ସଂଗ୍ରାମୀ ଇତିହାସ, ଛାତ୍ରସମାଜ ଓ ଯୁବସମାଜ ପାଇଁ ଆଦର୍ଶ ହେଉ

ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ

ଭୁବନେଶ୍ୱର: ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ସଂଗ୍ରାମୀ ଇତିହାସ ଛାତ୍ରସମାଜ ଓ ଯୁବସମାଜ ପାଇଁ ଆଦର୍ଶ ହେଉ ବୋଲି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି ।

ଆଜି ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୧୭ତମ ଜୟନ୍ତୀ ଓ ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଇଂରେଜ ସୈନିକମାନଙ୍କର ଗୁଳିଗୋଳକୁ ଭୟ ନକରି, ସ୍ୱାଭିମାନ ପାଇଁ ପେଟପାଟଣାକୁ ମଧ୍ୟ ଭୁଲିଯାଇ ପ୍ରଜାମଣ୍ଡର ସୈନିକ ଭାବେ ଢେଙ୍କାନାଳର ନୀଳକଣ୍ଠପୁରର ବାଜି ରାଉତ ଯେପରି ପରାକାଷ୍ଠା ଦେଖାଇ ଆତ୍ମବଳିଦାନ ଦେଇଥିଲେ ତାହା ଆଜିର ଛାତ୍ରଛାତ୍ରୀ, ଯୁବବର୍ଗ ଓ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହୋଇଛି ।

ସେହିପରି ଜୟପ୍ରକାଶ ନାରାୟଣଙ୍କର ସ୍ୱାଧୀନତା ସଂଗ୍ରାମରେ ଓ ସ୍ୱାଧୀନତା ପରେ ଭାରତବର୍ଷରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ଅତୁଳନୀୟ ଅବଦାନ ରହିଥିଲା ।

ତାଙ୍କ ପ୍ରଦର୍ଶିତ ସଂପୂର୍ଣ୍ଣ କ୍ରାନ୍ତି ଅଭିଯାନ ଆଜି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଫଳ ରୂପାୟନ କରିବାରେ ପଥପ୍ରଦର୍ଶକ ହୋଇପାରିଛି ବୋଲି ସେ କହିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ କହିଲେ ଯେ ପ୍ରାକ୍‌ ସ୍ୱାଧୀନତା ସମୟରେ ଗାନ୍ଧିଜୀଙ୍କ ସହିତ ଦେଶ ପାଇଁ କାର୍ଯ୍ୟ କରିଥିବା ଜୟପ୍ରକାଶ ନାରାୟଣ କଷଣ ଓ ଶୋଷଣମୁକ୍ତ ସମାଜର ପରିକଳ୍ପନା କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାଧୀନତା ପରେ ଦରଦାମ ବୃଦ୍ଧି, ବେରୋଜଗାରୀ, ଭ୍ରଷ୍ଟାଚାର ଓ ଦିଶାହୀନ ଶାସନତନ୍ତ୍ରରେ ନୀରବ ହୋଇ ନବସି ଜୟପ୍ରକାଶ ଯେଉଁ ଭଳି ଭାବେ ସଂପୂର୍ଣ୍ଣ କ୍ରାନ୍ତିର ନେତୃତ୍ୱ ନେଇ ଗଣତାନ୍ତ୍ରିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ଦିଗରେ ନେତୃତ୍ୱ ନେଇଥିଲେ ତାହା ଦ୍ୱାରା ଲୋକଶକ୍ତିର ବିଜୟ ହୋଇଥିଲା ।

ବାଜି ରାଉତଙ୍କ ସଂପର୍କରେ ପାଠ୍ୟପୁସ୍ତକରେ ଅଧିକ ତଥ୍ୟ ପ୍ରକାଶ ପାଇଲେ ତାହା ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣୀତ କରିବ ବୋଲି ସେ କହିଥିଲେ ।

ସମ୍ମାନିତ ବକ୍ତା ବିଶିଷ୍ଟ ଲେଖକ ଡ. ଉଦ୍ଧବ ଚରଣ ନାୟକ କହିଲେ ଯେ ବାଜି ରାଉତଙ୍କ ଜୀବନୀ ଉପରେ ପୁଙ୍ଖୁନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।

ସେ ରାଜଧାନୀରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ସ୍ଥାପନପୂର୍ବକ କୌଣସି ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ରଖିଥିଲେ ।

ମୁଖ୍ୟବକ୍ତା ବିଶିଷ୍ଟ  ଲେଖକ ଡ. ସୌରୀବନ୍ଧୁ କର କହିଲେ ଯେ ଲୋକନାୟକ ଜୟପ୍ରକାଶ ନାରାୟଣ ମାର୍କସବାଦ, ଲେଲିନ ବାଦ ଓ ଗାନ୍ଧୀବାଦରେ ଗଢ଼ା ବ୍ୟକ୍ତିତ୍ୱ ଥିଲେ ।

କ୍ଷମତାର ଲୋଭ ନରଖି ଲୋକତାନ୍ତ୍ରିକ ସମାଜବାଦରେ ବିଶ୍ୱାସ ରଖୁଥିବା ଜୟପ୍ରକାଶ ରାଜନୈତିକ ଦଳଭିନ୍ନ ଗଣତନ୍ତ୍ର ଓ ଅହିଂସାର ଦୃଢ଼ ସମର୍ଥକ ଥିଲେ ।

୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ସମୟରେ ସମାଜର ସବୁବର୍ଗର ଲୋକଙ୍କୁ ସାମିଲ କରି ସେ ଯେଉଁ ସଂପୂର୍ଣ୍ଣ କ୍ରାନ୍ତିର ଡାକରା ଦେଇଥିଲେ ତାହା ପରବର୍ତ୍ତୀ ସମୟରେ ଦେଶରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସହାୟକ ହୋଇଥିଲା ।

ପ୍ରାରମ୍ଭରେ ଅତିଥିମାନେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ଦେଇ ଉଭୟ ସଂଗ୍ରାମୀଙ୍କ ଜୀବନରେ ସ୍ୱାଭିମାନ ଓ ସ୍ୱାଧୀନତାର ମୂଲ୍ୟବୋଧ ଭରି ରହିଥିଲା ବୋଲି କହିଥିଲେ ।

ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସଭା ପରେ ପରେ ‘ଶ୍ରୁତି’ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ଓ ଭଜନ ପରିବେଷଣ କରାଯାଇଥିଲା ।

ଜୟପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ସଂପାଦକ ଡ. ରମାକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ସକାଳେ ଭୁବନେଶ୍ୱରସ୍ଥିତ ମାଷ୍ଟକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଜୟପ୍ରକାଶ ନାରାୟଣଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ଦାସ ମାଲ୍ୟାର୍ପଣ କରିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ, ସହକାରୀ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଶ୍ରୀ ଶତପଥୀଙ୍କ ସହ କର୍ମକର୍ତ୍ତା,ସମାଜବାଦୀ ପାର୍ଟି ଓଡ଼ିଶା ଶାଖାର ସଭାପତି ଶ୍ରୀ ରବୀନ୍ଦ୍ର କୁମାର ବେହେରା ଓ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ବୁଦ୍ଧିଜୀବୀ ଓ ଜନସାଧାରଣ ବହୁସଂଖ୍ୟାରେ ଉପସ୍ଥିତ ରହି ଲୋକନାୟକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Categories
LIFE

RELATED BY

  • ନିଆରା ଢଙ୍ଗରେ ପାଳନ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

    ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଅକ୍ଟୋବର ୧୬ ତାରିଖରେ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଜୁ ଜନତା ଦଳର ‘ଜୀବନ ବିନ୍ଦୁ’ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ...
  • ଶିକ୍ଷାଠାରୁ ରାଜନୀତି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଗୋପବନ୍ଧୁ ଓଡ଼ିଶାକୁ ନେତୃତ୍ୱ ଦେଇଥିଲେ:ରଘୁନନ୍ଦନ ଦାସ

    ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ସେବାକାର୍ଯ୍ୟ, ଦୀନଦରିଦ୍ର, ଦୁଃଖୀରଙ୍କୀଙ୍କ ପାଇଁ ତାଙ୍କ ଜୀବନ ଓ ପରିବାରକୁ ବାଜି ଲଗାଇ ଦେଇଥିଲେ । ଓଡ଼ିଶାର ସ୍ୱାର୍ଥ ପାଇଁ, ଓଡ଼ିଆ ଭାଷା, ଓଡ଼ିଶା ପ୍ରଦେଶ ଗଠନ,ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ...
  • ‘ସମୃଦ୍ଧ ଜୀବନ’

    ବର୍ତମାନର ଧାଁ ଦଉଡ଼ ପୂର୍ଣ୍ଣ ଜୀବନର ଜଟିଳତା ଯୋଗୁଁ ଆମ ମନ ଉଦବେଗ୍ ଓ ଦୁଶ୍ଚିନ୍ତାରେ ଭରି ରହୁଛି । ଏହା ଆମ ମାନସିକ ଶାନ୍ତି ଓ ସୁଖରେ ବ୍ୟାଘାତ ସାଜୁଛି । ଆମେ କ’ଣ ଅଟୁ ଓ କ’ଣ...
  • ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମଦିନ ପାଳିତ

    ଓଡ଼ିଆ ଫିଲ୍ମର ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମ ଦିନ ଆଜି ଝାରପଡ଼ା ଜେଲ ପାଖରେ ଥିବା ମଧୁରମୟୀ ଶିକ୍ଷା କେନ୍ଦ୍ରରେ ପାଳିତ ହୋଇଛି । ଶ୍ରୀମାନ ଗୁଡୁ ଛୋଟଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ସହିତ ଉପହାର ପ୍ରଦାନ କରିଥିଲେ ।...
Call Now ButtonCALL TO MR. SAMIR