ଭଲମନ୍ଦକୁ ନବୁଝି ରାଜ୍ୟ ଶାସନରେ ଥିବା ବିଜେଡି ଦଳର ସାଂସଦମାନେ ସମର୍ଥନ ଦେଲେ

ନୂଆ ମୋଟରଯାନ ଆଇନ୍ କୁ ସଂସଦରେ ପାସ୍ ହେଲାବେଳେ

ଭୁବନେଶ୍ୱର : ନୂଆ ମୋଟରଯାନ ଆଇନ୍  ତିନିମାସ ପାଇଁ କୋହଳ ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ନିର୍ଦ୍ଦେଶକୁ ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ତୀବ୍ର ସମାଲୋଚନା କରିଛନ୍ତି ।

ନୂଆ ମୋଟରଯାନ ଆଇନ୍ କୁ ସଂସଦରେ ପାସ୍ ହେଲାବେଳେ ଜନସାଧାରଣଙ୍କ ଭଲମନ୍ଦକୁ ନବୁଝି ରାଜ୍ୟ ଶାସନରେ ଥିବା ବିଜେଡି ଦଳର ସାଂସଦମାନେ ସମର୍ଥନ ଦେଲେ ।

ଅନ୍ୟ କେତେକ ରାଜ୍ୟ ସରକାର ଏଭଳି ଆଇନ୍ କୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ବେଳେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଆଇନ୍ ଠିକଣା ସମୀକ୍ଷା ନକରି ରାଜ୍ୟରେ କାର୍ଯ୍ୟକାରୀ କରାଇଦେଲେ ।

ବିଗତ ଦିନମାନଙ୍କରେ ସାଧାରଣ ଜନତାର କ୍ରୋଧ ସରକାରଙ୍କ ଉପରେ ଦେଖିଲା ପରେ ମୁଖ୍ୟମନ୍ତ୍ରୀଙ୍କର ଚେତା ପଶିଲା ।

ଆଗକୁ ନଗରପାଳିକା ନିର୍ବାଚନ ଥିବାରୁ ଏହି ଆଇନ୍ କୁ ତିନିମାସ କୋହଳ କରି ଓଡିଶାବାସୀଙ୍କୁ ପୁଣି ଲଲିପପ୍ ଦେଖାଇ ଭୋଟ ହାତେଇବାର ଯେଉଁ ପ୍ରୟାସ କରୁଛନ୍ତି ତା’ର ଉଚିତ୍ ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତରେ ଓଡିଶାବାସୀଙ୍କ ପ୍ରତି ଆନ୍ତରିକତା ଅଛି ତେବେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଓଡିଶା ଏହି ଆଇନ୍  କୁ ପ୍ରତ୍ୟାଖ୍ୟାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।