ଗୁରୁବାର ଦିନ ରାଜଭବନ ଆଗରେ ଧାରଣା ଦେବ ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ

ଭୁବନେଶ୍ୱର : ରାଜ୍ୟସରକାର ଚଞ୍ଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି ।

ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହେବା ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି “ମୋ ଆବାସ” ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ।

ଏହା ବିରୁଦ୍ଧରେ ଗତ ୨୭ ତାରିଖରେ ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ, ଏନ୍ଏସି, ମ୍ୟୁନିସିପାଲିଟି କର୍ପୋରେସନ୍ ଆଗରେ ବିକ୍ଷୋଭ କରବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ଦେବା ପରେ ବି ରାଜ୍ୟସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ।

କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଞ୍ଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆସନ୍ତା କାଲି ବିଜେପି ପକ୍ଷରୁ ରାଜଭବନ ଆଗରେ ଧାରଣା ଦେବା ସହ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚାରି ଗୋଟି ପ୍ରସଙ୍ଗ ନେଇ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦିଆଯିବ ।

(୧) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକର ନାଁ କାଟି ରାଜ୍ୟସରକାର ବିଜ୍ଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ।

୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଣ୍ଟନ କରି ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟାଦେଶ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟସରକାର ଏହାକୁ ନିଜ ଲୋଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜୁ ପକ୍କା ଘରର ଫଟୋ ଲଗାଇ ମୋ ଆବାସ ଲେଖି କାର୍ଯ୍ୟାଦେଶ ବଣ୍ଟନ କରୁଛନ୍ତି ।

(୨) ସେହିପରି ସମସ୍ତେ ଘର ପାଇବେ ବୋଲି ଯେଉଁ ସର୍ଭେ ଚାଲିଛି ସେଥିରେ ମଧ୍ୟ ଚଞ୍ଚକତା ରହିଛି ।

ତାର ଯେଉଁ ବିଜ୍ଞାପନ ବାହାରିଲା ସେ ବିଜ୍ଞାପନରେ ଗୋଟିଏ କୌଣସି ଜାଗାରେ ଲେଖା ହୋଇନି ଯେ,ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ହେଉଛି ।

(୩) ସର୍ଭେ ହେଲା ପରେ ଯେଉଁ ପ୍ରାରମ୍ଭିକତା ତାଲିକା ଆସିଛି ତାହାପରେ ପରବର୍ତୀ ପ୍ରକ୍ରିୟାଟି ହେଉଛି ଘରର ଫଟୋ ଉଠାଇ ଜିଓ ଟାଗିଙ୍ଗ୍ କରିବା କଥା । କିନ୍ତୁ ଶାସକ ଦଳର ବିଧାୟକ ପଂଚାୟତ ଏକଜ୍ୟୁଟିଭ୍, ଜିଆରଏସ୍ ମାନଙ୍କୁ ଧରି କେବଳ ବିଜୁ ଜନତାଦଳର କର୍ମୀ ଓ ସମର୍ଥକମାନଙ୍କ ଘର ଜିଓ ଟାଗିଙ୍ଗ୍ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ।

(୪) ରାଜ୍ୟର ବିଭିନ୍ନ ସ୍ଥାନରେ ଘର କରାଇବା ନାଁରେ ବିଜୁ ଜନତା ଦଳର ବିଧାୟକ ମାନେ ଘର ପିଛା ୨୧ହଜାର ଟଙ୍କା ପିସି ଆଦାୟ କରିବାରେ ଲାଗିଛନ୍ତି ।

ଯେଉଁମାନଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଅଛି ସେମାନଙ୍କ ଘର ଜିଓ ଟାକିଙ୍ଗ୍ ହେବ ନିଷ୍ପତି ହୋଇଛି ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ବିଧାୟକଙ୍କ ନାଁରେ ପିସି ଏବଂ ୧୧ ହଜାର ଟଙ୍କା ବ୍ଲକ ଅଫିସରଙ୍କ ନାଁରେ ପିସି ଆଦାୟ କରାଯାଉଛି ।

ରାଜ୍ୟ ସରକାରଙ୍କର ଭ୍ରଷ୍ଟାଚାରୀ, ଚଞ୍ଚକତା ପୂର୍ଣ୍ଣ ବ୍ୟବହାର ବିରୁଦ୍ଧରେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ।

ରାଜ୍ୟ ସରକାରଙ୍କ ଚଞ୍ଚକତା ଓ ଭ୍ରଷ୍ଟାଚାରକୁ ପ୍ରସୟ ଦିଆଯିବ ନାହିଁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଉଚ୍ଚାଙ୍କାକ୍ଷୀ ଜନକଲ୍ୟାଣକାରୀ ଯୋଜନା ଓ ଏହାଦ୍ୱାରା ଭାରତର ସମସ୍ତ ଜନସାଧାରଣଙ୍କୁ ପକ୍କାଘର ଯୋଗାଇଦେବାର ସୁଦୀର୍ଘ ପରିକଳ୍ପନା କରାଯାଇଛି ।

ଏହି ଯୋଜନାକୁ ଚଞ୍ଚକତା କରି କୌଣସି ରାଜ୍ୟର ସରକାର ଏହାକୁ ନିଜସ୍ୱ ଯୋଜନା ଭାବେ ଘୋଷଣା କରି ବିଭ୍ରାନ୍ତ କରାଇବା ନିଶ୍ଚିନ୍ତ ଭାବେ ଅଗଣତାନ୍ତ୍ରିକ, ଆଦର୍ଶ ସଂଘୀୟ ବ୍ୟବସ୍ଥାର ପରିପନ୍ଥି ଓ ଗ୍ରହଣଯୋଗ୍ୟ ନୁହେଁ ।

ଏହା ବିରୁଦ୍ଧରେ ଗତ ୨୭ ତାରିଖରେ ରାଜ୍ୟ ବିଜେପି ସମସ୍ତ ୩୧୪ ବ୍ଲକ ଏବଂ ପୌରାଞ୍ଚଳ ଘେରାଓ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲା ।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ହାଇଜାକ୍ କରି ରାଜ୍ୟସରକାର ନିଜ ନାଁ ଦେଇ ରାଜ୍ୟସରକାରଙ୍କ ‘ଲୋଗୋ’ଲଗାଇ ନିଜର ଆତ୍ମ ପ୍ରଚାର କରିଥିଲେ ।

କେନ୍ଦ୍ରସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନାକୁ ନାଁ ଓ ଲୋଗୋ ବଦଳାଇ ରାଜ୍ୟସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା- ଝିଅ ପାଇଁ ଚିଠି ଟିଏ’ କରି ବିଭିନ୍ନ ଗଣମାଧ୍ୟରେ ବିଜ୍ଞାପନ ପ୍ରକାଶ କରିଥିଲେ ।

ସେହିପରି ଟଙ୍କିକିଆ ଚାଉଳକୁ ନିଜ ନାଁରେ ନାମିତ କରିବାର ଅପଚେଷ୍ଟା ବି ରାଜ୍ୟ ସରକାର କରିଆସିଛନ୍ତି ।

କେନ୍ଦ୍ରୀୟ ଯୋଜନା ହଡପ ନେଇ ରାଜ୍ୟ ସରକାରଙ୍କ ଚଞ୍ଚକତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆସନ୍ତା କାଲି ପୁଣି ବିଜେପି ପକ୍ଷରୁ ରାଜଭବନ ଆଗରେ ଧାରଣା ଦେବା ସହ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

  • ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...
  • ଅନ୍ତରର ଅନୁଭବ ହୃଦ କରିଥାଏ । ଚକ୍ଷୁ ଓ ମନ ହୃଦୟଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନ୍ୟର ଦୁଃଖ ହୃଦୟ ସହି ପାରିନଥାଏ । ସେହିପରି ଏକ ସୁନ୍ଦରୀ ତରୁଣୀର ଆକର୍ଷଣ ମଧ୍ୟ ହୃଦୟ ମଧ୍ୟକୁ ପ୍ରବେଶ କରି ତା...

RELATED BY