ମହାନିମ୍ବ

ଉପକାରୀତା

ମହାନିମ୍ବ ଏକ ବିରାଟକାୟ ବୃକ୍ଷ ଅଟେ । ଏହାର ପତ୍ର ନିମ୍ବ ପତ୍ର ପରି କିନ୍ତୁ ନିମ୍ବ ପତ୍ର ଠାରୁ ଅଧିକ ଚଉଡ଼ା ଅଟେ । ଏହି ଗଛ ୨୦-୬୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଗୋଲେଇରେ ୬-୮ ଫୁଟ ହୋଇଥାଏ । ମହାନିମ୍ବର ଫଳ ଗୋଲ ଗୋଲ ସବୁଜ ରଂଗର ପେନ୍ଥା ପେନ୍ଥା ହୁଏ ଓ ପାଚିଲେ ହଳଦିଆ ରଙ୍ଗ ଦେଖାଯାଏ । ମାର୍ଚ୍ଚ ମାସରେ ଏହି ଗଛରେ ଫୁଲ ଆସେ ଓ ପରେ ଫଳ ହୁଏ । ମହାନିମ୍ବ ଗଛ ବଣ ଜଙ୍ଗଲରେ ବିଶେଷ ଭାବେ ଦେଖାଯାଏ । ଆଜିକାଲି ରାସ୍ତାକଡ଼ରେ ଛାୟା ପ୍ରଦାନ ପାଇଁ ମଧ୍ୟ ଏହି ଗଛ ଲଗାଯାଇଥିବା ଦେଖାଯାଏ । ଏହି ଗଛର ଅନେକ ଔଷଧ ଗୁଣ ମଧ୍ୟ ଅଛି । ବ୍ୟବହାର କଲେ ଅନେକ ରୋଗରୁ ମୁକ୍ତି ମିଳିପାରିବ ।

ପାଟି ଭିତର ଛାଲି: ମହାନିମ୍ବ ଗଛର ଛେଲି ୨୦ ଗ୍ରାମକୁ ପୋଡ଼ି ପାଉଁଶ କରି ସେଥିରେ ୧୦ ଗ୍ରାମ ଧଳା ଖଇର ଚୂର୍ଣ୍ଣ ମିଶାଇ ପାଟି ଭିତରେ ହୋଇଥିବା ଛାଲିରେ ଲଗାଇଲେ ଭଲ ହୋଇଯାଏ ।

ଗଣ୍ଡମାଳା: ଛାଇରେ ଶୁଖାଯାଇଥିବା ମହାନିମ୍ବ ଛେଲି ଓ ପତ୍ରରୁ ୫-୫ ଗ୍ରାମ ନେଇ କୁଟି ୫୦୦ ଗ୍ରାମ ପାଣିରେ ସିଝାଇ ପାଣି ଚାରଭାଗରୁ ଭାଗେ ରହିଲେ ଥଣ୍ଡା କରି ଛାଣି ପିଇଲେ ଓ ସେହି ପାଣିକୁ ଗଳାରେ ଲେପଦେଲେ ଗଣ୍ଡମାଳା ଠିକ ହୋଇଥାଏ ।

ଆଖିରୋଗ: ମହାନିମ୍ବ କଞ୍ଚା ଫଳକୁ ବାଟି ଗୋଲ ଗୋଲ ପିଠାଭଳି କରି ଆଖି ଉପରେ ରଖି କିଛି ସମୟ ପାଇଁ ପଟିବାନ୍ଧିଲେ ଆଖି ଲାଲ ହେବା ଓ ଖଞ୍ଚା ହେବା ବନ୍ଦ ହୋଇଯାଏ । ମହାନିମ୍ବ ମଞ୍ଜି, ଅଁଳା, ଶୁଣ୍ଠି, ଭୃଙ୍ଗରାଜ ସମାନ ମାତ୍ରାରେ ନେଇ ଚୂର୍ଣ୍ଣ କରି ଦିନକୁ ୨ ଥର ୧-୧ ଚାମଚ ମାତ୍ରାରେ ଖାଇଲେ ଦୃଷ୍ଟିଶକ୍ତି ବଢ଼ିଥାଏ ।

ରକ୍ତାର୍ଶ କିମ୍ବା ଅର୍ଶ: ମହାନିମ୍ବ ଗଛର ଶୁଖିଲା ଫଳକୁ କୁଟି ଚୂର୍ଣ୍ଣକରି ୨ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ପାଣି ସହିତ ଖାଇଲେ ଅର୍ଶ କିମ୍ବା ରକ୍ତାର୍ଶରେ ଲାଭ ହୋଇଥାଏ ।ମହାନିମ୍ବ ଗଛର ପାଚିଲା ଫଳ ମଞ୍ଜି ୮-୧୦ ଟିକୁ ପାଣିରେ ବାଟି ଛୋଟ ଛୋଟ ଗୁଳି କରି ଛାଇରେ ଶୁଖାଇ ରଖିବ । ସକାଳ ଓ ସନ୍ଧ୍ୟାରେ ବାସି ପାଣି ସହିତ ୧-୧ ଗୁଲି ଖାଇବ ଓ ୧-୨ଟି ଗୁଲିକୁ ଗୁଡ଼ ପାଣିରେ ଘୋରି ଅର୍ଶାଙ୍କୁରରେ ଲେପଦେଲେ କିଛିଦିନରେ ଏହା ଶୁଖି ଝଡ଼ିପଡେ ।

ପେଟରୋଗ: ମହାନିମ୍ବ ପତ୍ର ୩-୫ ଗ୍ରାମକୁ ପାଣିରେ ସିଝାଇ ସେହି କ୍ୱାଥ୍ ୨ ଗ୍ରାମ ଶୁଣ୍ଠିଚୂର୍ଣ୍ଣ ମିଶାଇ ପିଇଲେ ପେଟରୋଗ ଠିକ୍ ହୁଏ ।

କୃମିରୋଗ: ମହାନିମ୍ବ ଛେଲି ୫୦ ଗ୍ରାମକୁ ୨୦୦ ଗ୍ରାମ ପାଣିରେ ସିଝାଇ ପାଣି ଚାରି ଭାଗରୁ ଭାବେ ରହିଲେ ଥଣ୍ଡା କରି ଛାଣି ଏକ ଚାମଚ ମାତ୍ରାରେ କିଛିଦିନ ପିଇଲେ ପେଟର କୃମି ନଷ୍ଟ ହୋଇଥାନ୍ତି ।

ଗର୍ଭାଶୟ ବିକାର: ମହାନିମ୍ବ ପତ୍ର ରସ ୫୦ ଗ୍ରାମ ମାତ୍ରାରେ ପିଇଲେ ଗର୍ଭାଶୟ ଶୁଦ୍ଧି ହୋଇଥାଏ ଓ ମାସିକ ଧର୍ମରେ ଅନିୟମିତତା ଦୂର ହୋଇଥାଏ ।

ପ୍ରମେହ ରୋଗ: ମହାନିମ୍ବ ମଞ୍ଜି ୧-୨ଟିକୁ ଚାଉଳ ଧୂଆ ପାଣିରେ ବାଟି ସେଥିରେ ୧୦ ଗ୍ରାମ ଘିଅ ମିଶାଇ ପିଇଲେ ପୁରୁଣା ପ୍ରମେହ ରୋଗ ଠିକ୍ ହୋଇଥାଏ ।

ଚର୍ମରୋଗ: ମହାନିମ୍ବ ଛେଲି ୧୦ ଗ୍ରାମକୁ ୨୦୦ ଗ୍ରାମ ପାଣିରେ ସିଝାଇ ପାଣି ୫୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ସମସ୍ତ ପ୍ରକାର ଚର୍ମରୋଗରେ ଲାଭ ମିଳିଥାଏ ।

ଗଳାଗଣ୍ଠି: ମହାନିମ୍ବ ଛେଲି, ପତ୍ର, ମଞ୍ଜି ସମାନ ମାତ୍ରାରେ ନେଇ ଶୁଖାଇ ଗୁଣ୍ଡକରି ସକାଳ ଓ ସନ୍ଧ୍ୟାରେ ୪-୫ ଗ୍ରାମ ମାତ୍ରାରେ ଖାଇଲେ ଗଳାଗଣ୍ଠି ଦୂର ହୋଇଥାଏ ।

ଗଣ୍ଠିବାତ ଓ ସାଇଟିକା (ଗୁଧ୍ରସୀ): ମହାନିମ୍ବ ଚେରର ଛେଲି ୧୦ ଗ୍ରାମକୁ ବାଟି ପାଣିରେ ମିଶାଇ ଏକମାସ ପିଇଲେ ଗୁଧ୍ରସୀ ଭଲ ହୋଇଥାଏ । ଛେଲିକୁ ସିଝାଇ ସେହି ପାଣିକୁ ପିଇଲେ ଗଣ୍ଠିବାତ ଠିକ୍ ହୁଏ ।

ଗଣ୍ଠି ରୋଗ: ମହାନିମ୍ବ ମଞ୍ଜିକୁ ସୋରିଷ ସହିତ ବାଟି ଲେପଦେଲେ ଗଣ୍ଠି ଭଲ ହୋଇଥାଏ ।

ଫୁଲା: ମହାନିମ୍ବ ପ୍ରତ ୮-୧୦ଟିକୁ ନିଆଁରେ ସେକି ଫୁଲା ଜାଗାରେ ବାନ୍ଧିଲେ ଭଲ ହୁଏ ।

କୁଷ୍ଠରୋଗ: ମହାନିମ୍ବ ପାଚିଲା ଫଳ ୩ ଗ୍ରାମକୁ ୪୦ ଗ୍ରାମ ପାଣିରେ ଭିଜାଇ ସକାଳେ ବାଟି ଖାଇଲେ କୁଷ୍ଠ ରୋଗରେ ଲାଭ ମିଳିଥାଏ ।

ଜ୍ୱର ରୋଗ: ମହାନିମ୍ବ ଛେଲି ୫ ଗ୍ରାମ ଓ ୫-୬ଟି ତୁଳସୀ ପତ୍ରକୁ ପାଣିରେ ସିଝାଇ ସେହି ପାଣି ପିଇଲେ ଜ୍ୱର ଭଲ ହୋଇଥାଏ ।

ବୃକକ୍ ରୋଗ (କିଡ୍‍ନି): ମହାନିମ୍ବ ଛେଲି ୫-୧୦ ଗ୍ରାମକୁ ୨୦୦ ଗ୍ରାମ ପାଣିରେ ସିଝାଇ ପାଣି ୫୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ବୃକକ୍ ରୋଗ ଠିକ୍ ହୋଇଥାଏ ।

ଯକୃତ ରୋଗ: ମହାନିମ୍ବ ମଞ୍ଜି ଗୁଣ୍ଡ ୧ ଚାମଚ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ଖାଇଲେ ଯକୃତ ରୋଗରେ ଲାଭ ମିଳିଥାଏ ।

ଧଳାଛଉ: ମହାନିମ୍ବ ପତ୍ର ରସ ୧-୧ ଚାମଚ ଖାଇଲେ ଓ ପତ୍ର ରସ ଛଉ ଉପରେ ଲଗାଇଲେ ଲାଭ ମିଳିଥାଏ ।

ଅଲସର: ମହାନିମ୍ବ ମଞ୍ଜି ଚୂର୍ଣ୍ଣ ୧-୨ ଗ୍ରାମ ମାତ୍ରାରେ ଖାଇଲେ ଅଲସର ରୋଗ ଠିକ୍ ହୋଇଥାଏ ।

ବିଶେଷ ସୂଚନା : ମହାନିମ୍ବ ଯକୃତ ଓ ଅନ୍ତନଳୀ ପାଇଁ ହାନିକାରକ ଅଟେ । ତେଣୁ ମାତ୍ରା ଅନୁସାରେ ଖାଇବା ଉଚିତ୍ । ଅଧିକ ସେବନ କରିବା ଅନୁଚିତ୍ ଅଟେ ।

Categories
HEALTH
Newsroll

RELATED BY

  • ବେଗୁନିଆ

    ବେଗୁନଆ ଗଛ ସହିତ ସମସ୍ତେ ପରିଚିତ । ଏହା ଏକ ବହୁ ବର୍ଷୀୟ ବୁଦାଜାତୀୟ ଗଛ । ଏହାର ପତ୍ରକୁ ମକଚିଲେ ଏକ ବିଶିଷ୍ଟ ପ୍ରକାରର ଦୁର୍ଗନ୍ଧ ବାହାରେ । ତେଣୁ ଏହି ଗଛକୁ ପଶୁମାନେ ଖାଆନ୍ତି ନାହିଁ ।...
  • ଲାଜକୁଳୀ ଲତା

     ଲାଜକୁଳୀ ଲତା ଏକ କଣ୍ଟା ଜାତୀୟ ଲତା ଅଟେ । ଏହା ଜମି ଉପରେ ମାଡ଼ିଥାଏ । ଏହାର ପତ୍ରକୁ ଛୁଇଁଲେ ଝାଉଁଳି ପଡେ ଓ ପରେ ପୁଣି ପୂର୍ବ ଅବସ୍ଥାକୁ ଫେରିଆସେ । ଏଥିରେ ଗୋଲାପି ରଙ୍ଗର ଗୋଲ୍‍...
  • ଜାତୀୟ ସ୍ଵେଛାକୃତ ରକ୍ତଦାତା ଦିବସ ପାଳିତ

    କଟକ- ଗୋପୀନାଥପୁର ଠାରେ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ଜାତୀୟ ସ୍ଵେଛାକୃତ ରକ୍ତଦାତା ଦିବସ ପାଳିତ ହୋଇଛି । ରେଡ୍‌ କ୍ରସ ରକ୍ତ ଭଣ୍ଡାର, କଟକର ଅଧ୍ୟକ୍ଷ ତଥା ପୂର୍ବତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ...
  • ବାୟୁ ପ୍ରଦୂଷଣ ଭୁବନେଶ୍ୱର ଅଧିବାସୀଙ୍କର ହାରାହାରି ପରମାୟୁ କମାଇ ଦେଉଛି

    ଭୁବନେଶ୍ୱର : ଭାରତରେ ଯେଉଁ ଶହେ ଦୁଇଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି ତା ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବାୟୁ ଗୁଣବତ୍ତା ଜୀବନ...