ଏକ ଲକ୍ଷ ଦର୍ଶକ ମେଳା ପରିସରକୁ ଆସିଥିଲେ

‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ

‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଉଦ୍‌ଯାପିତ

ଭୁବନେଶ୍ୱର:ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ‘ବୟନିକା’ ପକ୍ଷରୁ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ ଅଗଷ୍ଟ ୨୭ ତାରିଖରୁ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦ୍‌ଘାଟିତ ହୋଇଥିଲା ।

ଏହି ମେଳାରେ ୩୯ଟି ଷ୍ଟଲ୍‌ରେ ‘ବୟନିକା’, ‘ସେରିଫେଡ଼୍‌’, ‘ସମ୍ବଲପୁରୀ ବସ୍ତ୍ରାଳୟ’, ‘ଉତ୍କଳିକା’ ୩୨ଟି ପ୍ରାଥମିକ ବୁଣାକାର ସମବାୟ ସମିତି, ୩ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୋଟିଏ ଜାତୀୟ ପୁରସ୍କାର ବିଜେତା ଅଂଶଗ୍ରହଣ କରିଥିଲେ ।

ଏହି ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ ବୋମ୍‌କାଇ ଓ ଇକତ ସିଲକ୍‌ ଶାଢ଼ି, ସୂତା ଶାଢ଼ି, କଟନ ଶାଢ଼ି, ଡ୍ରେସ୍‌ କପଡ଼ା, ଟସର ଓ ଘିଚା ଶାଢ଼ି ଆଦି ହସ୍ତତନ୍ତ ସାମଗ୍ରୀ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା । ଏଥି ସହିତ ସର୍ବସାଧାରଣଙ୍କ ନିମନ୍ତେ ଖାଦ୍ୟକୋର୍ଟର ବ୍ୟବସ୍ଥା ହୋଇଥିଲା ।

ଏହି ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ ପ୍ରାୟ ୫୦ ଲକ୍ଷ ଟଙ୍କାର ବିକ୍ରୀବଟା ହୋଇଥିଲା ।

ସେଥି ମଧ୍ୟରୁ ‘ବୟନିକା’ରେ ୧୫ ଲକ୍ଷ ଟଙ୍କାର ବିକ୍ରୟ ହୋଇଛି ।

୪ଟି ବିଭିନ୍ନ ସଂସ୍ଥା ମଧ୍ୟରୁ ‘ବୟନିକା’ର ବିକ୍ରୟ ସର୍ବାଧିକ ହୋଇଥିଲା ।

ପ୍ରାଥମିକ ବୁଣାକାର ସମବାୟ ସମିତି ମଧ୍ୟରୁ ଜୟ ଜଗନ୍ନାଥ ବୁଣାକାର ସମବାୟ ସମିତି, କଟକର ବିକ୍ରୟ ସବୁଠାରୁ ଅଧିକ ଥିଲା ।

ଏହି ୧୫ ଦିନିଆ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା’ରେ ଏକ ଲକ୍ଷ ଦର୍ଶକ ମେଳା ପରିସରକୁ ଆସିଥିଲେ ବୋଲି ‘ବୟନିକା’ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ଯେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌(ବୟନିକା) ଓଡ଼ିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ।

ଏହା ୬୩ ବର୍ଷ ଧରି ଓଡ଼ିଶା ହସ୍ତକଳାର ପ୍ରଚାର, ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛି ।

 

RELATED BY