ବାର୍ଷିକ ୧୦୦ ମିଲିୟନ୍‌ ଟନ୍‌ ଇସ୍ପାତ ଉତ୍ପାଦନ ନିମନ୍ତେ ପ୍ରସ୍ତୁତି

୨୦୩୦ ସୁଦ୍ଧା

ଭୁବନେଶ୍ୱର: ଓଡ଼ିଶାରେ ୨୦୩୦ ମସିହା ସୁଦ୍ଧା ବାର୍ଷିକ ୧୦୦ ମିଲିୟନ୍‌ ଟନ୍‌ ଇସ୍ପାତ୍‌ ଉତ୍ପାଦନ ହୋଇପାରିବ । ସେଥି ସକାଶେ ପ୍ରମୁଖ ଇସ୍ପାତ୍‌ ଉତ୍ପାଦନକାରୀ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆପୋଷ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ୬୦ରୁ ଉର୍ଦ୍ଧ୍ଵ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ମୁଖ୍ୟଙ୍କୁ ଜଣାଇଥିଲେ ଯେ ଓଡ଼ିଶାରେ ଇସ୍ପାତ ଉତ୍ପାଦନ ବୃଦ୍ଧି ନିମନ୍ତେ ସମସ୍ତ ଉତ୍ପାଦନକାରୀ ସଂସ୍ଥାକୁ ରାଜ୍ୟ ସରକାର ଅନୁକୂଳ ପରିବେଶ ଯୋଗାଇଦେବେ ।

ଡାଉନ୍‌ଷ୍ଟି୍ରମ୍‌ ଶିଳ୍ପଗୁଡ଼ିକୁ ୫୦ ପ୍ରତିଶତ ମୂଲ୍ୟଯୁକ୍ତ କରି ପ୍ରାଥମିକ ଇସ୍ପାତ୍‌ ଉତ୍ପାଦନକାରୀ ଭାବରେ ପ୍ରତିଷ୍ଠିତ କରିବାକୁ ରାଜ୍ୟ ସରକାର ୨୦୩୦ ମସିହା ସୁଦ୍ଧା ଏକ
ସୁଦୂରପ୍ରସାରୀ ଭିଜନ ପ୍ରସ୍ତୁତ କରିଛନ୍ତି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନ୍ତର୍ଭୁକ୍ତି, ଅଭିବୃଦ୍ଧି ଓ ଚିରସ୍ଥାୟୀ ବିକାଶ ନିମନ୍ତେ ଏହି ଇସ୍ପାତ ଶିଳ୍ପଗୁଡ଼ିକ ସେମାନଙ୍କର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ ପାଣ୍ଠିରୁ ସାମାଜିକ କାର୍ଯ୍ୟକ୍ରମ କରିବା ଦିଗରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଗୁରୁତ୍ୱାରୋପ କରିଥିଲେ ।

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ବୈଠକରେ ଶିଳ୍ପ ସଂସ୍ଥାଗୁଡ଼ିକୁ ସରକାରଙ୍କ ପକ୍ଷରୁ ଉପଲବ୍ଧ ହେଉଥିବା ସୁବିଧା ସୁଯୋଗଗୁଡ଼ିକ ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ ।

ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ମୂଲ୍ୟଯୁକ୍ତ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଥିଲେ ।

ଏହି ଦିଗରେ ଅଧିକ ଅଗ୍ରସର କରିବା ପାଇଁ ଶିଳ୍ପ ସଂସ୍ଥାର ଆନୁଷଙ୍ଗିକ ଖର୍ଚ୍ଚ କମାଇବା ଦିଗରେ ଭିତ୍ତିଭୂମିର ବିକାଶ ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଶ୍ରୀ ଚୋପ୍ରା ଜଣାଇଥିଲେ ।

ଇସ୍ପାତ ଉନ୍ନୟନ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ତଥା ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ ଜଣାଇଥିଲେ ଯେ ବୃହତ୍‌ ଆକାରରେ ଶିଳ୍ପ ନିବେଶ ସକାଶେ ଇଡ୍‌କୋ ଦ୍ୱାରା ତୁରନ୍ତ ଶିଳ୍ପଯୋଗ୍ୟ ଏକ ଲକ୍ଷ ଏକର ପରିମିତ ଜମି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ଶିଳ୍ପ ସଂସ୍ଥାଗୁଡ଼ିକରେ କାର୍ଯ୍ୟକରିବା ସକାଶେ ଦକ୍ଷତାସଂପନ୍ନ କୁଶଳୀ କାରିଗରଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସିଂ ଜଣାଇଥିଲେ ।

ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଏସ୍‌.କେ. ପୋପଲି ଶିଳ୍ପ ସଂସ୍ଥାଗୁଡ଼ିକୁ କିଭଳି ସୁବିଧାରେ କଞ୍ଚାମାଲ ଯୋଗାଇ ଦିଆଯିବ ସେ ନେଇ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ।

୨୦୩୦ ଭିଜନ୍‌କୁ ସଫଳ କରିବା ଦିଗରେ ବୃହତ୍‌ ଶିଳ୍ପ ସଂସ୍ଥାଗୁଡ଼ିକର ଉନ୍ନତି ଓ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସହଯୋଗ ସଂପର୍କରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଓ ପରିଚାଳନା ନିର୍ଦ୍ଦେଶକ ଇପିକଲ୍‌ ଅବଗତ କରାଇଥିଲେ । ଉପସ୍ଥିତ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଆଲୋଚନାରେ ସେମାନଙ୍କର ପକ୍ଷ ରଖିଥିଲେ ।