କାକଟପୁରକୁ ଏନ୍.ଏ.ସି ଘୋଷଣା କରିବା ପାଇଁ ଦାବି

ପୁରୀ ଜିଲ୍ଲା କଂଗ୍ରେସ ସଭାପତିଙ୍କ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର କେତୋଟି ଅଞ୍ଚଳକୁ ସହରାଞ୍ଚଳର ମାନ୍ୟତା ପ୍ରଦାନ ପାଇଁ ଏନ୍.ଏ.ସି. ଘୋଷଣା ପ୍ରସ୍ତାବ ରହିଥିବା ବେଳେ ପୁରୀ ଜିଲ୍ଲାର କାକଟପୁରକୁ ମଧ୍ୟ ଏନ୍.ଏ.ସି ଘୋଷଣା କରାଯିବାର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କାକଟପୁର ଅଞ୍ଚଳ ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠସ୍ଥଳୀ, ପୂଣ୍ୟତୋୟା ପ୍ରାଚୀ ନଦୀ ବହୁ କାଳରୁ ପ୍ରବାହିତା, ପୁରାଣପ୍ରସିଦ୍ଧ ବିଶ୍ୱାମିତ୍ର ଋଷୀଙ୍କ ଆଶ୍ରମ, ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥଙ୍କ ନବ କଳେବର ଦାରୁ ସନ୍ଧାନର କେନ୍ଦ୍ର ପବିତ୍ର ଦେଉଳୀ ମଠ, ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ସ୍ଥାନ ବୋଇତକୁଦ, ଅସ୍ତରଙ୍ଗ ବଙ୍ଗୋପସାଗର ତଟରେ ଥିବା ପୀର ଜାହାନିଆ ପର୍ଯ୍ୟଟନ କେନ୍ଦ୍ର ଓ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର କୋଣାର୍କକୁ ଥିବା ପ୍ରମୁଖ ମାର୍ଗ ।

 ପ୍ରତିଦିନ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମା’ ମଙ୍ଗଳାଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

ପ୍ରାୟ କାକଟପୁର ବଜାର ଆଖପାଖର ୪୦ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ଏକମାତ୍ର ସହରାଞ୍ଚଳ ।

ଦୈନନ୍ଦିନ ବ୍ୟବସାୟର ଏକ ପେଣ୍ଠସ୍ଥଳୀ ।

ଏହି କାରଣରୁ କାକଟପୁରକୁ ଏନ.ଏ.ସି ଘୋଷଣା କରିବା ପାଇଁ ପ୍ରଶାସନ ପକ୍ଷରୁ ଗତ ୧୧/୧୦/୨୦୧୨ ରିଖରେ ସୀମା ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଅଦ୍ୟାବଧି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଫଳରେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଅସନ୍ତୋଷ ବୃଦ୍ଧି ପାଉଛି ।

କାକଟପୁର ନିକଟବର୍ତ୍ତୀ କଟକଣା ଓ ବାଜପୁର ଅଞ୍ଚଳର ଜନବସତିକୁ ନେଇ ଲୋକସଂଖ୍ୟା ଅନୁପାତରେ ଏନ.ଏ.ସି ଗଠନ ପାଇଁ ସମସ୍ତ ସର୍ତ୍ତ ପୂରଣ କରିପାରୁଥିବା କାକଟପୁରକୁ ରାଜ୍ୟ ସରକାର ପକ୍ଷରୁ ଏନ.ଏ.ସି ଘୋଷଣା କରିବାକୁ ଏହି ଅଞ୍ଚଳବାସୀଙ୍କ ତରଫରୁ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିକଟରେ ଲିଖିତ ସ୍ମାରକ ପତ୍ରଦ୍ୱାରା ଦୃଢ଼ ଦାବି କରିଛନ୍ତି । ଏହାର ଆଶୁ କାର୍ଯୟକାରୀତା ଦିଗରେ ଶ୍ରୀ ପଟ୍ଟନାୟକ ମଧ୍ୟ କାକଟପୁରର  ବିଧାୟକ ତଥା କ୍ରୀଡ଼ା ଓ ଯୁବ କଲ୍ୟାଣ ମନ୍ତ୍ରୀ  ତୁଷାର କାନ୍ତୀ ବେହେରା ଓ ପୁରୀ ଜିଲ୍ଲାପାଳ  ବଳବନ୍ତ ସିଂହଙ୍କ ନିକଟକୁ ଅନୁରୁପ ଦାବିପତ୍ର ପଠାଇଛନ୍ତି ।