ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଲା

ବାଘଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀ ପାଲଟିଛି ଭାରତ - ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି ।

ଏହି ସର୍ଭେକ୍ଷଣ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ ୨୯୬୭ରେ ପହଁଚିଛି ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ ।

ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ରୁତ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ ।

ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟତଃ ୩୦୦୦ ବାଘଙ୍କ ସହିତ, ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀରେ ପରିଣତ ହୋଇଛି ।

ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ଯେ ଆଗାମୀ ଦିନର ମାର୍ଗ ଚୟନାତ୍ମକ ନୁହେଁ ବରଂ ସାମଗ୍ରୀକ । ସେ କହିଲେ ଯେ ପରିବେଶ ସଂରକ୍ଷଣ ଲାଗି ଏକ ବ୍ୟାପକ ଏବଂ ସାମଗ୍ରୀକ ଦୃଷ୍ଟିକୋଣ ଜରୁରି ।

ସେ କହିଲେ ଯେ ବିକାଶ ଓ ପରିବେଶ ମଧ୍ୟରେ ଏକ ଉତମ ସନ୍ତୁଳନ ରକ୍ଷା କରିବା ସମ୍ଭବ । “ଆମ ନୀତିରେ, ଆମ ଅର୍ଥନୀତିରେ ଆମକୁ ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନାକୁ ପରିବର୍ତନ କରିବାକୁ ପଡିବ,” ବୋଲି ସେ କହିଥିଲେ ।

ଭାରତ ଆମ ନାଗରିକମାନଙ୍କ ପାଇଁ ଅଧିକ ଗୃହ ନିର୍ମାଣ କରିବ ଏବଂ ଏହି ସମୟରେ ଜୀବଜନ୍ତୁମାନଙ୍କ ପାଇଁ ଗୁଣାତ୍ମକ ବାସସ୍ଥାନ ମଧ୍ୟ ସୃଷ୍ଟି କରିବ । ଭାରତର ଏକ ଜୀବନ୍ତ ସାମୁଦ୍ରିକ ଅର୍ଥନୀତି ଏବଂ ସୁସ୍ଥ ସାମୁଦ୍ରିକ ପରିବେଶ ରହିବ । ଏହି ସନ୍ତୁଳନ ହିଁ ଏକ ଶକ୍ତିଶାଳୀ ତଥା ସମାବେଶୀ ଭାରତ ନିର୍ମାଣରେ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଭାରତ ଉଭୟ ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ସମୃଦ୍ଧ ହେବ; ଭାରତ ଅଧିକ ସଡ଼କ ନିର୍ମାଣ କରିବ ଏବଂ ଭାରତରେ ନଦୀଗୁଡ଼ିକ ସ୍ୱଚ୍ଛ ହେବେ; ଭାରତରେ ରେଳ ସଂଯୋଗ ଉନ୍ନତ ହେବ ଏବଂ ଭାରତରେ ବୃକ୍ଷ ସଂଖ୍ୟାରେ ବୃଦ୍ଧି ଘଟିବ ।

ସେ କହିଲେ ଯେ ଗତ ୫ ବର୍ଷ ମଧ୍ୟରେ ଆଗାମୀ ପିଢ଼ୀ ପାଇଁ ଭିତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇଥିବା ବେଳେ ଦେଶରେ ଜଙ୍ଗଲର ଘନତ୍ୱ ମଧ୍ୟ ବୃଦ୍ଧି ପାଇଛି ।

ସଂରକ୍ଷିତ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । ୨୦୧୪ରେ ୬୯୨ଟି ସଂରକ୍ଷିତ ଅଂଚଳ ଥିଲାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୮୬୦ରୁ ଅଧିକ ହୋଇଛି ।

‘ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ର’ ମଧ୍ୟ ବୃଦ୍ଧି ପାଇଛି ।

୨୦୧୪ରେ ଏହା ୪୩ ଥିଲାବେଳେ ଏବେ ଏହାର ସଂଖ୍ୟାରେ ବୃଦ୍ଧି ଘଟି ୧୦୦ରୁ ଅଧିକ ହୋଇଛି ।

ଭାରତ ଏହାର ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ-ଇନ୍ଧନ ଏବଂ ଅକ୍ଷୟ ଶକ୍ତି ଆଧାରିତ କରିବା ପାଇଁ ନିୟମିତ ଭାବେ ପ୍ରୟାସ କରୁଥିବାର ସେ କହିଥିଲେ ।

ସେ କହିଲେ ଯେ ବର୍ଜ୍ୟବସ୍ତୁ ଏବଂ ଜୈବ ଇନ୍ଧନକୁ ଭାରତର ଶକ୍ତି ସୁରକ୍ଷାର ବୃହତ ଅଂଶବିଶେଷ କରାଯାଉଛି ।

ଏଲପିଜି ସଂଯୋଗ ଏବଂ ଏଲଇଡି ବଲ୍ବ ପାଇଁ ଯଥାକ୍ରମେ “ଉଜ୍ଜ୍ୱଳା” ଓ “ଉଜାଲା” ଆଦି ଯୋଜନାରେ ହେଉଥିବା ଅଗ୍ରଗତି ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ ।

ଶେଷରେ ବ୍ୟାଘ୍ର ସଂରକ୍ଷଣ ପାଇଁ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ଏବଂ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀ ସିକେ ମିଶ୍ରା ଏହି ଅବସରରେ ଉପସ୍ଥିତ ଥିଲେ ।

Categories
KNOWLEDGE

RELATED BY

  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...
  • ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

    ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ....
  • ଫୁଲବାଣୀ ଏସ୍.ପି ପ୍ରତୀକ ସିଂହ ପୋଲିସ୍‌ ମେଡାଲ ଗ୍ରହଣ କଲେ

    ଫୁଲବାଣୀ ଜିଳ୍ଲା (କନ୍ଧମାଳ) ଏସ୍.ପି ପ୍ରତୀକ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ “ପୋଲିସ ବୀରତ୍ଵ ମେଡାଲ” ଗ୍ରହଣ କରିଛନ୍ତି । ଏଥି ସହିତ ଅନେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି । ପଦକ...
  • ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

    ଆଜି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଳଙ୍କରଣ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମରୋଣୋତର ଭାବେ ଶ୍ରୀ ନାନାଜୀ...