ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ; ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କରେ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ନୂଆଦିଲ୍ଲୀଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଛି ।
ଏହି ସାକ୍ଷାତକାର ସମୟରେ, ଆସନ୍ତା ୨୮ ଅଗଷ୍ଟ ୨୦୨୬ (ରାଖୀ ପୂର୍ଣ୍ଣିମା) ଅବସରରେ ନୟାଗଡ଼ଠାରୁ ପ୍ରଦାନ କରାଯିବାକୁ ଥିବା ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ପ୍ରସ୍ତୁତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ଏହି ପଞ୍ଚମ କିସ୍ତି ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (DBT) ଜରିଆରେ ୫,୦୦୦ ଟଙ୍କା ଲେଖାଏଁ ପାଇବେ । ସାମ୍ପ୍ରତିକ ପ୍ରସ୍ତୁତି ଅନୁଯାୟୀ, ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀ ଏହି କିସ୍ତି ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି, ଯାହା ପାଇଁ ମୋଟ ୫,୧୬୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ଏବଂ ସୁରୁଖୁରୁରେ ସହାୟତା ରାଶି ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀମତୀ ପରିଡ଼ା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ବିଶେଷ କରି ହିତାଧିକାରୀଙ୍କ ଯାଞ୍ଚ, ଇ-କେୱାଇସି (e-KYC), ଆଧାର-ସଂଯୋଗୀକୃତ ବ୍ୟାଙ୍କ ଆକାଉଣ୍ଟ, ଏନପିସିଆଇ (NPCI) ମ୍ୟାପିଂ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି, ଯାହାଦ୍ୱାରା ବିନା କୌଣସି ବିଳମ୍ବରେ ଆର୍ଥିକ ସହାୟତା ପହଞ୍ଚିପାରିବ ।
ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେବାରେ ଏହି ପଞ୍ଚମ କିସ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଲୋକପାତ କରିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୪ ରେ ଭୁବନେଶ୍ୱରଠାରେ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ । ଓଡ଼ିଶା ସରକାରଙ୍କର ଏହି ପ୍ରମୁଖ ମହିଳା-କେନ୍ଦ୍ରିକ ଯୋଜନାର ଲକ୍ଷ୍ୟ ହେଉଛି ୫ ବର୍ଷ ମଧ୍ୟରେ ଯୋଗ୍ୟ ମହିଳାମାନଙ୍କୁ ମୋଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା । ଏହି ରାଶି ବାର୍ଷିକ ୧୦,୦୦୦ ଟଙ୍କା ହିସାବରେ ଦୁଇଟି ସମାନ କିସ୍ତିରେ (ପ୍ରତ୍ୟେକ କିସ୍ତିରେ ୫,୦୦୦ ଟଙ୍କା) Direct Benefit Transfer (DBT) ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି ।
‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଏହି ପଞ୍ଚମ କିସ୍ତି ଅନ୍ୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ଏହା ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନକୁ ସୁଦୃଢ଼ କରିବା ସହ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସ୍ୱଚ୍ଛ ଓ କାର୍ଯ୍ୟକ୍ଷମ ଭାବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି ।