“ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି”

ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜୀବ ଭବନ ସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଶ୍ରୀ ସୁରେଶ ପୂଜାରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆଗାମୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ କହିଛନ୍ତି ଯେ,ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି, ଭୟଭୀତ ନ ହୋଇ ସଚେତନ ରହିବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି ।
ଆଗାମୀ ବାତ୍ୟା ‘ମୁରାସୁ’ ଗଭୀର (ଅବପାତ) ହୋଇ ବଙ୍ଗୋପସାଗରରେ ନେଲୋର ଠାରୁ ୧୬୦ କିମି, ତାମିଲନାଡୁର ଚେନ୍ନାଇ ଠାରୁ ୧୮୦ କିମି, କାଭେଲିରୁ ୧୮୦ କିମି, ଓଙ୍ଗୋଲରୁ ୨୧୦ କିମି ଏବଂ ମଛଲିପାଟନମରୁ ୨୪୦ କିମି ଦୂରରେ ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୧୦ କିମି ପ୍ରତି ଘଣ୍ଟା ରହିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ପୁରୀ ଭଳି ଉପକୂଳ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ମୋଟ ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨,୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି. ସେହିପରି ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡର ଲୋକମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ପ୍ରଭାବିତ ଜନସଂଖ୍ୟା: ସମୁଦାୟ ୨,୧୦,୯୨୦ ଜଣ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି । ସ୍ଥାନାନ୍ତରଣ: ସୁରକ୍ଷା ଦୃଷ୍ଟିରୁ ୧,୪୧,୭୯୭ ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ,ପ୍ରଭାବିତ ଅଞ୍ଚଳରୁ ମୋଟ ୫୭୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ବିପର୍ଯ୍ୟୟରେ କନ୍ଧମାଳ ଜିଲ୍ଲା ରେ ୩ ବ୍ୟକ୍ତିଙ୍କର ଜୀବନହାନି ହୋଇଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ଯାଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରିଲିଫ୍ କ୍ୟାମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଯଥା ଚାଉଳ, ଚୁଡ଼ା, ଗୁଡ଼ ଏବଂ ଗୋ-ଖାଦ୍ୟ ବଣ୍ଟନ କରାଯାଉଛି । ଏହା ସହିତ ପ୍ରଭାବିତମାନଙ୍କୁ ୫,୪୫୮ଟି ପଲିଥିନ୍ ସିଟ୍ ମଧ୍ୟ ଯାଗାଇ ଦିଆଯାଇଛି ।

ଯୁଦ୍ଧକାଳୀନ ଭିତ୍ତିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପୁନରୁଦ୍ଧାର କାର୍ଯ୍ୟ ଚଲିଛି । ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ୨୪ ଘଣ୍ଟା (୨୪/୭) ସକ୍ରିୟ ରଖାଯାଇଛି । ରାସ୍ତାଘାଟଗୁଡ଼ିକୁ ଯାନବାହନ ଚଳାଚଳ ପାଇଁ ଉପଯୁକ୍ତ କରିବାକୁ ସମସ୍ତ କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତି ନିୟୋଜିତ କରାଯାଇଛି । ଗଞ୍ଜାମ ଜିଲ୍ଲା:କୁକୁଡାଖଣ୍ଡି ଓ ପାତ୍ରପୁର ବ୍ଲକର ୧୩ଟି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଜମିଥିବା ମାଟି ଓ ଆବର୍ଜନା ସଫା କରାଯାଇଛି ଏବଂ ଅନ୍ୟ ୮ଟି ସ୍ଥାନରେ କାର୍ଯ୍ୟ ଜାରି ରହିଛି । ଭଞ୍ଜନଗରରେ ରାସ୍ତା ଉପରେ ଭୂସ୍ଖଳନ ଜନିତ ଯେଉଁ ଗୋଟିଏ ସ୍ଥାନରେ ବାଧା ଉପୁଜିଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଛି । ୧୪ଟି ବ୍ଲକରେ ମୋଟ ୧୨୪ଟି ରାସ୍ତା ଫାଟ (Breaches) ବନ୍ଦ କରାଯାଇଥିବାବେଳେ ୪୨ଟି ସ୍ଥାନରେ କାର୍ଯ୍ୟକୁ ତ୍ୱରାନିତ କରାଯାଇଛି । ୧୪ଟି ବ୍ଲକର ୧୮୬ଟି କ୍ଷତିଗ୍ରସ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ଗଜପତି ଜିଲ୍ଲାର ୬ଟି ବ୍ଲକର ୧୯ଟି ରାସ୍ତାର ଭୂସ୍ଖଳନ ଅବସ୍ଥା ସଫା କରାଯାଇଛି । ପାଣି ମାଡ଼ିଯିବା ଯୋଗୁଁ ପ୍ରଭାବିତ ହୋଇଥିବା ୫ଟି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି । ୩ଟି ବ୍ଲକରେ ପ୍ରଭାବିତ ୧୧ଟି କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯାଇଛି । ଗୋଷାଣୀ ବ୍ଲକର ଗୋଟିଏ ରାସ୍ତାରେ ଅସ୍ଥାୟୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । କନ୍ଧମାଳ ଜିଲ୍ଲା:୩ଟି ବ୍ଲକର ୩୧ଟି ରାସ୍ତା ଫାଟ ମଧ୍ୟରୁ ୧୫ଟି ବନ୍ଦ ହୋଇସାରିଥିବାବେଳେ ୧୬ଟି ନିର୍ମାଣାଧିନ ଅଛି । ୩ଟି ବ୍ଲକର ୭ଟି କ୍ଷତିଗ୍ରସ୍ତ ରାସ୍ତାର ମରାମତି ସମ୍ପୂର୍ଣ୍ଣ ହୋଇଛି ଏବଂ ୩୧ଟି ର କାମ ଚାଲିଛି । ରାୟଗଡ଼ା ଜିଲ୍ଲା:ଗୁଣୁପୁରରେ ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ୧୫ଟି ସ୍ଥାନରେ ଜମିଥିବା ଆବର୍ଜନା ଓ ମାଟି ବାଧକକୁ ସଫା କରାଯାଇଛି ।

ଡାଏରିଆ, ମଲେରିଆ, ଡେଙ୍ଗୁ ଭଳି ରୋଗର ମୁକାବିଲା ପାଇଁ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ‘ରାପିଡ୍ ରେସପନ୍ସ ଟିମ୍’ (RRT) ଏବଂ ମୋବାଇଲ୍ ହେଲ୍ଥ ଟିମ୍ ନିୟୋଜିତ କରାଯାଇଛି । ଆସୁଥିବା ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସୁରକ୍ଷା ବାହିନୀ: ଗଞ୍ଜାମ ଜିଲ୍ଲାରେ ୩୨ଟି ଓଡ୍ରାଫ୍ (ODRAF) ଏବଂ ୩ଟି ଏନଡିଆରଏଫ୍ (NDRF) ଟିମ୍ (ମୋଟ ୩୫ଟି ଟିମ୍) ମୁତୟନ ଅଛନ୍ତି । ଗଜପତି ରେ ୯ ଟି ଓଡ଼୍ରାଫ୍ ,୧ ଟି NDRF ଏହାଛଡ଼ା ରାୟଗଡ଼ା୩ ଟି ,ଓଡ଼୍ରାଫ,୧ ଟି NDRF), କୋ ରାପୁଟ, ରେ ୩ ଟି ,୧ ଟି NDRF), ମାଲକାନଗିରି, ରେ ୩ ଟି,୧ ଟି ndrf କନ୍ଧମାଳ ରେ ୪ ଟି ଓଡ଼୍ରାଫ୍, ୨ ଟି , ଓ ନବରଙ୍ଗପୁରରେ ୩ଟି ଟିମ୍ ନିୟୋଜିତ କରାଯାଇଛି । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ପହଞ୍ଚିଛନ୍ତି । ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ଜନସାଧାରଣଙ୍କୁ ସୁରକ୍ଷିତ ରିଲିଫ୍ ସେଣ୍ଟର, ନିକଟସ୍ଥ ସ୍କୁଲ୍, କଲେଜ କିମ୍ବା ଚାଲିଯିବାକୁ ନିବେଦନ କରାଯାଇଛି । ଆଶା ଓ ଆଙ୍ଗନବାଡ଼ି କର୍ମୀମାନେ ଲୋକଙ୍କୁ ସଚେତନ କରୁଛନ୍ତି । ମନ୍ତ୍ରୀ କହିଛନ୍ତି ଯେ,ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ଦ୍ୱିତୀୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କମ୍ ପଡ଼ିବ ବୋଲି ଆଶା କରାଯାଉଛି ।