ଏ ମିଛମାୟା ସଂସାରରେ
ଆମ ମନ ଭିତରେ ଲୋଭ, ମାୟା, ମୋହ,
ଗର୍ବ, ଆଉ ଅହଂକାର ଚରି ଯାଇଛି
ସମଗ୍ର ମଣିଷର ହୃଦୟତନ୍ତ୍ରକୁ ତଥାପି
ଆମ ମନ ଭିତରେ ଦ୍ଵନ୍ଦ ଏବଂ ଆଶଙ୍କା ।
ତୋର ମୋର ଭାଗ କେତେ,
ତୁ କ’ଣ ପାଇଲୁ, ମୁଁ କ’ଣ ପାଇଲି
ଅନ୍ଧ ବାଡ଼ି ହଜାଇଲା ପରି ଆମ ଆଖିରେ
ବହଳ ବହଳ ପରଳ
ସଂସାରର ନାଆକୁ ପେଲି ନେଉଥିବା ନାଆର ନାଉରୀ ତୁ
ଆମେ ତ ନିମିତ୍ତ ମାତ୍ର
ନା ଅଛି ଥଳ – ନା ଅଛି କୂଳ
ଭବସାଗରରେ ଭାସୁଛି ମୁଁ ଏକା
ପାରି ହେବା ପାଇଁ ସେ ଭବସାଗର
କିନ୍ତୁ ମନରେ ଅଛି ମୋ ଶତ ସିଂହର ବଳ
କାରଣ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ
ତାଙ୍କ ସଙ୍ଗେ ରହିଛି ମୋର ଅତୁଟ ଭାବବନ୍ଧନ
ସେ ବଡ଼ ଦାଣ୍ଡରେ ମଥା ପାତି ଦେଲେ
କୋଳେଇ ନିଏ ସେ ମହାଆନନ୍ଦରେ
ମିଳିଯାଏ ମୋତେ ସମସ୍ତ ସୁଖ
ଜୀବନର ଗତିପଥରେ କେତେ ଯେ ପରୀକ୍ଷା
କେତେ ଯେ ନିରୀକ୍ଷା ସବୁଥିରେ ତୁମେ ପରୀକ୍ଷକ
ହେଲେ ମୋ ମନରେ ଆତ୍ମୀୟସନ୍ତୋଷ
ତୁମରି ଆଶ୍ରାରେ ଜୀବନ କଟୁଛି
ସମର୍ପିତ ପ୍ରାଣ ମୋର ସବୁ କଥାକୁ ମୁଁ
ଭୁଲିଯାଇ ଧରି ବସିଛି ଚକାନୟନକୁ
ତୁମେ ହିଁ ଅତୀତ ତୁମେ ହିଁ ମୋ
ଜୀବନର ଭବିଷ୍ୟତ ଆଉ ବର୍ତ୍ତମାନ
ଏ ଜାତି ପ୍ରାଣର ତୁମେ ସ୍ୱାଭିମାନ
ତୁମେ ପୁଣି କର୍ମଧାର ସମର୍ପଣ ଭାବ
ନ ଦେଖିବା ଯାଏ କେତେ ଯେ ପରୀକ୍ଷା କର
ଚିନ୍ତା ଓ ଚେତନାରେ ମନପ୍ରାଣରେ
ଖାଲି ଦୁଃଖ ଆଉ ହାହାକାର
ତୁମେ ପ୍ରଭୁ ମୋ ଆଶା ଓ ଭରସା
ବିଶ୍ୱାସର ଗନ୍ତାଘର
ତୁମରି ଆଶିଷ ସଦା ରହିଥାଉ
ଜୀବନର ରଥ ଗଡ଼ି ଚାଲିଥାଉ
ତୁମେ ମୋ କଳାଠାକୁର
ଭାବ ଓ ଭକ୍ତିର ପୁଣ୍ୟ ପାରାବାର
ତୁମେ ମହାବାହୁ ତୁମରି ଦୟାରେ
ଶୟନେ ସପନେ ଅବା ଜାଗରଣେ
ସମର୍ପଣ ଭାବ ଫୁଟି ଉଠୁଥାଇ
ଏତିକି ମୀନତି ମୋର
ତୋ ପାଖେ ପଶିଛି ଶରଣ
ତୁମ ବିନା ମୋତେ ଦୁନିଆଟା ଲାଗେ
ଘମାଘୋଟ ଅନ୍ଧକାର ।
ଦାଶରଥୀ ଶତପଥୀ, ଅବସରପ୍ରାପ୍ତ ଭା.ପ୍ର.ସେ., ପ୍ରାକ୍ତନ ସଚିବ ଓଡ଼ିଶା ବିଧାନସଭା, ଭ୍ରାମ୍ୟଭାଷ- ୯୩୩୭୪୪୯୩୭୩