ଦୁଇ ବୁଝାମଣାପତ୍ର ସ୍ୱାକ୍ଷର ହେବ

ଭୁବନେଶ୍ୱର : ଓଡ଼ିଶାରେ ବିପର୍ଯ୍ୟୟ ବିପଦର ଆକଳନ, ତଥ୍ୟ ପରିଚାଳନା, ଡିଜିଟାଲ୍ ଭିତ୍ତିଭୂମି ଏବଂ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା) ପକ୍ଷରୁ ୟୁଏନ୍‌ଡିପି (UNDP) ଏବଂ ସିଭିକ୍‌ଡାଟାଲ୍ୟାବ୍‌ (CDL – CivicDataLab) ସହ ଆସନ୍ତା ୨ ସେପ୍ଟେମ୍ବର ୨୦୨୬ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଏହି ଦୁଇ ସହଭାଗିତା ମାଧ୍ୟମରେ ଓଡ଼ିଶାରେ ଅଧିକ ତଥ୍ୟଭିତ୍ତିକ, ପରସ୍ପର ସମନ୍ୱିତ ଏବଂ ବିପଦ-ସଚେତନ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ପଦକ୍ଷେପ ନିଆଯିବ ।

ଓସଡମା-ୟୁଏନ୍‌ଡିପି ବୁଝାମଣାପତ୍ର :
ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ହାଜାର୍ଡ, ରିସ୍କ ଆଣ୍ଡ ଭଲ୍ନେରାବିଲିଟି ଆସେସମେଣ୍ଟ (ଏଚ୍‌ଆର୍‌ଭିଏ) କରିବ ନିମନ୍ତେ ଓସଡମା ଓ ୟୁଏନ୍‌ଡିପି ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓସଡମା ପାଇଁ ଏକ ରାଜ୍ୟ-ମାଲିକାନାଧୀନ, ଜିଆଇଏସ୍‌ ସକ୍ଷମ ଏଚ୍‌ଆର୍‌ଭିଏ ପ୍ଲାଟଫର୍ମ ବିକଶିତ କରିବା । ଏହା ମାଧ୍ୟମରେ ରାଜ୍ୟରେ ବିଭିନ୍ନ ବିପଦର ତଥ୍ୟଭିତ୍ତିକ ଆକଳନ କରାଯାଇପାରିବ । ବିପଦ, ଏକ୍ସପୋଜର, ଭଲନରେବିଲିଟି ଏବଂ ସାମଗ୍ରିକ ବିପଦ ଆଶଙ୍କା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବା ସହ ବିଭିନ୍ନ ପ୍ରଶାସନିକ ସ୍ତରରେ ତଥ୍ୟଭିତ୍ତିକ ଯୋଜନା ଓ ନିଷ୍ପତ୍ତି ଗ୍ରହଣରେ ଏହା ସହାୟକ ହେବ ।

ଓସଡମା-ସିଡିଏଲ୍‌ ବୁଝାମଣାପତ୍ର :
ଏହା ଏକ ଅଣ-ଆର୍ଥିକ ବୁଝାମଣାପତ୍ର। ଓସଡମା ଓ ସିଭିକ୍‌ଡାଟାଲ୍ୟାବ୍‌ (ସିଡିଏଲ୍‌) ବା CivicDataLab ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଦ୍ୱିତୀୟ ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍‌ଆର୍‌) ବା Disaster Risk Reduction ପାଇଁ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର (ଡିପିଆଇ) ର ବିକାଶ ଓ ରୂପରେଖା ପ୍ରସ୍ତୁତ କରିବା । ଏହି ପଦକ୍ଷେପର ଉଦ୍ଦେଶ୍ୟ ଆଉ ଏକ ସ୍ୱତନ୍ତ୍ର ଡିଜିଟାଲ୍ ପ୍ଲାଟଫର୍ମ ଗଠନ କରିବା ନୁହେଁ; ବରଂ ବିପର୍ଯ୍ୟୟ ସମ୍ପର୍କିତ ତଥ୍ୟ କିପରି ସଂଗୃହୀତ, ପରିଚାଳିତ, ଆଦାନପ୍ରଦାନ, ସମନ୍ୱିତ ଏବଂ ବ୍ୟବହୃତ ହେବ, ସେଥିପାଇଁ ଏକ ସମନ୍ୱିତ ଓ ପରସ୍ପର ସଂଯୋଗକ୍ଷମ ତଥ୍ୟ ପରିବେଶ ସୃଷ୍ଟି କରିବା ।

ଏହି ଦୁଇ ପଦକ୍ଷେପର ସମନ୍ୱୟ ଓଡ଼ିଶାରେ ବିପଦ-ସଚେତନ ଶାସନ ବ୍ୟବସ୍ଥା, ଆଗୁଆ ପଦକ୍ଷେପ, ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରଶମନ ଏବଂ ସହନଶୀଳ ବିକାଶ ଯୋଜନା ପାଇଁ ଏକ ଅଧିକ ସୁଦୃଢ଼ ଭିତ୍ତି ସୃଷ୍ଟି କରିବ ।

ୟୁଏନ୍‌ଡିପି ସମ୍ପର୍କରେ :
ୟୁଏନ୍‌ଡିପି ୧୯୫୧ ମସିହାରୁ ଭାରତରେ ମାନବ ବିକାଶର ପ୍ରାୟ ସମସ୍ତ କ୍ଷେତ୍ର ସହିତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଆସୁଛି । ବିପର୍ଯ୍ୟୟ ବିପଦ ହ୍ରାସ (Disaster Risk Reduction) ଏବଂ ସମୁଦାୟଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତି (Community Based Disaster Preparedness) କ୍ଷେତ୍ରରେ ୟୁଏନ୍‌ଡିପିର ଦୀର୍ଘ ଅଭିଜ୍ଞତା ରହିଛି । ଓଡ଼ିଶା ସରକାରଙ୍କ ସହ ମଧ୍ୟ ୟୁଏନ୍‌ଡିପିର ଦୀର୍ଘଦିନର ସହଭାଗିତା ରହିଛି । ଓଡ଼ିଶାରେ ବିପର୍ଯ୍ୟୟ ପ୍ରସ୍ତୁତି, ସହନଶୀଳ ଗୃହ ନିର୍ମାଣ, ଜଳବାୟୁ ସହନଶୀଳତା, ସମୁଦାୟସ୍ତରୀୟ ଦକ୍ଷତା ବିକାଶ ଏବଂ ସ୍ଥାନୀୟସ୍ତରର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସମୁଦାୟର ସହନଶୀଳତା ବୃଦ୍ଧି ଦିଗରେ ୟୁଏନ୍‌ଡିପି ସହଯୋଗ କରିଆସିଛି । ଏଥିସହ ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍‌ (ବିଏମ୍‌ସି) ଅଞ୍ଚଳରେ ମଧ୍ୟ ୟୁଏନ୍‌ଡିପି ଏଚ୍‌ଆର୍‌ଭିଏ ଅଧ୍ୟୟନ କରିଛି । ଏହି ଅଭିଜ୍ଞତା ଓ ବିଶେଷଜ୍ଞତାକୁ ଆଧାର କରି ଓସଡମା- ୟୁଏନ୍‌ଡିପି ସହଯୋଗରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟାପକ ଏଚ୍‌ଆର୍‌ଭିଏ କାର୍ଯ୍ୟକାରୀ କରିବ ।

ସିଭିକ୍‌ଡାଟାଲ୍ୟାବ୍‌ ସମ୍ପର୍କରେ :
ସିଭିକ୍‌ଡାଟାଲ୍ୟାବ୍‌ (CivicDataLab) ହେଉଛି ଏକ ଗବେଷଣା ପ୍ରତିଷ୍ଠାନ, ଯାହା ତଥ୍ୟ ଓ ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ତଥ୍ୟଭିତ୍ତିକ ଶାସନ ବ୍ୟବସ୍ଥା ଏବଂ ଜନକଲ୍ୟାଣକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି । ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ଡିଜିଟାଲ୍ ପବ୍ଲିକ୍ ଇନ୍‌ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ସିଡିଏଲ୍‌ର ଉଲ୍ଲେଖନୀୟ ଅଭିଜ୍ଞତା ରହିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସିଡିଏଲ୍‌ କାର୍ଯ୍ୟ କରିଛି । ସେଠାରେ ଏହାର ଇଣ୍ଟେଲିଜେଣ୍ଟ ଡାଟା ସଲ୍ୟୁସନ୍‌ସ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍‌ (IDS-DRR) ବିପଦ, ଅସୁରକ୍ଷିତତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସମନ୍ୱିତ କରି ତଥ୍ୟଭିତ୍ତିକ ବିପଦ ପରିଚାଳନା ଯୋଜନା ଓ ନିଷ୍ପତ୍ତି ଗ୍ରହଣରେ ସହାୟତା କରୁଛି ।