କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ପରିଦର୍ଶନ

ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୧ତମ କମନ୍‌ୱେଲ୍‌ଥ ଟେବୁଲ ଟେନିସ ଚମ୍ପିଅନ୍‌ସିପ୍‌ ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଷ୍ଟାଡିୟମ୍‌ର ଭିତର-ବାହାର, ଦର୍ଶକ ଗ୍ୟାଲେରୀ, ଖେଳାଳୀମାନଙ୍କ ବସିବା ଏବଂ ଖେଳିବା ସ୍ଥାନ, ପ୍ରେସ ବକ୍ସ ଆଦି ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଚମ୍ପିଅନ୍‌ସିପ୍‌ ଲାଗି କ’ଣ ସବୁ ପ୍ରସ୍ତୁତି କରାଯାଇଛି ସେ ସଂପର୍କରେ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ।

ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରି ଏହି ଅନ୍ତର୍ଜାତୀୟ ଖେଳକୁ ସଫଳ ଆୟୋଜନ ନିମନ୍ତେ ସମସ୍ତ କର୍ତ୍ତବ୍ୟରତ ଅଧିକାରୀ ଓ କର୍ମଚାରୀଙ୍କୁ
ସଜାଗ ରହିବାକୁ ମନ୍ତ୍ରୀ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ ।

ଏହି ବିଶ୍ୱସ୍ତରୀୟ ଚମ୍ପିଅନ୍‌ସିପ୍‌କୁ ସଫଳ କରବା ପାଇଁ କଟକ ସମେତ ସମଗ୍ର ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି । ଆସନ୍ତା ୧୪ ତାରିଖରେ କମନ୍‌ୱେଲ୍‌ଥ ଟେବୁଲ ଟେନିସ ଚମ୍ପିଅନ୍‌ସିପ୍‌ ଲାଗି କଟକଠାରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

ଏହି ଗସ୍ତ ସମୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସମେତ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।