୨୬ ନଭେମ୍ବର ଭୁବନେଶ୍ବରରେ ବିଶାଳ ରାଲି ,ସମ୍ବିଧାନ ଦିବସ ଅବସରରେ ‘ସମ୍ବିଧାନ ରକ୍ଷା ଶୋଭାଯାତ୍ରା’
ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହା କଂଗ୍ରେସର ବିଗୁଲ ହେବ : ଭକ୍ତ
ଭୁବନେଶ୍ବର: ଆସନ୍ତା ୨୫ ଓ ୨୬ ନଭେମ୍ବର ରାଜ୍ୟବ୍ୟାପୀ ବାତାବରଣ କଂଗ୍ରେସମୟ ହୋଇଯିବ । ଆସନ୍ତା ୨୬ ନଭେମ୍ବର ସମ୍ବିଧାନ ଦିବସକୁ ସମଗ୍ର ଦେଶରେ ‘ସମ୍ବିଧାନ ରକ୍ଷା ଦିବସ’ ଭାବେ ପାଳନ କରିବାକୁ ଏଆଇସିସିର ନିଷ୍ପତ୍ତି କ୍ରମେ ଏହାର ଅବ୍ୟବହିତ ପୂର୍ବରୁ ୨୫ ତାରିଖ ସକାଳୁ ଓଡ଼ିଶାର ରାଜଧାନୀଠାରୁ ୧୦୦-୧୫୦ କିମି ଦୂରବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରତିଟି ପଂଚାୟତର ନେତା ଓ କର୍ମୀ ବାହାରି ରାଜଧାନୀ ଅଭିମୁଖେ ଯାତ୍ରା କରିବେ । ବାଟରେ ପଡ଼ୁଥିବା ସହର ଓ ଜନପଦଗୁଡ଼ିକରେ ସେମାନେ ଶୋଭାଯାତ୍ରା କରି ସେଦିନ ସନ୍ଧ୍ୟାରେ ନିଜନିଜ ନିର୍ଦ୍ଧାରିତ ସହରରେ ରାତ୍ରୀଯାପନ କରି ୨୬ ତାରିଖ ଭୁବନେଶ୍ବରରେ ପହଞ୍ଚି ପଦଯାତ୍ରାରେ ଯୋଗଦେବେ । ଅନ୍ୟ ପକ୍ଷରେ ରାଜଧାନୀର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକର ପ୍ରତିଟି ପଂଚାୟତରୁ ଅନ୍ୟୁନ ୫ଟି ବାଇକ୍ ରାଲି ବାହାରି ଏକସଂଗେ ଭୁବେନଶ୍ବରର ଗାନ୍ଧୀ ଓ ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ବିଶାଳ ରାଲିରେ ଆସି ଲୋୟର ପିଏମ୍ଜିରେ ଗର୍ଜିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ମଧ୍ୟାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅତି କମ୍ରେ ୧୦ ହଜାର ଲୋକଙ୍କର ଜନସମାଗମ ହେବ । ସହସ୍ରାଧିକ ସଂଖ୍ୟାରେ ଦୁଇଦିନ କାଳ ବାଇକ୍ ରାଲି ହେଉଥିବାରୁ ଉକ୍ତ ଦୁଇଦିନ ଓଡ଼ିଶା କଂଗ୍ରେସମୟ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏସ୍ଆଇଆର ରଦ୍ଦ, ଏସ୍ଆଇଆର ପରେ ହୋଇଥିବା ନିର୍ବାଚନ ରଦ୍ଦ, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଆଦି ଦାବି ସହ ଏମଏମଡିଆର ସଂଶୋଧନ ବାତିଲ, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଗଂଜାମ ଓ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବନ୍ୟାବିପନ୍ନଙ୍କୁ ତୁରନ୍ତ ସହାୟତା, କୋଟିଆ ପ୍ରସଙ୍ଗରେ ତତ୍ପରତା ଦାବିରେ ୨୫ ଓ ୨୬ ତାରିଖର ରାଲିଗୁଡ଼ିକରେ କଂଗ୍ରେସ ନେତା ଓ କର୍ମୀ ଗର୍ଜିବେ ବୋଲି ଶ୍ରୀ ଦାସ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ଏହାପରେ ଜାତି ଜନଗଣନା ପ୍ରସଙ୍ଗରେ ଗଣମାଧ଼୍ୟମକୁ ସମ୍ବୋଧନ କରି ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ରନାଥ ପ୍ରଧାନ କହିଥିଲେ, ଜାତି ଜନଗଣନା ୨୦୨୭ ମସିହାରେ ହେବାକୁ ଯାଉଛି । ୧୯୫୧ ମସିହାରେ ପ୍ରଥମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସାମାଜିକ ନ୍ୟାୟର ପଦକ୍ଷେପ କଂଗ୍ରେସ ପାର୍ଟି ଦ୍ୱାରା ନିଆଯାଇଥିଲା । ବର୍ତ୍ତମାନ ଏହାର ନେତୃତ୍ୱ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାମାଜିକ ନ୍ୟାୟର ପୁରୋଧା ଶ୍ରୀ ରାହୁଲ ଗାନ୍ଧୀ ନିଜ ହାତକୁ ନେଇଛନ୍ତି । ତେବେ କଂଗ୍ରେସ ଦ୍ୱାରା କରାଯାଇଥିବା ୨୦୧୧ ମସିହାର ସାମାଜିକ-ଆର୍ଥିକ ଜାତି ଜନଗଣନାର ଫଳାଫଳକୁ ମଧ୍ୟ ଆଜି ପର୍ଯ୍ୟନ୍ତ ମୋଦୀ ସରକାର ପ୍ରକାଶ କରିନାହାନ୍ତି । ବର୍ତ୍ତମାନର ବିଜେପି ସରକାର ଓ.ବି.ସି.ଙ୍କ ଚଳିତ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ନିରନ୍ତର ଷଡ଼ଯନ୍ତ୍ର ରଚନା କରୁଛି । ଏସ୍.ସି./ଏସ୍.ଟି.ଙ୍କ ପରି ପୃଥକ ବିକଳ୍ପ ଏବଂ ମାନକୀକୃତ କୋଡ୍ ଆଧାରିତ ବ୍ୟବସ୍ଥା ଲାଗୁ କରିବା ଆମର ମୁଖ୍ୟ ଦାବି । ବର୍ତ୍ତମାନର ବ୍ୟବସ୍ଥାରେ ଓପନ୍ କଲମ୍ ରହିବା ଦ୍ୱାରା ତଥ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ରାଜ୍ୟୱାରୀ ସରକାରୀ ଜାତି ନିର୍ଦ୍ଦେଶିକା, ପ୍ରତ୍ୟେକ ଜାତିକୁ ସ୍ୱତନ୍ତ୍ର କୋଡ୍ ପ୍ରଦାନ, ଅନୁସୂଚିତ ଜାତିର ଯାଞ୍ଚ ବ୍ୟବସ୍ଥା ଏବଂ ତଥ୍ୟ ସଂଗ୍ରହରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ଆବଶ୍ୟକ । ଜାତି ଜନଗଣନା କେବଳ ତଥ୍ୟର ବିଷୟ ନୁହେଁ, ବରଂ ଓ.ବି.ସି. ସମାଜର ପ୍ରକୃତ ପରିଚୟ, ଭାଗୀଦାରୀ ଓ ସାମାଜିକ ନ୍ୟାୟର ଆଧାର ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଓବିସି କଂଗ୍ରେସର ଓଡ଼ିଶା ପ୍ରଭାରୀ ଶ୍ରୀ ଦେବବ୍ରତ ଯାଦବ କହିଥିଲେ, ଜାତି ଜନଗଣନାରେ ବ୍ୟବହୃତ ହେଉଥିବା ଫର୍ମ କିମ୍ବା ସଫ୍ଟୱେର୍ରେ ଯେପରି SC ଓ ST ପାଇଁ ସ୍ୱତନ୍ତ୍ର କଲମ୍ କିମ୍ବା ଚୟନ କରିବାର ବିକଳ୍ପ ରହିଛି, ସେହିପରି OBC ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଚୟନ ବିକଳ୍ପ ରହିବା ଆବଶ୍ୟକ । ସେଥିରେ OBC/SEBC ଅନ୍ତର୍ଭୁକ୍ତ ସମସ୍ତ ଜାତିର ତାଲିକା ରହିବା ସହ ନିଜ ଜାତିକୁ ଚୟନ କରିବାର ସୁବିଧା ଦିଆଯାଉ । ଯେଉଁ ଜାତିଗୁଡ଼ିକ କୌଣସି ତାଲିକାରେ ସ୍ଥାନ ପାଇନାହାନ୍ତି, ସେମାନଙ୍କ ପାଇଁ ନିଜ ଜାତିର ନାମ ଲେଖିବାର ମଧ୍ୟ ବ୍ୟବସ୍ଥା ରହୁ । ଯଦି ଆରମ୍ଭରୁ ବର୍ଗ ଚୟନରେ OBC ଏବଂ ଜାତି ଚୟନରେ OBC/SEBC ଅନ୍ତର୍ଭୁକ୍ତ ଜାତିଗୁଡ଼ିକର ତାଲିକା ଦିଆନଯାଏ, ତେବେ ଏହାକୁ ସମାଜର ପଛୁଆ ବର୍ଗଙ୍କ ପ୍ରତି ମୋଦୀ ସରକାର ଓ ଓଡ଼ିଶାର ମାଝୀ ସରକାରଙ୍କ ଅବହେଳା ବୋଲି ବିବେଚନା କରାଯିବ ବୋଲି ଶ୍ରୀ ଯାଦବ କହିଥିଲେ ।
ଅଧ୍ୟକ୍ଷ, ଅରବିନ୍ଦ ଦାସଙ୍କ ସଂଯୋଜନାରେ, ଓବିସି ବିଭାଗର ସଭାପତି ସରୋଜ ପ୍ରଧାନଙ୍କ ଆବାହକତ୍ବରେ ତଥା ଶ୍ରୀ ଜେଠୀଙ୍କ ଉପସ୍ଥିତିରେ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା । ୨୦୨୭ ଜନଗଣନା ପୂର୍ବରୁ କଂଗ୍ରେସର ଦାବିଗୁଡ଼ିକ :
୧. ପ୍ରଶ୍ନ ସଂଖ୍ୟା ୧୦ରେ ସଂଶୋଧନ କରାଯାଉ ।
୨. ବର୍ଗ ଏବଂ ଜାତିକୁ ପୃଥକ୍ ପୃଥକ୍ ଭାବେ ଲିପିବଦ୍ଧ କରାଯାଉ ।
୩. ଯାଞ୍ଚ ହୋଇଥିବା ରାଜ୍ୟୱାରୀ ଜାତି ରେଜିଷ୍ଟ୍ରି ଏବଂ ସହଜରେ ଖୋଜିହେବା ଭଳି ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଉ ।
୪. ଜନଗଣନା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ସମାଜର ନାମ, ଉପଜାତି ଏବଂ ଭାଷାଗତ ରୂପଗୁଡ଼ିକୁ ଏକ ମାନକ କୋଡ୍ ସହିତ ସଂଯୁକ୍ତ କରାଯାଉ ।
୫. ଯେଉଁ ଉତ୍ତରଗୁଡ଼ିକ ପାଇଁ କୌଣସି ମାନକୀକୃତ ବିକଳ୍ପ ଉପଲବ୍ଧ ନାହିଁ, କେବଳ ସେହି କ୍ଷେତ୍ରରେ ଓପନ୍ ଟେକ୍ସଟ୍ ବ୍ୟବସ୍ଥା ରଖାଯାଉ ।
ଓଡ଼ିଶାରେ ଏଥିପାଇଁ ଏକ ଜନଆନ୍ଦୋଳନ କରାଯିବ ଏବଂ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ଓବିସି ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।