ଓଡ଼ିଶାର ଅନାଲୋଚିତ ଇତିହାସକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ସମୟ ଆସିଯାଇଛି

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ଅନାଲୋଚିତ ଇତିହାସକୁ ଦିଲ୍ଲୀ ଏବଂ ବିଶ୍ୱ ଦରବାରରେ ପହଞ୍ଚାଇବାର ସମୟ ଆସିଯାଇଛି ବୋଲି ସୋମବାର ‘ପରାକ୍ରମ ଦିବସ’ ଅବସରରେ ସମ୍ବଲପୁର ଠାରେ ଆଇଆଇଏମ ସମ୍ବଲପୁର ଏବଂ ଆଇସିଏଚଆର୍ ଦ୍ୱାରା ଆୟୋଜିତ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂଗୋଷ୍ଠୀ ‘ସ୍ୱାଧୀନତାର ପ୍ରେରଣା ଗାଥା’ ପରାକ୍ରମ ଦିବସ ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ଦାୟାଦମାନଙ୍କୁ ସମ୍ମାନିତ ମଧ୍ୟ କରିଥିଲେ । ସେ କହିଛନ୍ତି ଇତିହାସ ଦର୍ପଣ ସ୍ୱରୂପ । କୌଣସି ଜାତି ତା’ର ଇତିହାସକୁ ମନେ ନ ପକାଇ ଭବିଷ୍ୟତକୁ ଦେଖିପାରିବନି । ଆମକୁ ଇତିହାସକୁ ପ୍ରାଥମିକତା ଦେଇ ଗବେଷଣା ଓ ତଥ୍ୟ ଆଧାରରେ ଯୁବପିଢିଙ୍କ ପାଖରେ ସବୁ ବିଷୟ ଉପସ୍ଥାପନା କରିବାକୁ ହେବ, ଏହା ଆମ ସାମୂହିକ ଦାୟିତ୍ୱ । ପଶ୍ଚିମ ଓଡ଼ିଶାର ନବରଙ୍ଗପୁରରୁ ଆମକୋ-ସିମକୋ ଗୁଳିକାଣ୍ଡ ପର୍ଯ୍ୟନ୍ତ ଅନେକ ଅନାଲୋଚିତ ଇତିହାସ କେବଳ ଲୋକକଥାରେ ସୀମିତ । ସିପାହୀ ବିଦ୍ରୋହ ପୂର୍ବରୁ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ହେଉ କିମ୍ବା ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧୀ ବିଦ୍ରୋହ କେବଳ ଇତିହାସ ପୃଷ୍ଠାରେ ସୀମିତ । ଇତିହାସ ଲୋକକଥାରେ ଆଗକୁ ବଢେ କିନ୍ତୁ ପ୍ରମାଣିତ ହୁଏ ନାହିଁ । ଆମର ଇତିହାସକୁ ସଠିକ୍ ଗବଷେଣା, ତଥ୍ୟ ଆଧାରିତ ବଳରେ ଏହାକୁ ଦିଲ୍ଲୀ ଓ ବିଶ୍ୱଦରବାରରେ ପହଞ୍ଚାଇବା ଦରକାର । ଭାରତ ବିବିଧତାର ଦେଶ । ଆମର ବିବିଧତାରେ ହିଁ ଏକତା ଅନ୍ତର୍ନିହିତ । ଆମକୁ ଆମର ପରମ୍ପରା ଓ ଇତିହାସକୁ ନେଇ ଗର୍ବ କରିବାକୁ ହେବ । ଆମେ ଦେଶ ସ୍ୱାଧୀନତାର ୭୫ ବର୍ଷ ଅବସରରେ କର୍ତ୍ତବ୍ୟ ପରାୟଣ ହେବା । ଆମର ଗୌରବମୟ ଇତିହାସକୁ ଆନୁଷ୍ଠାନିକ ଢାଞ୍ଚାରେ ଆଣିବା ପାଇଁ ହେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏହି ସବୁ ବିଷୟକୁ ଏନସିଇଆରଟି ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଏନସିଇଆରଟି ପାଠ୍ୟପୁସ୍ତକରେ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବୀରତ୍ୱଙ୍କ ଜୀବନୀ ଓ ସଂଘର୍ଷର କାହାଣୀ ସ୍ଥାନ ଦେବା ପାଇଁ କାର୍ଯ୍ୟ ହେଉଛି । ଭାରତର ମୁକ୍ତି ସଂଗ୍ରାମକୁ ପଶ୍ଚିମ ଓଡ଼ିଶାର ଅନବଦ୍ୟ ଅବଦାନ ଅତୁଳନୀୟ । ବରପୁତ୍ର ଓ ଶୌର୍ଯ୍ୟର ପ୍ରତୀକ ବୀର ସୁରେନ୍ଦ୍ର ସାଏ ସୁରେନ୍ଦ୍ର ସାଏ ଥିଲେ ଜଣେ ଦୁର୍ଦ୍ଦଷ ଯୋଦ୍ଧା ଓ ବିଚକ୍ଷଣ ବିପ୍ଳବୀ । ତାଙ୍କର ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ । ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଧରାଶାୟୀ କରିବାରେ ତାଙ୍କର ଅଭୂତପୂର୍ବ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ସବୁ ଦିନ ପାଇଁ ଯୁବପିଢିଙ୍କୁ ଅନୁପ୍ରାଣିତ କରିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଭଳି ବରପୁତ୍ରଙ୍କ ବୀରଗାଥାକୁ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଉଛି । ଓଡ଼ିଆ ଲୋକମାନେ ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ହୋଇପାରିନାହିଁ । ବୌଦ୍ଧିକ କ୍ଷମତାରେ ଓଡ଼ିଆ ଲୋକମାନେ ତାଙ୍କର ପରାକାଷ୍ଠା ଦେଖାଇଛନ୍ତି । ଆଇଆଇଏମ ସମ୍ବଲପୁର ଏକବିଂଶ ଶତାବ୍ଦୀରେ ଭୌତିକ ସମ୍ପନ୍ନତା ପାଇଁ ମ୍ୟାନେଜିଂ ସ୍କିଲ୍ସ ଉପରେ ପାଠ ପଢାଇବା ସହ ସମ୍ବଲପୁର ବସ୍ତ୍ରର ବିକାଶ ସହ ଯୁବପିଢିଙ୍କୁ ନିଯୁକ୍ତିଦାତା ହେବା ଦିଗରେ ଦାୟିତ୍ୱ ନେବା ପାଇଁ ହେବ । ଆଞ୍ଚଳିକ ଇତିହାସକୁ ଗର୍ବ କରିବା ଭଳି ଉତ୍ତମ ବାତାବରଣ ତିଆରି କରିବାକୁ ପଡିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୋମବାର ଦିନ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ଅବସରରେ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସମେତ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିହାରୀରାମ ତନ୍ତି, ଜାମ୍ବବତୀ ଦେବୀ, ଚିନ୍ତାମଣି ପୂଜାରୀ, ଲକ୍ଷ୍ମୀ ନାରାୟଣ ମିଶ୍ର, ଶହୀଦ କରୁଣାକର ସିଂହ, ଗଣେଶ ଉପାଧ୍ୟାୟ ଓ ତୁଳସୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ ଆୟୋଜିତ ‘ପଦଯାତ୍ରା’ରେ ସାଧାରଣ ଜନତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ । ଏହି ମହାନ ସଂଗ୍ରାମୀଙ୍କ ଦାୟାଦଙ୍କୁ ଭେଟିବା ସହ ଗୁରୁଜନ ମାନଙ୍କୁ ଭେଟି ଆଲୋଚନା କରିଥିଲେ ଶ୍ରୀ ପ୍ରଧାନ । ପରାକ୍ରମ ଦିବସ ଅବସରରେ ଆଇଆଇଏମ ଏବଂ ଆଇସିଏଚଆର ଦ୍ୱାରା ଆୟୋଜିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଂଗ୍ରାମୀ ମାନଙ୍କ ଫଟୋ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ସ୍କୁଲରେ ‘ଏଗଜାମ ଓ୍ୱାରିୟର୍ସ’ କଥାବସ୍ତୁ ଉପରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କର କଳା ପ୍ରତିଭା ଦେଖି ଖୁସିବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ “ଏଗଜାମ ୱାରିୟର୍ସ” ପ୍ରଦାନ କରିଥିଲେ । ଏହି ପୁସ୍ତକକୁ ପଢି ଛାତ୍ରଛାତ୍ରୀମାନଙ୍କ ଆତ୍ମବିଶ୍ୱାସ ବଢିବ । ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *