ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ

ଚାଷୀମାନଙ୍କର କ୍ରୟ ଶକ୍ତି ବୃଦ୍ଧି ପାଇଲେ

ଭୁବନେଶ୍ୱର:କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ଲୋକ ଜଡ଼ିତ ଥିବାରୁ କୃଷିର ଉନ୍ନତି କରି କୃଷକଙ୍କ ଆୟ ବହୁଗୁଣିତ କରିବା ଦିଗରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଏ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଚାଷୀମାନଙ୍କର ଆୟ ବୃଦ୍ଧି ସହିତ ସେମାନଙ୍କର କ୍ରୟଶକ୍ତି ବୃଦ୍ଧି ପାଇଲେ ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ସଂପ୍ରତି ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ଜଳବାୟୁ ଉପଯୋଗୀ ଫସଲ ସହିତ କୃଷି ଉଦ୍ୟୋଗ କ୍ଷେତ୍ରରେ ଯୁବକଯୁବତୀମାନଙ୍କୁ ଆଗ୍ରହୀ କରିବା ଦିଗରେ କୃଷି ବୈଜ୍ଞାନିକମାନେ ନିଷ୍ଠାପର ଉଦ୍ୟମ କରନ୍ତୁ ।

ଏ ଦିଗରେ ବିଶ୍ୱବିଦ୍ୟାଳୟରେ ଅଧିକ ଗବେଷଣା କରାଯାଇ ଗବେଷଣା ଲବ୍ଧ ଜ୍ଞାନକୁ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

୨୦୦୦ ମସିହାଠାରୁ ରାଜ୍ୟରେ ଶସ୍ୟ ଉତ୍ପାଦନ ସହିତ ମାଛ, ମାଂସ, ଅଣ୍ଡା ଆଦିରେ ଉଲ୍ଲେଖନୀୟ ଉତ୍ପାଦନ ବୃଦ୍ଧି ପାଇଥିଲେ ହେଁ ସାଧାରଣ ଲୋକଙ୍କର ପୁଷ୍ଟିକର ଖାଦ୍ୟର ବର୍ଦ୍ଧିତ ଚାହିଦା ମେଣ୍ଟାଇବା ପାଇଁ ଆହୁରି ଅଧିକ ଉତ୍ପାଦନ ବୃଦ୍ଧି କିପରି ହୋଇପାରିବ ସେ ଦିଗରେ ଗବେଷଣାର ଆବଶ୍ୟକତା ରହିଛି ।

ଭାରତବର୍ଷର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଭାବରେ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ସ୍ଥାପନ କରାଯାଇଥିବାବେଳେ ଆଗାମୀ ଦିନରେ ଅଧିକ ଉଲ୍ଲେଖନୀୟ ସଫଳତା ଆଣି ଏହାକୁ ଭାରତବର୍ଷର ଏକ ଉତ୍କର୍ଷ କୃଷି ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେଇଥିଲେ ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପୱନ କୁମାର ଅଗ୍ରୱାଲ୍‌ ଉତ୍ସବରେ ପୌରୋହିତ୍ୟ କରି କହିଲେ ଯେ ପ୍ରତିଷ୍ଠା ହେବା ଦିନଠାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିକଶିତ ଅଧିକ ଅମଳକ୍ଷମ ବିହନ ଓ ଉନ୍ନତ ମାନର କୃଷି ଯନ୍ତ୍ରପାତି ଓଡ଼ିଶା ତଥା ବାହାର ରାଜ୍ୟର କୃଷକମାନଙ୍କ ଦ୍ୱାରା ଆଦୃତ ହୋଇିଛି ।

ଏଥି ସହିତ ପାଣିପାଗ ଏବଂ ଫସଲରେ ରୋଗପୋକ ପ୍ରତିଷେଧକ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମିତ କୃଷକମାନଙ୍କୁ ପରାମର୍ଶ ଦିଆଯାଉଛି ବୋଲି କୁଳପତି କହିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପୂର୍ବତନ ଉପମହାନିର୍ଦ୍ଦେଶକ ତଥା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ସ୍ୱପନ କୁମାର ଦତ୍ତ ଅଭିଭାଷଣ ପ୍ରଦାନ କରିବା ଅବସରରେ କୃଷି କ୍ଷେତ୍ରରେ ବାୟୋଟେକ୍‌ନୋଲୋଜିର ସଫଳ ପ୍ରୟୋଗ କରି କିପରି ଉତ୍ପାଦନ ବୃଦ୍ଧି ଓ କୃଷକମାନଙ୍କର ଆୟ ବୃଦ୍ଧି କରାଯାଇପାରିବ ସେ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

ଏଥି ସହିତ ବର୍ତ୍ତମାନ ସାରା ବିଶ୍ୱରେ ମୃର୍ତ୍ତିକାର ଉର୍ବରତା ଶକ୍ତି ବୃଦ୍ଧି ଓ ଜୈବିକ କୃଷି ନିମନ୍ତେ ବ୍ରାଉନ ରିଭଲ୍ଯୁସନ୍ ଉପରେ ଗୁରୁତ୍ୱ ଦିଆଯାଉଥିବା କଥା କହିଥିଲେ ।

ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ କୃଷକମାନଙ୍କ ସହିତ ସିଧାସଳଖ ଯୋଡ଼ିହୋଇ ସେମାନଙ୍କୁ ଆବଶ୍ୟକୀୟ କୃଷି ସେବା ଯୋଗାଇଦେବା ପାଇଁ ବିଭାଗ ଅନେକଗୁଡ଼ିଏ ପଦକ୍ଷେପ ନେଇଛି ।

ଏଥି ସହିତ ପୁଷ୍ଟିକର ଖାଦ୍ୟ ଉପରେ ସଂପ୍ରତି ଗୁରୁତ୍ୱ ଦିଆଯାଉଥିବା ଦୃଷ୍ଟିରୁ ଫସଲରେ ବିବିଧିକରଣ ଆଣିବା ଆବଶ୍ୟକ ହୋଇପଡ଼ିଛି ବୋଲି ଡ. ଗର୍ଗ କହିଛନ୍ତି ।

ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କୃଷି ଉଦ୍ୟୋଗୀ, କୃଷକ ଓ କୃଷିଜୀବୀ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥି ସହିତ ଶ୍ରେଷ୍ଠ ମହିଳା ବୈଜ୍ଞାନିକ,ଶ୍ରେଷ୍ଠ ସଂପ୍ରସାରଣ ବିଜ୍ଞାନୀ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ପୁସ୍ତକ ଓ ସମାଚାର ପତ୍ର ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଭୁବନେଶ୍ୱର ସ୍ଥିତ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୁମ୍ଭକର୍ଣ୍ଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁଳସଚିବ ଶ୍ରୀମତୀ ସୁଷମାରାଣୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରତିଷ୍ଠା ଦିବସରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କୃଷକ, ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନସ୍ଥ ବିଭିନ୍ନ ଗବେଷଣା ସଂସ୍ଥାର ନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, ନିର୍ଦ୍ଦେଶକ, କୃଷି ବୈଜ୍ଞାନିକ, ଛାତ୍ରଛାତ୍ରୀ ଏବଂ ଗବେଷଣା ସଂସ୍ଥା ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଯୋଗଦେଇଥିଲେ ।

Categories
STATE
Newsroll

RELATED BY

  • “କାଳିଆ” ସହାୟତା ରାଶି ଫେରସ୍ତ ପାଇଁ ଆକାଉଣ୍ଟ ନମ୍ବର,୯୦୦୦ ନାବାଳକ/ନାବାଳିକା ସହାୟତା ପାଇଛନ୍ତି

    ଭୁବନେଶ୍ଵର: ୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ନାମମାତ୍ର/ ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ...
  • ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି

    ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା । ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର...
  • ଅନୁଭବ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲେ

    ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ...
  • ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ, ଜନସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ

    ଭୁବନେଶ୍ୱର : ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ...