କର୍ମକ୍ଷେତ୍ରରେ ସେବା ବାତାବରଣ ସୃଷ୍ଟି କର

:ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଚାକିରିକୁ ଏକ ସେବା ଭାବରେ ଗ୍ରହଣ କରି କର୍ମକ୍ଷେତ୍ରରେ ସେବା ବାତାବରଣ ସୃଷ୍ଟି କରିପାରିଲେ ଜନସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ ହୋଇପାରିବ ।

ରାଜ୍ୟ ସରକାରଙ୍କ ଦ୍ୱାରା ଲୋକାଭିମୁଖୀ ଯୋଜନାର କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ବଜାୟ ରଖି ଓ ଏହାର ସୁଫଳ ସମାଜର ସବୁଠାରୁ ତଳସ୍ତର ଲୋକମାନଙ୍କ ନିକଟରେ ପହଞ୍ଚାଇବା ଦିଗରେ ସରକାରୀ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ନବନିଯୁକ୍ତ ସମବାୟ ଅଡିଟରମାନଙ୍କ ୫‘ଟି’ ସମ୍ବନ୍ଧୀୟ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ରାଜ୍ୟରେ ୯ ହଜାର ସମବାୟ ଅନୁଷ୍ଠାନ କାର୍ଯ୍ୟ କରୁଥିବାବେଳେ ଏହି ଅନୁଷ୍ଠାନଗୁଡ଼ିକର ଆୟବ୍ୟୟର ହିସାବ ଠିକଣା ଓ ସନ୍ତୁଳିତ ଭାବରେ କରିବା ପାଇଁ ଅଡିଟରମାନେ ନିଷ୍ଠାର ସହ କାର୍ଯ୍ୟକରିବା ଉଚିତ ।

ରାଜ୍ୟରେ ଚାଷୀମାନଙ୍କୁ ଦିଆଯାଉଥିବା ଫସଲ ଋଣର ପ୍ରାୟ ୭୦ ଭାଗ ସମବାୟ ସଂସ୍ଥା ମାଧ୍ୟମରେ ଦିଆଯାଉଥିବା ପରିପ୍ରେକ୍ଷୀରେ ଅଡିଟରମାନେ କୃଷି ଓ କୃଷକମାନଙ୍କର ବିକାଶ ଦିଗରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ ।

ନବନିଯୁକ୍ତ ଅଡିଟରମାନେ ପରିବର୍ତ୍ତନର ବାହକ ଭାବରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

ନୂତନ ଅଡିଟର ନିଯୁକ୍ତି ଦ୍ୱାରା ସମବାୟ ବିଭାଗ ଅଧିକ ଚଳଚଞ୍ଚଳ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୫୨ ଜଣ ନବନିଯୁକ୍ତ ଅଡିଟରମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ।

କର୍ମଶାଳାରେ କୃଷି  କମିଶନର ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଯୋଗଦେଇ କହିଲେ ଯେ ରାଜ୍ୟର ପରିବର୍ତ୍ତନରେ ୫ ‘ଟି’ ମନ୍ତ୍ରୀ ଉପଯୋଗ ଅପରିହାର୍ଯ୍ୟ ।

ତେଣୁ ଯିଏ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁ ୫ ‘ଟି’ର ପ୍ରୟୋଗ ଦ୍ୱାରା କାର୍ଯ୍ୟରେ ସଫଳତା ହାସଲ କରିହେବ ବୋଲି ସେ କହିଥିଲେ ।

ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ସମବାୟ ସମିତି ସମୂହର ଅଡିଟର ଜେନେରାଲ ତଥା ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଭରତ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।