ ଯୋଗୁଁ ମାଛ ଉତ୍ପାଦନ ବିଗତ ୧୦ ବର୍ଷ ମଧ୍ୟରେ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇ ହେକ୍ଟର ପ୍ରତି ୧୫ କେଜିରୁ ୧୮୧ କେଜିରେ ପହଞ୍ଚି ପାରିଛି ।

ରାଜ୍ୟରେ ସାମୁଦ୍ରିକ ମାଛ ଓ ଚିଙ୍ଗୁଡ଼ି ରପ୍ତାନୀ ୨୦୧୫-୧୬ ମସିହାରେ ୧୯୬୩ କୋଟି ଟଙ୍କା ଥିବାବେଳେ ଏହା ୨୦୧୭-୧୮ ବର୍ଷରେ ବୃଦ୍ଧି ପାଇ ୩୧୦୦ କୋଟିରେ
ପହଞ୍ଚିଛି ।

ରାଜ୍ୟ ସରକାର ୨୦୧୬-୧୭ ମସିହାଠାରୁ ନିଜସ୍ୱ ଯୋଜନା ମତ୍ସ୍ୟପୋଖରୀ ଯୋଜନା ଆରମ୍ଭ କରିଛନ୍ତି ।

ଏହି ଯୋଜନାରେ ନୂତନ ମତ୍ସ୍ୟ ପୋଖରୀ ଖୋଳିବା ପାଇଁ ପ୍ରକଳ୍ପ ମୂଲ୍ୟ ୮ ଲକ୍ଷ ୫୦ ହଜାର ଟଙ୍କା ଉପରେ ଶତକଡ଼ା ୫୦ ଭାଗ ରିହାତି ସର୍ବାଧିକ ୪ ଲକ୍ଷ ୨୫ ହଜାର ଟଙ୍କା ଯୋଗାଇ ଦିଆଯାଉଛି ।

୨୦୧୬-୧୭ ମସିହାଠାରୁ ଏହି ଯୋଜନାରେ ପ୍ରତିବର୍ଷ ୧୦୦୦ ହେକ୍ଟରରେ ଅଧିକ ନୂତନ ପୋଖରୀ ଖୋଳାଯିବା ସହିତ ମାଛଚାଷରେ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି ।

ରାଜ୍ୟରେ ଥିବା ପଞ୍ଚାୟତ ପୋଖରୀଗୁଡ଼ିକ ଦୀର୍ଘମିଆଦୀ ସୂତ୍ରରେ ମହିଳା ସହାୟକ ଗୋଷ୍ଠୀମାନଙ୍କୁ ଲିଜ ପ୍ରଦାନ କରାଯାଇଛି ।

ମାଛଚାଷ ପାଇଁ ଆବଶ୍ୟକ ଜାଅଁଳ, ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ବାବଦରେ ପ୍ରକଳ୍ପ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ଉପରେ ଶତକଡ଼ା ୬୦ ଭାଗ ଓ ସର୍ବାଧିକ ୯୦ ହଜାର ଟଙ୍କାର ରିହାତି ପ୍ରଦାନ କରାଯାଉଛି ।

ଏହି ଯୋଜନାରେ ୨୦୧୮-୧୯ ମସିହାରେ ୧୭୮୧ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରାୟ ୧୫୦୦ ହେକ୍ଟରରେ ମାଛଚାଷ କରି ସେମାନଙ୍କ ଆର୍ଥିକ ଅବସ୍ଥାରେ
ଉନ୍ନତି କରିବା ସହିତ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୪ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩ ହଜାର ହେକ୍ଟର ପଞ୍ଚାୟତ ପୋଖରୀରେ ମାଛଚାଷ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଖାରିପାଣିରେ ମାଛ ଓ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଉପକୂଳ ଅଞ୍ଚଳରେ ଅବ୍ୟବହୃତ ହୋଇ ପଡ଼ିଥିବା ସରକାରୀ ଜମିକୁ ଦୀର୍ଘମିଆଦୀ ସୂତ୍ରରେ ୧୫ ବର୍ଷିଆ ଲିଜ ପ୍ରଦାନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

 ବର୍ତ୍ତମାନ ରାଜ୍ୟରେ ପାଖାପାଖି ୨୦ ହଜାର ହେକ୍ଟର ଖାରିପାଣି ଜମିରେ ଚିଙ୍ଗୁଡ଼ି ଚାଷ କରାଯାଇ ବାର୍ଷିକ ୯୪ ହଜାର ମେଟ୍ରିକ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦିତ ହେଉଅଛି ଯାହା କି ବିଗତ ୫ ବର୍ଷରେ ଶତକଡ଼ା ୧୩୩ ଭାଗ ବୃଦ୍ଧି ପାଇଛି ।

ରାଜ୍ୟରେ ସାମୁଦ୍ରିକ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରାୟ ୨୧ ହଜାର ଯନ୍ତ୍ରଚାଳିତ ଓ ଦେଶୀ ଡଙ୍ଗା ପଂଜୀକୃତ କରାଯାଇଛି । ଦେଶୀ ଡଙ୍ଗାଗୁଡ଼ିକୁ ପର୍ଯ୍ୟାୟକ୍ରମେ ଯନ୍ତ୍ରଚାଳିତ ଡଙ୍ଗାରେ ପରିଣତ କରାଯିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ରିହାତି ମାଧ୍ୟମରେ ୬ ହଜାରରୁ ଉର୍ଦ୍ଧ୍ଵ ଫାଇବର ଡଙ୍ଗା ମତ୍ସ୍ୟଜୀବୀମାନଙ୍କୁ ଯୋଗାଇ ଦିଆଯାଇଛି ।

ଧାମରା, ପାରାଦୀପ ମାଛଧରା ବନ୍ଦର ଉନ୍ନତିକରଣ କରାଯାଇଛି । ଚାନ୍ଦିପୁରଠାରେ ୫୦ କୋଟି ଟଙ୍କା ବ୍ୟୟରେ ଏକ ମାଛଧରା ବନ୍ଦରର କାର୍ଯ୍ୟ ଆରମ୍ଭ କରାଯାଇଛି । ଗୋପାଳପୁର, ମାର୍କଣ୍ଡି, ବାଲୁଗାଁଠାରେ ନୂତନ ମାଛ ଅବତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଗଭୀର ସମୁଦ୍ରରେ ମାଛ ଧରିବା ନିମନ୍ତେ ୨୦୧୯-୨୦ ଆର୍ଥିକ ବର୍ଷରୁ ‘ଟୁନା ଲଙ୍ଗ ଲାଇନ୍‌’ ନାମକ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।

ଅଲିଭ୍‌ ରିଡଲେ କଇଁଛ ସୁରକ୍ଷା ନିମନ୍ତେ କ୍ଷତିଗ୍ରସ୍ତ ୫ ହଜାର ମତ୍ସ୍ୟଜୀବୀ ପରିବାରକୁ ୨୦୧୮-୧୯ ଆର୍ଥିକ ବର୍ଷରେ ପରିବାର ପିଛା ୭୫୦୦ ଟଙ୍କାର ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି ।

ସଂଚୟ ଓ ସହାୟତା ଯୋଜନା ମାଧ୍ୟମରେ ବିଗତ ବର୍ଷରେ ୫୩୫୨ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଇଛି ।

୨୦୦ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିକୁ କାର୍ଯ୍ୟକ୍ଷମ କରିବା ପାଇଁ ସମିତି ପ୍ରତି ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି ।

ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ୧୧ ଲକ୍ଷ ୫୦ ହଜାର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କୁ ବୀମାଭୁକ୍ତ କରାଯାଇଛି ।

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଶ୍ରୀ ପି. ସଦାଶିବମ୍‌, ସାଂସଦ ଶ୍ରୀ ସୁରେଶ ପ୍ରଭୁ ଓ ଏଗ୍ରିଗଲଚର ଟୁଡେ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଏମ୍‌. ଜେ. ଖାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Categories
NATIONAL
Newsroll

RELATED BY

  • ଓଡ଼ିଶାରେ ୬ ବର୍ଷ ମଧ୍ୟରେ ୯ହଜାର ୯ ଶହ ୩୭ ଦଳିତ ଅତ୍ୟାଚାର ହୋଇଛନ୍ତି : କେନ୍ଦ୍ରମନ୍ତ୍ରୀ

    ଭୁବନେଶ୍ୱର: ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ...
  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...