ଗ୍ଲୋବାଲ୍ ୱାର୍ମିଂ

ନିରାକାର ଦାସ

ଅୟସରେ ବୟସ ବିତାଉଥିବା
ନିଶ୍ୱାସର ବିଶ୍ୱାସ ତୁଟାଉଥିବା
ମଣିଷମାନେ ଟିକେ ଶୁଣ !

ଧାନଗଛର ପେଣ୍ଡା ଆଉଁସିବାକୁ
ସୋରିଷ ଫୁଲର ହସ ଦେଖିବାକୁ
ନିଶ୍ୱ ସାଜିଥିବା,
ତୁଳସୀ, ମନ୍ଦାର, ଗେଣ୍ଡୁ, କନିଅର ଧାଡ଼ି
ମଲ୍ଲିଫୁଲର ବାସ୍ନା, କଦମ୍ବର ସୁଗନ୍ଧରୁ
ନାକ ଫେରାଇ ନେଉଥିବା,
ହଂସ-ହଂସରାଳୀଙ୍କ କେଳି
ବଗ-ବଗୁଲି, ଗେଣ୍ଡଳିଆଙ୍କ କାକଳୀ
କଇଁ ପୋଖରୀ, ପଦ୍ମବନର ଶୋଭାରୁ
ଆଖି ଫେରେଇ ନେଉଥିବା,
ବିଲୁଆର ହୁକେ ହୁ- କୁମ୍ଭାଟୁଆର ଡାକକୁ
କାନ ବନ୍ଦ କରୁଥିବା
ହେ ସଂପଦାନ୍ଧ ମଣିଷମାନେ ଟିକେ ଶୁଣ!

ଜମି-ଜଳରୁ ଫଳ ଖୋଜି
ମାଟି-ପବନ ସଂଗେ ବଳ କଷି
କଂକ୍ରିଟ୍-ଇଟାରେ ମାଟିକୁ ବାନ୍ଧି
ଆକାଶ-ମହାକାଶକୁ ବନ୍ଧା ପକାଇ
କାରଖାନା ଧୂଆଁରେ
ଆମ ପଞ୍ଚଭୂତକୁ ପଞ୍ଚାମୃତ କରି
ଯିଏ ଚଳୁ କଲା ବିଚ୍ ବଜାରରେ,
ତୁମେ ସେଇଠି ଭକ୍ତ ସାଜିଛ ରକ୍ତକୁ ପାଣି କରି
କେଉଁ ସ୍ୱପ୍ନ ପୂରଣ ଆଶାରେ ?
ସ୍ୱପ୍ନ ଦେଖୁଛ
ତୁମ ବଡ଼ ବଡ଼ୁଆମାନେ
ଅନ୍ଧାରରେ ନ ଆସି
ଆଲୋକରେ ଆସି ଆଲୋକରେ ଯିବେ,
ତଳ ତଳିଆମାନେ
ମାଟି-କାଦୁଅରେ ନ ଚାଲି
ଚାଲିବେ ମାର୍ବଲ ଚଟାଣରେ ।
ଖାଇବେ ଷ୍ଟିଲ୍ ଥାଳିରେ
ଶୋଇବେ ଷ୍ଟିଲ୍ ଖଟରେ
ସବୁ ଜମି-ଜଙ୍ଗଲକୁ ବଦଳେଇ ଦେବେ
ଇସ୍ପାତ୍ ନଗରୀରେ ।
ବାରମ୍ବାର ପ୍ରକୃତିର ପାହାର ଖାଉଥିବା
ସୁନା ଖଣି ଉପରେ ଠିଆ ହୋଇ
ଆହାର ମାଗୁଥିବା
ହେ ଧର୍ମାନ୍ଧ ମଣିଷମାନେ !
ଶୁଣିଲଣି-ଏମିତି ଗ୍ଲୋବାଲ  ୱାର୍ମିଂ ଜାରି ରହିଲେ
ବସ୍ ଭଳି ଆକାର ହେବ ସାପର
ଘୋଡ଼ା ହେବ ବିଲେଇ
ପିମ୍ପୁଡି କଟାସ ସାଜିବ
ବିଲେଇ ବାଘ ପାଲଟିବ
ମଣିଷ ପୁନଶ୍ଚ ମାଙ୍କଡ଼ ଜନ୍ମକୁ ଫେରିବ
ସରୀସୃପଙ୍କ ଆକାର ବଢ଼ି
ବଢ଼ି ଆକାଶ ଛୁଇଁବ ।

ନିରାକାର ଦାସ, ରେଳକୁଞ୍ଜ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର

RELATED BY

  • ସ୍ମୃତି-ଏକ ବିଚ୍ଛେଦର

    ଏ ସଂସାରରେ କାହା ସହିତ କାହାର ସଂପର୍କ ଗଠନ ହୁଏ ଓ ବିଚ୍ଛେଦ ହୋଇଯାଏ ତାହା କାହାକୁ ଆନନ୍ଦର ସୁଖ ପ୍ରଦାନ କରି ପରେ ବିରହର ଦୁଃଖରେ ଜର୍ଜରିତ କରିଥାଏ ଏବଂ ଅପ୍ରତ୍ୟାଶିତ ଭାବେ ଏପରି ଘଟିଯାଏ ତାହା କେହି...
  • ଅନୁଭୂତି – ଏକ ନୂତନ ସ୍ୱାଦର

    କେତେବେଳେ ଦୁଃଖ ଆସେ, କେତେବେଳେ ସୁଖ ଆସେ, ଏହି ସବୁ ଅନୁଭୂତି ମନୁଷ୍ୟ ଜୀବନରେ ବାରମ୍ବାର ଘଟିଥାଏ । କିନ୍ତୁ ଏପରି ଏକ ଅନୁଭୂତି ଯାହାକି ପୂର୍ବରୁ କେବେ ଅନୁଭବ କରିନଥିବେ କି କେବେ ଘଟିବ ବୋଲି ଆଶା କରିନଥିବେ,...
  • ଦ୍ୱିତୀୟ ସୋପାନ

    ଜୀବନରେ ବେଳେବେଳେ ଏପରି ଅପ୍ରତ୍ୟାଶିତ ଘଟଣା ଘଟେ, ତାହା ଆଶ୍ଚର୍ଯ୍ୟମୟ ହୋଇଥାଏ । ସୁବ୍ରତଙ୍କର ଜୀବନରେ ଏପରି ଏକ ଘଟଣା ଘଟିବ ବୋଲି ସେ କେବେ କଳ୍ପନା କରିପାରିନଥିଲେ ? କିଛି ବର୍ଷ ପୂର୍ବେ ସେ ତରୁଣୀ ସୁପ୍ରିୟାର ସଂସ୍ପର୍ଶରେ...
  • ସ୍ମୃତି ଏକ ବିଦାୟର

    ଜୀବନରେ ଅଚାନକ ଏପରି କେତେକ ଘଟଣା ଘଟିଯାଏ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ ହୋଇଥାଏ । ଭଗବାନ କେତେବେଳେ କାହାକୁ କାହା ସହିତ ପ୍ରେମ ବନ୍ଧନରେ ଆବଦ୍ଧ କରି ଓ ବିଚ୍ଛିନ୍ନ କରାଇ ଦିଅନ୍ତି ଓ ପ୍ରେମର...