ବିଦେଶୀଙ୍କ ହାତମୁଠାରେ ଆମେ

ଇଂରେଜ ଶାସନ ଦ୍ୱାରା ନିର୍ଯ୍ୟାତିତ ଏବଂ ନିଷ୍ପେଷିତ ଭାରତ ସ୍ୱାଧୀନତା ପ୍ରାପ୍ତ ହେଲା ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖରେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମେ ଗର୍ବର ସହ ସ୍ୱାଧୀନତା ଦିବସ ପାଳନ କରିବା ସହ ସ୍ୱାଧୀନତା ପ୍ରାପ୍ତି ପାଇଁ ଲଢ଼ିଥିବା ଯୋଗ୍ୟ ସନ୍ତାନ ମାନଙ୍କର ଯଶ ଗାନ କରିଥାଉଁ । ଜାତୀୟ ଦିବସ ଭାବେ ଦେଶ ଓ ରାଜ୍ୟର କୋଣ ଅନୁକୋଣରେ ମହାଆଡ଼ମ୍ବରରେ ମଧ୍ୟ ପାଳନ କରି ଥାଉଁ । ମାତ୍ର ଗୋଟିଏ ମୁହୁର୍ତ୍ତ ପାଇଁ ଦେଶର ସାଂପ୍ରତିକ ପରିସ୍ଥିତି ଚିନ୍ତା କରିବା ତ ଦୂରର କଥା କେବଳ ପୁଳାଏ ପ୍ରତିଶୃତିି ଦେଇଥାଉଁ । ଦେଶର ବର୍ଦ୍ଧିତ ଜନସଂଖ୍ୟା, ଦରଦାମ ବୃଦ୍ଧି, ଅସ୍ଥିରତା, ଦୁର୍ନୀତି, ବେକାରୀ ସମସ୍ୟା ଉତ୍କଟ ରୂପ ଦେଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରୁଥିବା ବେଳେ ସ୍ୱାଧୀନତାର ୭୮ ବର୍ଷ ପରେ ବି ଗ୍ରାମାଞ୍ଚଳ ଜନସାଧାରଣ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରସୂତୀ ମହିଳା ଖଟରେ ବୁହା ହୋଇ ଯିବା,ଶବକୁ କାନ୍ଧ ନମିଳିବା, ସ୍କୁଲ, କଲେଜ୍‌ରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହେବା ଏହାର ଜ୍ୱଳନ୍ତ ଉଦାହରଣ । ସ୍ୱାଧୀନତା ପରେ ଜାତିଜାତି ଭିତରେ ବିଭେଦ, ଧର୍ମ ଧର୍ମ ଭିତରେ ସଂଘର୍ଷ,ଅସହିଷ୍ଣୁତା, ଭଣ୍ଡ ଏବଂ ଠକଙ୍କ ସଂଖ୍ୟା ବୃଦ୍ଧି ହୋଇଛି ଏବଂ ୯୬ ଭାଗ ଲୋକଙ୍କୁ ଲୋଭ ଗ୍ରାସ କରିଛି । ଉତ୍କଟ ବେକାରୀ ଓ ଗରିବି ସମସ୍ୟା ଦେଶର ମାନଦଣ୍ଡକୁ ଦୁର୍ବଳ କରି ଦେଇଛି, ଭାରତର ଋଣ ଭାର ବୃଦ୍ଧି ହେବାରେ ଲାଗିଛି । ଟୋପାଏ ବିଶୁଦ୍ଧ ପାନୀୟ ଜଳ ଓ ମୁଠାଏ ଭାତ କିମ୍ବା ଖଣ୍ଡିଏ ରୁଟି ପାଇଁ ଜୀବନ ସଂଗ୍ରାମ ଯେଉଁ ଦେଶର ମୁଖ୍ୟ ସମସ୍ୟା, ସେଠାରେ ଆମ ନେତା ମାନେ ପ୍ରଗତିର ଭାଷଣ ଶୁଣାନ୍ତି । ପରୋକ୍ଷରେ ନିର୍ମଳ ଶାସନର ଡିଣ୍ଡିମ ବଜାଇବାରେ ବ୍ୟସ୍ତ । ଗୋଟିଏ ପାଖରେ ନେତା, ସରକାରୀ ଅଫିସର ବଡ଼ ବଡ଼ ବେପାରୀମାନେ କୋଟି କୋଟି ଟଙ୍କା ଦେଶ ଓ ବିଦେଶ ବ୍ୟାଙ୍କରେ ଗଚ୍ଛିତ କରିବାକୁ ଲାଗିଥିବା ବେଳେ, ଅନ୍ୟ ପକ୍ଷରେ ସାଧାରଣ ନାଗରିକ ମୁଠାଏ ଖାଦ୍ୟ, ଟୋପାଏ ପାଣି ପାଇଁ ଜୀବନକୁ ବାଜି ଲଗାଉଛି । ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ରର ଦ୍ୱାହି ଦେଇ ଗୁଡ଼ାଏ ପ୍ରାଦେଶିକ ରାଜନୈତିକ ଦଳ ସୃଷ୍ଟି କରି ସ୍ୱାର୍ଥ ହାସଲ ପାଇଁ ଲାଗିପଡ଼ିଛନ୍ତି । ଯିଏ ଯେଉଁଠି ଯେତେବେଳେ ପାରିଲା ଦଳେ ଲୋକଙ୍କୁ ମତାମତି କରି ଅସ୍ଥିରତା ସୃଷ୍ଟି କରୁଛନ୍ତି । କିନ୍ତୁ ବିଦେଶରେ ନାମ କରିବା ଭଲି ଅନୁଷ୍ଠାନଟିଏ କିମ୍ବା ସ୍ୱଦେଶୀ ନିତିରେ କୌଣସି କାର୍ଯ୍ୟକ୍ରମ ହୋଇପାରୁ ନାହିଁ । ଆଜି ଜନ୍ମ ନେଉଥିବା ଶିଶୁ ହଜାର ହଜାର ଟଙ୍କା ଋଣ ନେଇ ଜନ୍ମ ନେଉଛି । ଅନ୍ୟ ପକ୍ଷରେ ବେଆଇନ କାର୍ଯ୍ୟକଳାପ କରି ନେତୃତ୍ୱର ପ୍ରକୃତ ପାରଦର୍ଶିତା ବୋଲି ଆମ ନେତା ଓ ସ୍ୱାର୍ଥବାଦୀ ଗୋଷ୍ଠି ଆତ୍ମ ପ୍ରଚାର କରୁଛନ୍ତି । ପ୍ରତ୍ୟେକ ରାଜନୀତି ଦଳରେ ଅପରାଧୀ,ଅସାମାଜିକ ଏବଂ ଦୁର୍ନୀତି ବ୍ୟକ୍ତିଙ୍କ ସଂଖ୍ୟା ସ୍ୱାଧୀନତା ପରେ ବହୁ ମାତ୍ରାରେ ବୃଦ୍ଧି ହୋଇଛି । ଯେଉଁ ବିଦେଶୀକୁ ଆମେ ବିଦାୟ ଦେଇଥିଲୁ ସେହି ବିଦେଶୀଙ୍କୁ ବ୍ୟବସାୟ, ବିଦେଶୀ ପୁଞ୍ଜିରେ ଦେଶ ଚଳାଇବା, ସେମାନଙ୍କୁ ଠାରୁ ଶତପ୍ରତିଶତ ଅନୁକରଣ କରିବା ଏବଂ ଦେଶର ସମ୍ପତ୍ତିକୁ ହଡ଼ପ କରିବାପରି ସୁଯୋଗ ଦେଉଛୁ । ଏହି ସବୁ ଦେଖିଲେ ଆଜି ବି ଆମେ ବିଦେଶୀଙ୍କ ହାତମୁଠାରେ । ସ୍ୱଦେଶୀ କିମ୍ବା ସ୍ୱାଧୀନତାରେ ଆମେ ନାହୁଁ । ଆମେ ବ୍ୟବହାର କରୁଥିବା ମୋବାଇଲ୍‌ର ସଫ୍ଟ୍ଟୱେୟର ବିଦେଶୀ ତଥା ଆମେରିକା ହାତରେ ଅଛି । ଏଇଥିରୁ ଜାଣିବା କଥା ଆମେ ଉନ୍ନତ କି ଅନୁନ୍ନତ ।  ସମୀର,ଓଡ଼ିଶା ନ୍ୟୁଜ୍