
ଭୁବନେଶ୍ୱର : ହିମାଚଳ ପ୍ରଦେଶର ୬,୧୧୧ ମିଟର ଉଚ୍ଚ ମାଉଣ୍ଟ ୟୁନାମ ଶୃଙ୍ଗ ସଫଳତାର ସହ ଆରୋହଣ କରିଥିବା ଓଡ଼ିଶାର ମହିଳା ପର୍ବତାରୋହୀ ଦଳ ସୋମବାର ଦିନ ଲୋକ ଭବନରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ଦଳର ସଫଳତା ପାଇଁ ସମସ୍ତ ସଦସ୍ୟଙ୍କୁ ରାଜ୍ୟପାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଅଭିଯାନ ସମୟରେ ସେମାନେ ସାମ୍ନା କରିଥିବା ଆହ୍ୱାନ ଓ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ ।
ଦଳର ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ମାଉଣ୍ଟ ୟୁନାମ ଶୃଙ୍ଗରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ୬ ଜଣଙ୍କୁ ମଝିରୁ ଫେରିବାକୁ ପଡ଼ିଥିଲା ।
ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରାଜ୍ୟପାଳ କହିବା ସହ ଏହା ଅଧିକ ମହିଳାଙ୍କୁ ପର୍ବତାରୋହଣ ଓ ଅନ୍ୟାନ୍ୟ ଦୁଃସାହସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଦଳର ସଦସ୍ୟମାନଙ୍କ ଦୃଢ଼ ସଙ୍କଳ୍ପ, ସାହସ ଓ ଉତ୍ସାହକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଏହି ଅବସରରେ ଆସୋସିଏସନ ଫର ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟିଜ୍ (AASA)ର ଉପସଭାପତି ଶ୍ରୀ ହରେଶ କୁମାର ମିଶ୍ର ଏବଂ ସଂଘର ସମ୍ପାଦକ ତଥା ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ ।
