ରାଜସ୍ୱ ସେବା ପ୍ରଦାନକୁ ମିଳିବ ନୂଆ ଗତି

ଭୁବନେଶ୍ୱର : ଦେଶର ଜମିଜମା ପ୍ରଶାସନ ବ୍ୟବସ୍ଥାକୁ ଅଧିକ ଆଧୁନିକ, ସ୍ୱଚ୍ଛ, ଦକ୍ଷ ଓ ନାଗରିକକୈନ୍ଦ୍ରିକ କରିବା ଲକ୍ଷ୍ୟରେ ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ନାଇଜେସନ୍ ପ୍ରୋଗ୍ରାମ୍ (DILRMP) ୩.୦ କାର୍ଯ୍ୟକାରୀ କରାଯିବ । DILRMP ୨.୦ ମାଧ୍ୟମରେ ଭୂମି ଅଧିକାର ରେକର୍ଡ, କ୍ୟାଡାଷ୍ଟ୍ରାଲ୍ ମାନଚିତ୍ର ବା ଭୂ-ନକ୍ସା ଓ ପଞ୍ଜୀକରଣ ବ୍ୟବସ୍ଥାର ଡିଜିଟାଲୀକରଣର ଭିତ୍ତି ସୁଦୃଢ଼ ହୋଇଥିବାବେଳେ, DILRMP ୩.୦ ଏହି ବିଭିନ୍ନ ବ୍ୟବସ୍ଥାକୁ ଏକ ବିଶ୍ୱସନୀୟ, ପରସ୍ପର ସମନ୍ୱୟକ୍ଷମ (Interoperable) ଏବଂ GIS-ସକ୍ଷମ Land Stack ମଧ୍ୟରେ ଏକୀକୃତ କରିବ ।

ଏହି କାର୍ଯ୍ୟକ୍ରମ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ମୋଟ ୫୬୫.୫୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି ।

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ DILRMP ୩.୦ର ପରିଚାଳନାଗତ ନିୟମାବଳୀ ତଥା ଗାଇଡଲାଇନର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀଗଣ ତଥା ସଚିବ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଲୋକସେବା ଭବନରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ମଧ୍ଯ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସୂଚନାନୁଯାୟୀ, ଜମିଜମା ସମ୍ବନ୍ଧୀୟ ସମସ୍ତ ସୂଚନାର ଏକୀକୃତ ଡିଜିଟାଲ୍ ଭିତ୍ତି ଭାବେ Land Stack କୁ ବିକଶିତ କରାଯିବା ସହ DILRMP ୩.୦ରେ କ୍ୟାଡାଷ୍ଟ୍ରାଲ୍ ପାର୍ସେଲ୍‌କୁ ମୂଳ spatial layer ଭାବେ ବ୍ୟବହାର କରାଯିବ । ଏଥିରେ Record of Rights (RoR), ପଞ୍ଜୀକରଣ ତଥ୍ୟ, Circle Rate, ଭୂମି ସମ୍ପର୍କିତ ପ୍ରତିବନ୍ଧକତା, ଭୂମି ବ୍ୟବହାର, Building Plan ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ତଥ୍ୟକୁ interoperable API ମାଧ୍ୟମରେ ଏକୀକୃତ କରାଯିବ । ULPIN/Bhu-Aadhaar ସମସ୍ତ ଭୂମି ପାର୍ସେଲ୍ ପାଇଁ ସାଧାରଣ ଓ ଅନନ୍ୟ ପାର୍ସେଲ୍ ପରିଚୟ ସଂଖ୍ୟା ଭାବେ କାର୍ଯ୍ୟ କରିବ ।

DILRMP ୩.୦ର ପ୍ରମୁଖ ଉଦ୍ଦେଶ୍ୟଗୁଡିକ ମଧ୍ୟରେ ଗ୍ରାମୀଣ, ଅର୍ଦ୍ଧ-ସହରାଞ୍ଚଳ ଓ ସହରାଞ୍ଚଳର ସମସ୍ତ ଭୂମି ପାର୍ସେଲ୍‌ର ସମ୍ପୂର୍ଣ୍ଣ ଡିଜିଟାଲୀକରଣ, georeferencing ଏବଂ Bhu-Aadhaar (ULPIN) ଆବଣ୍ଟନ, Spatially enabled ଓ Federated Secure API Architecture ଆଧାରିତ Land Stack ପ୍ରତିଷ୍ଠା, ସମସ୍ତ ପୁରାତନ ଭୂମି ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲୀକରଣ କରି ସେଗୁଡ଼ିକୁ ସହଜରେ ଖୋଜି ପାଇବାର ସୁବିଧା, ସୁରକ୍ଷିତ identity verification ଓ consent-based integration ମାଧ୍ୟମରେ ନାଗରିକମାନଙ୍କୁ ପ୍ରମାଣିତ ଓ ସୁରକ୍ଷିତ ଭୂମି ସେବା ପ୍ରଦାନ,End-to-end digital property transactions ପାଇଁ ପଞ୍ଜୀକରଣ ବ୍ୟବସ୍ଥାର ଆଧୁନିକୀକରଣ ଓ ଏକୀକରଣ, ରାଜସ୍ୱ ଅଦାଲତର ପ୍ରକ୍ରିୟାକୁ ସୁଦୃଢ଼ ଓ ଡିଜିଟାଲୀକରଣ କରି ମ୍ଯୁଟେସନ୍ ଓ ଭୂମି ବିବାଦ ନିଷ୍ପତ୍ତିରେ ବିଳମ୍ବ ହ୍ରାସ ଏବଂ ସ୍ୱଚ୍ଛତା ବୃଦ୍ଧି, ଭୂମି ପ୍ରଶାସନ ସହ ଜଡ଼ିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ seamless integration ପାଇଁ interoperable repositories ଓ data-exchange mechanisms ପ୍ରଣୟନ ଆଦି ବ୍ୟବସ୍ଥା ରହିଛି ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, DILRMP ୩.୦ର ଏହି ପଦକ୍ଷେପ ଦେଶର ଭୂମି ପ୍ରଶାସନକୁ ଏକ ଏକୀକୃତ, ଡିଜିଟାଲ୍, GIS-ଆଧାରିତ ଓ ନାଗରିକକୈନ୍ଦ୍ରିକ ବ୍ୟବସ୍ଥା ଭାବେ ବିକଶିତ କରିବା ସହିତ ଭୂମି ସମ୍ପର୍କିତ ସେବାରେ ଅଧିକ ପାରଦର୍ଶିତା, ତ୍ଵରିତ ସେବା ପ୍ରଦାନ, ସୁରକ୍ଷା ଓ ସୁବିଧା ସୁନିଶ୍ଚିତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଓଡ଼ିଶାରେ ଅଦ୍ୟାବଧି DILRMP ଅଧୀନରେ ପ୍ରମୁଖ ସଫଳତା ସମ୍ଵନ୍ଧରେ ସୂଚନା ଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତି, DILRMP ଅଧୀନରେ ଓଡ଼ିଶା ରାଜ୍ୟସରକାର ପୂର୍ବରୁ ନିଜର କାର୍ଯ୍ୟ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ରାଜ୍ୟର ରାଜସ୍ୱ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୧୭ ତହସିଲ୍ ମଧ୍ୟରୁ ୩୧୧ ତହସିଲରେ ଆଧୁନିକ ରେକର୍ଡ଼ ରୁମ୍ ଅବସ୍ଥାପିତ ହୋଇଛି । ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଏବଂ ଗଞ୍ଜାମ ଜିଲ୍ଲାରେ ହାଇଟେକ୍ ସର୍ଭେ ପ୍ରକ୍ରିୟାଧୀନ ଅଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୯୯ ଲକ୍ଷ ୮୬ ହଜାର ୪୮୭ ଜମି ପଟ୍ଟା (RoR)ର କମ୍ପ୍ୟୁଟରୀକରଣ ହୋଇଛି l ସେହିପରି ରାଜ୍ୟର ୫୧୮୦୨ ଗ୍ରାମରୁ ପ୍ରାୟ ୫୧୭୪୨ ଗ୍ରାମର Cadastral Maps ବା ଭୂ-ନକ୍ସା ପ୍ରସ୍ତୁତ ହୋଇଛି l ସେହିପରି ରାଜ୍ୟର ୩୨୧ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ମଧ୍ୟୟରୁ ୨୧୩ଟି SRO କମ୍ପ୍ୟୁଟରୀକରଣ ହୋଇଛି । ୨୦୨୫ ମସିହାରେ ନୂତନ କରି ପ୍ରତିଷ୍ଠା ହୋଇଥିବା ୧୦୮ ପଞ୍ଜୀକରଣ କାର୍ଯ୍ୟାଳୟ ମଧ୍ଯ ଖୁବ୍ ଶୀଘ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ହେବା ନିମନ୍ତେ କାର୍ଯ୍ୟ କରାଯାଉଛି ।

ସେହିପରି ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ଗୋଠପାଟଣାସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ROTI) ପରିସରରେ DILRMP ସେଲ୍ ମଧ୍ଯ ଅବସ୍ଥାପିତ ହୋଇଛି ।

କ୍ୟାସଲେସ୍ ଏବଂ ପେପରଲେସ୍ ପଞ୍ଜୀକରଣ ବ୍ୟବସ୍ଥା, ଅତ୍ୟାଧୁନିକ ନିରୀକ୍ଷଣ ଜ୍ଞାନକୌଶଳ ଆଦି ଦ୍ଵାରା ରାଜସ୍ୱ ବ୍ୟବସ୍ଥାକୁ ସ୍ଵଚ୍ଛ, ପାରଦର୍ଶୀ ଏବଂ ଲୋକାଭିମୁଖୀ କରିବା ଦିଗରେ ରାଜସ୍ୱ ବିଭାଗ ନିରନ୍ତର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ।