ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ସହରୀକରଣ ଯୋଗୁଁ ସହରଗୁଡ଼ିକରେ ବାସଗୃହର ଘୋର ଅଭାବ

ଦେଖାଦେଇଛି

ଭୁବନେଶ୍ୱର: ଖାଦ୍ୟ, ବସ୍ତ୍ର ଓ ବାସଗୃହ ମଣିଷର ସର୍ବନିମ୍ନ ଆବଶ୍ୟକତା ହୋଇଥିବାବେଳେ ନିରାପଦ ଆଶ୍ରୟ ନିମନ୍ତେ ନିଜସ୍ୱ ଗୋଟିଏ ଘର ତିଆରି କରିବା ପ୍ରତ୍ୟେକ ମଣିଷର ସ୍ୱପ୍ନ ହୋଇଥାଏ ।

ଏହାକୁ ବାସ୍ତବ ରୂପ ଦେବା ଦିଗରେ ସମବାୟ ଗୃହ ନିର୍ମାଣ ସଂସ୍ଥାଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଭୁବନେଶ୍ୱରଠାରେ ଆୟୋଜିତ ନ୍ୟାସନାଲ୍‌ କୋଅପରେଟିଭ୍‌ ହାଉସିଂ ଫେଡେରେସନ୍‌ର ୧୮୩ତମ ବୋର୍ଡ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଜନସଂଖ୍ୟା ବୃଦ୍ଧି ଓ ଦ୍ରୁତ ସହରୀକରଣ ଯୋଗୁଁ ସହରଗୁଡ଼ିକରେ ବାସଗୃହର ଘୋର ଅଭାବ ଦେଖାଦେଇଛି ।

ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କ ନିମନ୍ତେ ଏହି ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିଛି ।

ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଭାରତରେ ସମବାୟ ଏକ ଆନ୍ଦୋଳନର ରୂପ ନେଇଥିବାବେଳେ ଗୃହନିର୍ମାଣ କ୍ଷେତ୍ରରେ ସମବାୟକୁ ସାମିଲ କରିବା ଲକ୍ଷ୍ୟ ନେଇ ଜାତୀୟ ସମବାୟ ହାଉସିଂ ଫେଡେରେସନ୍‌ ପ୍ରତିଷ୍ଠା କରାଯାଇଥିଲା ।

ଗୃହ ନିର୍ମାଣ କ୍ଷେତ୍ରରେ ଜାତୀୟକରଣ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଓ ହୁଡ୍‌କୋ ଆଜି ପ୍ରମୁଖ ଭୂମିକା ନିର୍ବାହ କରୁଥିବାବେଳେ ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କୁ ରାଜ୍ୟର ସମବାୟ ଗୃହନିର୍ମାଣ କର୍ପୋରେସନ୍‌ଗୁଡ଼ିକ ଗୃହଋଣ ଯୋଗାଇ ଦେଇଥାଆନ୍ତି ।

ମାତ୍ର ରାଜ୍ୟଗୁଡ଼ିକର ଏହି ସଂସ୍ଥାଗୁଡ଼ିକ ପେଶାଦାର ପରିଚାଳନା ଓ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇନଥିବାରୁ ଅନ୍ୟ ଅର୍ଥଲଗାଣକାରୀ ସଂସ୍ଥା ସହିତ ପ୍ରତିଯୋଗିତା କରିପାରୁ ନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏପରି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ଆୟବର୍ଗ ଲୋକଙ୍କ ଗୃହ ନିର୍ମାଣ ପାଇଁ ଋଣ ଯୋଗାଇ ଦେଉଥିବା ରାଜ୍ୟ କୋଅପରେଟିଭ୍‌ ହାଉସିଂ କର୍ପୋରେସନ୍‌ଗୁଡ଼ିକ ଆର୍ଥିକ ପରିଚାଳନା ଦୃଷ୍ଟିରୁ ସଶକ୍ତ ଓ ମଜବୁତ କରାଯିବାର ଆବଶ୍ୟକତା ରହିଛି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ଓଡ଼ିଶା ସରକାରଙ୍କ ନିଜସ୍ୱ ଯୋଜନା ବିଜୁ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ତେବେ ପରିବାରର ଆକାର ଦୃଷ୍ଟିରୁ ବଡ଼ ଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସମବାୟ ହାଉସିଂ କର୍ପୋରେସନ୍‌ ପକ୍ଷରୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରସ୍ତାବ ଦେଇଥିଲେ ।

ଓଡ଼ିଶା କୋଅପରେଟିଭ୍‌ ହାଉସିଂ କର୍ପୋରେସନ୍‌ ପ୍ରତିଷ୍ଠା ହେବା ଦିନଠାରୁ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳ ସମେତ ପୁରୀ, ପାରାଦ୍ୱୀପରେ ଅନେକଗୁଡ଼ିଏ ଗୃହନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହାକୁ ଅଧିକ କ୍ରିୟାଶୀଳ ଓ ଦକ୍ଷ କରିବା ଦିଗରେ ଭାରତୀୟ ଜୀବନବୀମା ନିଗମ ତରଫରୁ ଦିଆଯାଉଥିବା ଋଣକୁ ନିୟମିତ କରିବା ଦିଗରେ ନ୍ୟାସନାଲ ହାଉସିଂ କୋଅପରେଟିଭ୍‌ ଫେଡେରେସନ୍‌ ହସ୍ତକ୍ଷେପ କରବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଥିଲେ ।

ବୈଠକରେ ନ୍ୟାସନାଲ୍‌ କୋଅପରେଟିଭ୍‌ ହାଉସିଂ ଫେଡେରେସନ୍‌ର ଅଧ୍ୟକ୍ଷ ଶ୍ରୀ ଏସ୍‌. ଏନ୍‌. ଶର୍ମାଙ୍କ ସମେତ ମଧ୍ୟପ୍ରଦେଶର ସମବାୟ ମନ୍ତ୍ରୀ ତଥା ନିର୍ଦ୍ଦେଶକ ଡ. ଗୋବିନ୍ଦ ସିଂହ, ଦିଲ୍ଲୀ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ଉତ୍ତରାଖଣ୍ଡ ଓ ଓଡ଼ିଶାର ରାଜ୍ୟ ସମବାୟ ହାଉସିଂ କର୍ପୋରେସନ୍‌ର ନିର୍ଦ୍ଦେଶକ ଓ ପ୍ରବନ୍ଧକମାନେ, ଏନ୍‌ସିଏଚ୍‌ଏଫ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।