ଓଡ଼ିଶାକୁ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଇ ଚଳିତ କେନ୍ଦ୍ର ବଜେଟରେ ରେକର୍ଡସଂଖ୍ୟକ ଅନୁଦାନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ ‘ପୂର୍ବୋଦୟ ମିଶନ’ରେ ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ମୋଦି ସରକାରରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ଦାବି ଠାରୁ ଅଧିକ ଅର୍ଥ ମିଳିଛି । ଏହି ଅନୁଦାନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବ । ଓଡିଶାରେ ୩୭ଟି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୫୬୪ କୋଟି, ୪,୬୪୩ କିମି ରେଳ ଲାଇନର ଦହୋରୀକରଣ ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ ରେଳ ସଂଯୋଗକୁ ସୁଗମ କରିବା ସହ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ଅର୍ଥନୀତିକୁ ସଶକ୍ତ କରିବ । ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ର ବଜେଟରେ ପଶ୍ଚିମ ଓଡିଶାବାସୀଙ୍କ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା ରୋଡ୍- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପାଇଁ ୧୫୯୯ କୋଟି ଅନୁଦାନ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବ । ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି, ଅନୁଗୋଳ- ସୁକିନ୍ଦା ରୋଡ ପାଇଁ ୨୦୦ କୋଟି ଅନୁଦାନ, ତାଳଚେର- ଅନୁଗୋଳ ନୂଆ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ସ୍ବାଗତଯୋଗ୍ୟ ।ଲିଙ୍ଗରାଜ ରୋଡ ଷ୍ଟେସନରୁ ପୁରୀ ପର୍ଯ୍ୟନ୍ତ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ ଏବଂ ଭୁବନେଶ୍ଵର, ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ସମେତ ୫୭ଟି ଷ୍ଟେସନର ନବୀକରଣ ଓ କେବିକେ ଏବଂ ଆକାଂକ୍ଷୀ ଜିଲ୍ଲାରେ ରେଳ ଭିତ୍ତିଭୂମିକୁ ପ୍ରାଧାନ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର କଳ୍ପନାକୁ ସାକାର କରିବ । ନୂଆ ଜନ ଜାତୀୟ ଗୌରବ କୋରିଡର, ଏନର୍ଜି କୋରିଡର, ନୂତନ ବନ୍ଦର ସଂଯୋଗ ପାଇଁ ରେଳ ଭିତ୍ତିଭୂମି ଏବଂ ଓ୍ୱାନ ଷ୍ଟେସନ- ଓ୍ୱାନ ପ୍ରଡକ୍ଟ ପାଇଁ ଓଡ଼ିଶାର ୨୮ଟି ଷ୍ଟେସନ ଚିହ୍ନଟ କରିବା ପାଇଁ ହୋଇଥିବା ଅଭିନବ ଯୋଜନା ଦ୍ୱାରା ରାଜ୍ୟର ଜନସାଧାରଣ ବିଶେଷ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *