
ଭୁବନେଶ୍ୱର:ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁ କ୍ଷେତକୁ ଋଣ ପ୍ରଦାନ କରିବା ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ଦିନ ଅନୁଷ୍ଠିତ ୧୭୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବୈଠକରେ ବାର୍ଷିକ ଋଣ ଯୋଜନା, ନଗଦ ଜମା ଅନୁପାତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଆର୍ଥିକ ସାକ୍ଷରତା, ବ୍ୟାଙ୍କିଙ୍ଗ୍ ଭିତ୍ତିଭୂମି, କୃଷି, ଏମ୍ଏସ୍ଏମ୍ଇ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ସମ୍ବନ୍ଧରେ ସବିଶେଷ ଆଲୋଚନା ହୋଇଥିଲା । ଓଡ଼ିଶା ୭୮.୮୧ ଶତକଡ଼ା ନଗଦ ଜମା ହାସଲ କରି ଏକ ସୁସ୍ଥ ଅନୁପାତ ବଜାୟ ରଖିପାରିଛି । ନଗଦ ଜମା ଅନୁପାତ ପ୍ରତ୍ୟେକ ବ୍ୟାଙ୍କ ପାଇଁ ମୁଖ୍ୟ ସୂଚକ ହୋଇଥିବାବେଳେ ରାଜ୍ୟରେ ପ୍ରତି ବ୍ୟାଙ୍କର ନଗଦ ଜମା ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ହୋଇଛି । ବାର୍ଷିକ ଋଣ ଯୋଜନାରେ ୩୧ ଡିସେମ୍ବର ୨୦୨୨ ସୁଦ୍ଧା ୧୩୪୬୬୪.୮୭ କୋଟି ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଥିବାବେଳେ ବ୍ୟାଙ୍କମାନଙ୍କ ଦ୍ୱାରା ୯୭୪୦୭.୮୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୭୨.୩୩ ପ୍ରତିଶତ । ସେହିପରି କୃଷି ଋଣ କ୍ଷେତ୍ରରେ ୫୨୪୮୬ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଥିବାବେଳେ ୪୧୦୬୬ କୋଟି ଟଙ୍କାର ଋଣ ପ୍ରଦାନ କରି ବ୍ୟାଙ୍କଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟର ୭୮.୨୮ ପ୍ରତିଶତ ହାସଲ କରିଛନ୍ତି । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଶତକଡ଼ା ୭୭.୨୮ ଲକ୍ଷ୍ୟ ହାସଲ ହୋଇପାରିଛି । ବ୍ୟାଙ୍କମାନଙ୍କ ଦ୍ୱାରା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ୫୯୪୪୯.୫୧ କୋଟି ଟଙ୍କାର ଋଣ ପ୍ରଦାନର ଲକ୍ଷ୍ୟ ରଖାଯାଇଥିବାବେଳେ ୪୫୯୪୦.୫୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ୮୬୫୦ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ବ୍ୟାଙ୍କଗୁଡ଼ିକ ଦ୍ୱାରା ୭୮୬୩ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ସ୍ୱୟଂ ସହାୟକ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତ ହାସଲ ହୋଇପାରିଥିବା ଆଲୋଚନାରୁ ଜଣାପଡ଼ିଛି । ଋଣ ପରିମାଣ ବର୍ତ୍ତମାନ ୨ ଲକ୍ଷ ୮୫ ହଜାର ଟଙ୍କା ଥିବାବେଳେ ପରବର୍ତ୍ତୀ ସମୟରେ ୫-‘ଟି’ ଅଧିନରେ ଏହାକୁ ୫ ଲକ୍ଷ ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି । ସାମାଜିକ ସୁରକ୍ଷା ଯୋଜନା ଅଧିନରେ ବ୍ୟାଙ୍କଗୁଡ଼ିକ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାରେ ହିତାଧିକାରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଡିସେମ୍ବର ୨୨ ସୁଦ୍ଧା ନଗଦ ଜମା ଅନୁପାତ ଏବଂ ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଉତ୍ତମ ପ୍ରଦର୍ଶନ ପାଇଁ ଉନ୍ନୟନ କମିଶନର ସନ୍ତୋଷ ବ୍ୟକ୍ତ କରିଥିବାବେଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସ୍ଏଲ୍ବିସିର ଅଧ୍ୟକ୍ଷ ଶ୍ରୀ ଇସାକ୍ ଅଲ୍ଲୀ ଖାନ୍ ସମସ୍ତ ବ୍ୟାଙ୍କକୁ ଶୁଭେଚ୍ଛା ଜଣାଇଥିଲେ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କଗୁଡ଼ିକ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏସ୍.କେ. ବଶିଷ୍ଠ, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍, ଆର୍ବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅନୀଲ କୁମାର ଶର୍ମା, ଆର୍ବିଆଇ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍.ଏନ୍. ପଣ୍ଡା, ଏସ୍ବିଆଇର ସିଜିଏମ୍ ଶ୍ରୀ ଚନ୍ଦ୍ରଶେଖର ଶର୍ମା, ଇନ୍ଷ୍ଟିଚୁ୍ୟସନାଲ୍ ଫାଇନାନ୍ସର ନିର୍ଦ୍ଦେଶକ ପ୍ରଜ୍ଞାସ୍ମିତା ସାହୁ, ୟୁକୋ ବ୍ୟାଙ୍କର ସାଧାରଣ ପରିଚାଳକ ତଥା ଏସ୍ଏଲ୍ବିସିର ଆବାହକ ଶ୍ରୀ ଗୌତମ ପାତ୍ରଙ୍କ ସମେତ ଓଡ଼ିଶାର ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗଦେଇଥିଲେ ।