“ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ

କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କରିଛନ୍ତି ।

ଏହି ପୁସ୍ତକଟିକୁ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ଶ୍ରୀ ରବିଦତ ବାଜପେୟୀ ଲେଖିଛନ୍ତି ।

ସଂସଦ ପାଠାଗାର ପରିସରସ୍ଥିତ ବାଲଯୋଗୀ ପ୍ରେକ୍ଷାଳୟରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଏହି ପୁସ୍ତକର ପ୍ରଥମ କପି ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ. ଭୈଙ୍କେୟା ନାଇଡ଼ୁଙ୍କୁ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ରାଜନୈତିକ ପରିଦୃଶ୍ୟରେ, ଏହା ଉଲ୍ଲେଖନୀୟ ଯେ ଦେହାନ୍ତର ୧୨ ବର୍ଷ ପରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ବିଚାର ଆମର ମାର୍ଗଦର୍ଶନ କରିବା ସହିତ ସବୁଦିନ ପାଇଁ ପ୍ରାସଙ୍ଗିକ ହୋଇ ରହିଛି ।

ଏହି ପୁସ୍ତକ ଲେଖିବା ପାଇଁ ଶ୍ରୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖରଙ୍କ ସହିତ ତାଙ୍କର ସାକ୍ଷାତର ସ୍ମୃତି ଏବଂ ଅନୁଭୂତି ବଖାଣିଥିଲେ ।

୧୯୭୭ରେ ଚନ୍ଦ୍ର ଶେଖରଙ୍କୁ ପ୍ରଥମ ଥର ଭେଟିଥିବା ସେ ମନେ ପକାଇଥିଲେ । ସେ କହିଥିଲେ ଯେ ପୂର୍ବତନ ଉପରାଷ୍ଟ୍ରପତି ଭୈରୋଁ ସିଂ ଶେଖାୱତଙ୍କ ସହିତ ଯାତ୍ରା କରୁଥିବା ସମୟରେ ସେ ଶ୍ରୀ ଚନ୍ଦ୍ର ଶେଖରଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭେଟିଥିଲେ । ଭିନ୍ନ ଭିନ୍ନ ରାଜନୈତିକ ବିଚାରଧାରା ସତ୍ୱେ ଦୁଇ ନେତାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିଲା ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଶ୍ରୀ ଚନ୍ଦ୍ର ଶେଖର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ “ଗୁରୁ ଜୀ” ବୋଲି ସମ୍ବୋଧନ କରୁଥିଲେ ।

ଚନ୍ଦ୍ର ଶେଖର ଜଣେ ସଂସ୍କାରୀ ଓ ନୀତିବାନ ବ୍ୟକ୍ତି ଥିଲେ, କେତେକ କ୍ଷେତ୍ରରେ ମତପାର୍ଥକ୍ୟ ହେଲେ, ତାଙ୍କ ସମୟର ସବୁଠୁ ପ୍ରଭାବଶାଳୀ ରାଜନୈତିକ ଦଳକୁ ବିରୋଧ କରିବା ଲାଗି ସେ ପଛାଉନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ମୋହନ ଧରିଆ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ଭଳି ନେତାଙ୍କ ଠାରୁ ଚନ୍ଦ୍ର ଶେଖରଙ୍କ ବିଷୟରେ ଅନେକ ପ୍ରଶଂସା ଶୁଣିଥିବା ସେ କହିଥିଲେ ।

ଚନ୍ଦ୍ର ଶେଖରଙ୍କ ସହିତ ଶେଷ ସାକ୍ଷାତ ବିଷୟରେ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅସୁସ୍ଥ ଥିବା ସମୟରେ ତାଙ୍କୁ ଫୋନ କରିଥିଲେ ଏବଂ କେବେ ଦିଲ୍ଲୀ ଆସିଲେ ତାଙ୍କୁ ସାକ୍ଷାତ କରିବା ଲାଗି କହିଥିଲେ ।

ଏହି ଆଲୋଚନା ସମୟରେ ଚନ୍ଦ୍ର ଶେଖର ଗୁଜରାଟର ବିକାଶ ବିଷୟରେ ଜାଣିବାକୁ ଯାଇଥିଲେ ଏବଂ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥିଲେ ।

ତାଙ୍କର ବୈଚାରିକ ସ୍ପଷ୍ଟତା, ଲୋକମାନଙ୍କ ପ୍ରତି ପ୍ରତିବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମର୍ପଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

କୃଷକ, ଗରିବ ଏବଂ ବଂଚିତଙ୍କ ଲାଗି ଶ୍ରୀ ଚନ୍ଦ୍ର ଶେଖରଙ୍କ ଦ୍ୱାରା ଆୟୋଜିତ ଐତିହାସିକ ପଦଯାତ୍ରା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସମୟରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ବିଫଳ ହେବା ଦୁର୍ଭାଗ୍ୟଜନକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଡ. ଆମ୍ବେଦକର ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ମହାନ ଭାରତୀୟ ନେତାଙ୍କ ସମ୍ପର୍କରେ ପ୍ରତିକୂଳ ଛବି ସୃଷ୍ଟି କରିବାର ପ୍ରୟାସ କରିଥିଲେ । ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏକ ସଂଗ୍ରହାଳୟ ଦିଲ୍ଲୀରେ ପ୍ରତିଷ୍ଠା କରାଯିବ ବୋଲି ସେ ଜୋର ଦେଇ କହିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଜୀବନ ଏବଂ ଉକ୍ରୃଷ୍ଟ କାର୍ଯ୍ୟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେବା ଲାଗି ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିଜନମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଦେଶକୁ ରାଜନୈତିକ ଅସ୍ପୃଶ୍ୟତା ଠାରୁ ଊଦ୍ଧ୍ୱର୍କୁ ଯାଇ ଏକ ନୂତନ ରାଜନୈତିକ ସଂସ୍କୃତି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ।

ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଶ୍ରୀ ଗୁଲାମ ନବୀ ଆଜାଦ୍ ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ ।

Categories
KNOWLEDGE

RELATED BY

  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...
  • ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

    ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ....
  • ଫୁଲବାଣୀ ଏସ୍.ପି ପ୍ରତୀକ ସିଂହ ପୋଲିସ୍‌ ମେଡାଲ ଗ୍ରହଣ କଲେ

    ଫୁଲବାଣୀ ଜିଳ୍ଲା (କନ୍ଧମାଳ) ଏସ୍.ପି ପ୍ରତୀକ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ “ପୋଲିସ ବୀରତ୍ଵ ମେଡାଲ” ଗ୍ରହଣ କରିଛନ୍ତି । ଏଥି ସହିତ ଅନେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି । ପଦକ...
  • ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

    ଆଜି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଳଙ୍କରଣ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମରୋଣୋତର ଭାବେ ଶ୍ରୀ ନାନାଜୀ...