ଓଡ଼ିଶାରେ କଳାଜିରା ଏବଂ ଉଚ୍ଚଗୁଣବତ୍ତା ସମ୍ପନ୍ନ ସ୍ୱତନ୍ତ୍ର କିସମ ଧାନର ପ୍ରସାର ପାଇଁ ‘ଇରି’ର ସହଯୋଗ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ଏବଂ ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (IRRI)ର ମୁଖ୍ୟ ବୈଜ୍ଞାନିକ ଡ. ନେସେ ଶ୍ରୀନିବାସୁଲୁ ଓ ତାଙ୍କ ପ୍ରତିନିଧି ଦଳଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଟିମ୍ରେ IRRI ଓଡ଼ିଶାର ମୁଖ୍ୟ ଡ. ମୁକୁନ୍ଦ, ବୈଜ୍ଞାନିକ ଡ. ହମିଦା, ପ୍ରକଳ୍ପ ସଂଯୋଜକ ଡ. ପ୍ରିୟବ୍ରତ ରୟ ଏବଂ କୃଷି-ବ୍ୟବସାୟ ବିଶେଷଜ୍ଞ ଶ୍ରୀ ଜ୍ଞାନଦୀପ ପାଣ୍ଡିଆ ସାମିଲ ଥିଲେ ।
ଏହି ବୈଠକରେ ଓଡ଼ିଶାର ଦେଶୀୟ ସ୍ୱତନ୍ତ୍ର କିସମ ଧାନ, ବିଶେଷ କରି ‘କଳାଜିରା’ ଧାନର ଚାଷ ବୃଦ୍ଧି, ମୂଲ୍ୟ ପ୍ରକ୍ରିୟାକରଣ ଏବଂ ବଜାର ପ୍ରସାର ପାଇଁ ନିଆଯାଉଥିବା ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଅଧୀନରେ, କଳାଜିରା ଏବଂ କମ୍ ଗ୍ଲାଇସେମିକ ଇଣ୍ଡିକେଟର (Low-GI) ଯୁକ୍ତ ଧାନର ସ୍ୱାଭାବିକ ବାସ୍ନା ଓ ଗୁଣବତ୍ତା ବଜାୟ ରଖିବା ସହ ଭଙ୍ଗା ଚାଉଳରୁ (Broken Rice) ମୂଲ୍ୟବର୍ଦ୍ଧିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ‘ଇରି’ (IRRI) ବୈଷୟିକ ସହଯୋଗ ଯୋଗାଇଦେବ ।
କଳାଜିରା ଧାନର ଚାଷ ପରିସର ବୃଦ୍ଧି ପାଇଁ ଏହାର ଉଚ୍ଚ ନୂନ୍ଯତମ ସହାୟକ ମୂଲ୍ୟ ଏବଂ ଲାଭଦାୟକ ବଜାର ଦରକୁ ଆଧାର କରି ଓଡ଼ିଶା ସରକାର ଏହାକୁ ଏକ ମଡେଲ ପ୍ରଦର୍ଶନ ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡ଼ା, ଚାଷୀମାନଙ୍କୁ ସୂକ୍ଷ୍ମ-ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ‘ଇରି’ ଆବଶ୍ୟକୀୟ ସହାୟତା ଯୋଗାଇଦେବ । ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଉଳ କଳଗୁଡ଼ିକର ସୁଦୃଢ଼ୀକରଣ ସହ ଅରୁଆ ଚାଉଳ ମିଲ୍ ୟୁନିଟ୍ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି ।
ଆଲୋଚନାରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପ୍ରଥମତଃ, IRRI ଟିମ୍ ଆଗାମୀ ଜାତୀୟସ୍ତରୀୟ କ୍ରେତା-ବିକ୍ରେତା ବ୍ୟବସାୟିକ ସମ୍ମିଳନୀ “Beyond the Bowl” ପାଇଁ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ନିମନ୍ତ୍ରଣ କରିଥିଲେ । ଦ୍ୱିତୀୟତଃ, “ଧାନ ମୂଲ୍ୟ ସଂଯୋଜନ ମାଧ୍ୟମରେ ମହିଳା ଉଦ୍ୟୋଗୀକରଣର ବିକାଶ” ପ୍ରକଳ୍ପ ଅଧୀନରେ ଫିଲିପାଇନ୍ସର ବୈଜ୍ଞାନିକଙ୍କ ସହ ଅଭିଜ୍ଞତା ଆଦାନପ୍ରଦାନ କରାଯାଇଥିଲା। ଏହାଦ୍ୱାରା ମହିଳା ଉଦ୍ୟୋଗୀମାନଙ୍କୁ ସାହାଯ୍ୟ ମିଳିବ । ଏହି ସହଯୋଗ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଧାନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
