ସେପ୍ଟେମ୍ବର ୧୭ରେ ସାରା ଓଡ଼ିଶାରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ୱାନ
ଭୁବନେଶ୍ୱର : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି । ସେବା, କୃତଜ୍ଞତା ଏବଂ ମହିଳା ସଶକ୍ତୀକରଣର ପ୍ରତୀକ ସ୍ୱରୂପ ଏହି ଦୀପ ପ୍ରଜ୍ୱଳନ କରାଯିବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥିରେ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (SHG), କ୍ଲଷ୍ଟର ସ୍ତରୀୟ ମହାସଂଘ (CLF), ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ (GPLAF), ବ୍ଲକ ଓ ଜିଲ୍ଲା ସ୍ତରୀୟ ମହାସଂଘ, ଲକ୍ଷପତି ଦିଦି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀଗୁଡ଼ିକୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ।
ଏହି ବୈଠକରେ ମିଶନ ଶକ୍ତି ବିଭାଗର ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ ଏବଂ ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା ଡ. ମୋନିକା ବାନାର୍ଜୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ (CDO), ବ୍ଲକ ଉନ୍ନୟନ ଅଧିକାରୀ (BDO), ସି.ଏଲ୍.ଏଫ୍., ଜି.ପି.ଏଲ୍.ଏ.ଏଫ୍. ପ୍ରତିନିଧି ଏବଂ ଏସ୍.ଏଚ୍.ଜି. ସଦସ୍ୟାମାନେ ଆଭାସୀ ମାଧ୍ୟମରେ ଏଥିରେ ଯୋଗଦେଇଥିଲେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଯଦି ପ୍ରତ୍ୟେକ ମହିଳା ହିତାଧିକାରୀ ‘ବିକଶିତ ଭାରତ ୨୦୪୭’ ଏବଂ ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଓ କୃତଜ୍ଞତାର ପ୍ରତୀକ ଭାବେ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ୱଳନ କରିବେ, ତେବେ ସାରା ରାଜ୍ୟ ମହିଳା ସଶକ୍ତୀକରଣର ଆଲୋକରେ ଆଲୋକିତ ହୋଇଉଠିବ । ପ୍ରତିଟି ଦୀପ ଆମ ନାରୀଶକ୍ତିର ସାମର୍ଥ୍ୟ, ସ୍ୱାଭିମାନ, ଆଶା-ଆକାଂକ୍ଷା ଏବଂ ରାଜ୍ୟ ଓ ଦେଶର ବିକାଶରେ ସେମାନଙ୍କ ଯୋଗଦାନକୁ ପ୍ରତିଫଳିତ କରିବ ।”
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭, ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଅଂଶବିଶେଷ ଭାବେ ଏହି ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।