ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

୨୫ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି ।

ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିଛନ୍ତି ।

ଟେରାକୋଟା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ଅବସରରେ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର ଟେରାକୋଟାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିବା ସହ ହସ୍ତଶିଳ୍ପୀମାନଙ୍କର ସ୍ଥିତି ବିଷୟରେ ପଚାରି ବୁଝିଥିଲେ ।

ହସ୍ତଶିଳ୍ପ କାରିଗରମାନଙ୍କ ସହ ମତବିନିମୟ କରିବା ଅବସରରେ ଏହି ଭଳି ପ୍ରଦର୍ଶନୀ ଅଧିକରୁ ଅଧିକ ସଂଖ୍ୟାରେ ଆୟୋଜନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ମହାପାତ୍ର ସମସ୍ତ ଷ୍ଟଲ୍‌ ବୁଲି ଦେଖିବା ପରେ ବିଭିନ୍ନ ଟେରାକୋଟା କାର୍ଯ୍ୟ ଏବଂ ଶିଳ୍ପୀ-କାରିଗରମାନଙ୍କ କଳାକୌଶଳର ଭୂୟସୀ ପ୍ରଶଂସା କରିଥିଲେ ।

ଉନ୍ନୟନ କମିଶନର ଶ୍ରୀ ମହାପାତ୍ରଙ୍କ ସହିତ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦାଶ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ଏବଂ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଷ୍ଟଲ ପରିଦର୍ଶନ କରିଥିଲେ ।

ଟେରାକୋଟା ସାମଗ୍ରୀଗୁଡ଼ିକର ବିକ୍ରିବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠରୁ ‘ମୃତ୍ତିକା’ ନାମରେ ଏହି ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହେଉଛି ।

ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ‘ମୃତ୍ତିକା-୨୦୧୯’ ଅକ୍ଟୋବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି ।

ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ୧୦୦ଟି ଷ୍ଟଲ୍‌ ଖୋଲାଯାଇ ୨୦୦ କାରିଗରମାନଙ୍କୁ ବିନାଦେୟରେ ପ୍ରଦାନ କରାଯାଇଛି ।

‘ମୃତ୍ତିକା-୨୦୧୯’ରେ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ,ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ମୃତ୍ତିକା କାରିଗରମାନେ ଅଂଶଗ୍ରହଣ କରିଛନ୍ତି ।

ଏହି ପ୍ରଦର୍ଶନୀ ମାଧ୍ୟମରେ ୧୨୫ ଲକ୍ଷ ଟଙ୍କା ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି ।

ଆମ ରାଜ୍ୟରେ ୧୦ ହଜାର କାରିଗର ଟେରାକୋଟା କାମ କରି ବିଭିନ୍ନ ପାରମ୍ପରିକ ଗୃହସଜ୍ଜା ଉପକରଣ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଅଛନ୍ତି ।

ରାଜ୍ୟରେ ୪୦ ହସ୍ତଶିଳ୍ପ ପୁଞ୍ଜ ଅଛି ।

ଆମ ରାଜ୍ୟର ୩ ଜଣ ମୃତ୍ତିକା ହସ୍ତଶିଳ୍ପୀ ଜାତୀୟ ସ୍ତରୀୟ ପୁରସ୍କାର ଓ ୧୮ ଜଣ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି ।

ଓଡ଼ିଶା ସରକାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନମାନ ପ୍ରଦାନ କରୁଛନ୍ତି ।

ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି ।

ବ୍ୟକ୍ତିଗତ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତ ମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୁନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାର ସହାୟତା ଆଦି ଯୋଗାଇ ଦିଆଯାଉଛି ।

ଏଦ୍‌ବ୍ୟତୀତ ‘ଉତ୍କଳିକା’ ମାଧ୍ୟମରେ ଅନ୍‌ଲାଇନ୍‌ ମାର୍କେଟିଂର ବ୍ୟବସ୍ଥା କରାଯାଇଛି ।

ଅହମଦାବାଦ୍‌ସ୍ଥିତ ରାଷ୍ଟ୍ରୀୟ ନମୁନା ବିକାଶ ଅନୁଷ୍ଠାନ (ଏନ୍‌ଆଇଡି) ସହଯୋଗରେ ଭୁବନେଶ୍ୱରର ଗଣ୍ଡମୁଣ୍ଡାସ୍ଥିତ ହସ୍ତଶିଳ୍ପ ପ୍ରକଳ୍ପ (ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ)ଠାରେ ନମୁନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ବାଲେଶ୍ୱରଠାରେ ଆଞ୍ଚଳିକ ହସ୍ତଶିଳ୍ପ ତାଲିମ ଓ ନମୁନା ବିକାଶ ଆଧାରିତ ପାଠ୍ୟକ୍ରମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

 

RELATED BY