ଇନ୍ଦିରା ଗାନ୍ଧୀ ଥିଲେ ଲୌହ ମାନବୀ

ଦେଶର ନିରାପତ୍ତା, ଅଖଣ୍ଡ ଭାରତ ଏବଂ ରାଷ୍ଟ୍ରର ବିକାଶକୁ ଆଗକୁ ନେବାରେ ଅତୁଳନୀୟ ଭୂମିକା ରହିଥିଲା

ଭୁବନେଶ୍ୱର: ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଲୌହ ମାନବୀ ଭାବେ ବିବେଚନା କରାଯାଏ ।

ତାଙ୍କର ଦୃଢ଼ମନା ବ୍ୟକ୍ତିତ୍ୱ, ଦେଶର ନିରାପତ୍ତା, ଅଖଣ୍ଡ ଭାରତ ଏବଂ ରାଷ୍ଟ୍ରର ବିକାଶକୁ ଆଗକୁ ନେବାରେ ଅତୁଳନୀୟ ଭୂମିକା ରହିଥିଲା ବୋଲି ଅତିଥିମାନେ ଏଠାରେ ମତପ୍ରକାଶ କରିଥିଲେ ।

ଏଥିରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ଉଚ୍ଚ ମାଧ୍ୟମିକ ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାଶ କହିଲେ ଯେ, ଇନ୍ଦିରା ଗାନ୍ଧୀ ଦେଶର ଏକତା, ସଂହତି ଓ ସାର୍ବଭୌମତ୍ୱ ପାଇଁ ଜୀବନବ୍ୟାପୀ କାର୍ଯ୍ୟକରି ଶେଷରେ ହିଂସାର ଶିକାର ହୋଇ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ପ୍ରାଣବଳୀ ଦେଇଥିଲେ ।

ଏଣୁ ହିଂସା ପରିହାର କରି ମାନବୀୟ ମୂଲ୍ୟବୋଧ ରଖି ଉତ୍ତମ କାର୍ଯ୍ୟ ସଂପାଦନ କରି ଦେଶ ଓ ରାଜ୍ୟ ପାଇଁ ଗର୍ବର କାରଣ ହେବାକୁ ସେ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବସମାଜକୁ ଆହ୍ୱାନ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଜୀବନରେ ଆଗକୁ ବଢ଼ିବା ପାଇଁ ସଂକଳ୍ପର ଆବଶ୍ୟକତା ରହିଛି ।

ଆମ ଦେଶ ବହୁ ଭାଷାଭାଷୀ ଅଞ୍ଚଳ ହୋଇଥିବା ସତ୍ତ୍ଵେ ବିବିଧତା ମଧ୍ୟରେ ଏକତା ଉପରେ ବିଶ୍ୱାସ କରିଆସିଛି ।

ସମସ୍ତଙ୍କୁ ନେଇ ଦେଶର ବିକାଶ ପଥରେ ଯାତ୍ରା କରିବା ଇନ୍ଦିରା ଗାନ୍ଧୀଙ୍କ ପାଇଁ ଆହ୍ୱାନ ଥିଲା ।

ରାମାୟଣ ଓ ମହାଭାରତର ବିଷୟବସ୍ତୁ ଉପରେ ଆଲୋକପାତ କରି ଆମ ସଂସ୍କୃତି, ଜୀବନରେ ଲୋଭ ନକରି ତ୍ୟାଗ ଉପରେ ଗୁରୁତ୍ୱ ଦେଇ ଆସିଛି ବୋଲି ସେ ପ୍ରକାଶ କରିବା ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସମୟର ସଦୁପଯୋଗ କରି ସେ ଦେଶ ଓ ଜାତିର ବିକାଶ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକାରିବାକୁ ଆହ୍ୱାନ ଦେଇଥିଲେ ।

ଅତିଥିମାନେ ସ୍ୱର୍ଗତା ଇନ୍ଦିରାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଳ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକୀ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ ପରେ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଓ ସାଥୀଙ୍କ ଦ୍ୱାରା ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।

ଏହି ସଭାରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

RELATED BY