ସାହିତ୍ୟିକମାନଙ୍କର ସୃଷ୍ଟି ଦେଶ ସ୍ଥିତି ବଦଳାଇ ପାରିବ

ଭୁବନେଶ୍ୱର : ଓଡ଼ିଶାର ପୁରାତନ ସାହିତ୍ୟ ଅନୁଷ୍ଠାନ ଚଲାପଥ ଲେଖକ ସମ୍ମିଳନୀ ଓଡ଼ିଶାର ସାହିତ୍ୟ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଜିର ସମୟରେ ସାମ୍ବାଦିକତା ଓ ରାଜନିତୀ ଚାପଗ୍ରସ୍ତ ହୋଇଛି, ସତ ପ୍ରକାଶ କରିବାର ଶାଣିତ ସ୍ୱର ଶୁଭୁ ନାହିଁ, ଶସ୍ତା ଲୋକ ପ୍ରୀୟତାର ପଛରେ ଗଣମାଧ୍ୟମର ଦୌଡ ଅରୁଚିକର ହୋଇଛି । ଏଭଳି ସ୍ଥିତିରେ ସାହିତ୍ୟ ହିଁ ସମାଜର ଦର୍ପଣ ସଦୃଶ ଭାବରେ ସବୁକିଛି ପରିବର୍ତ୍ତନ କରିପାରିବ ବୋଲି ଚଲାପଥ ସାହିତ୍ୟ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସାହିତ୍ୟିକ ମାନଙ୍କର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ସରକାରଙ୍କର ନୈତିକ ଦାୟିତ୍ୱ ମଧ୍ୟ ସେତିକି ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରବାସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବର୍ତ୍ତମାନ ସଙ୍କଟରେ ଏହାର ସମାଧାନ କେବଳ ସାହିତ୍ୟିକ ମାନଙ୍କର ଉଦ୍ୟମ ଦ୍ୱାରା ସମ୍ଭବ ହୋଇ ପାରିବ । ସାହିତ୍ୟର ଅବକ୍ଷୟ ନଥାଏ, ସାହିତ୍ୟିକ ମାନଙ୍କର ସୃଷ୍ଟି ଦେଶର ସ୍ଥିତି ବଦଳାଇ ପାରିବ । ସାହିତ୍ୟ ସଦାକାଳେ କାଳଜୟୀ । ବୋଲି ପ୍ରଗତିବାଦୀର କାର୍ଯ୍ୟକାରୀ ସଂପାଦକ ବିରୁପାକ୍ଷ ତ୍ରିପାଠୀ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରି ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ଅତିଥିଭାବେ ପ୍ରେସ୍ କାଉନସିଲ ଅଫ୍‌ଇଣ୍ଡିଆର ସଦସ୍ୟ ତଥା ଏନ୍‌.ୟୁ.ଜେ.ଇଣ୍ଡିଆ ନୂଆଦିଲ୍ଲୀର ସେକ୍ରେଟାରୀ ଜେନେରାଲ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଯୋଗଦେଇ ସାହିତ୍ୟିକମାନେ ସମାଜର ଦର୍ପଣ ସଦୃଶ, ସେମାନଙ୍କର ସୃଷ୍ଟି ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଠ ଅତିଥିଭାବେ ଓଡ଼ିଶାର ବିଶିଷ୍ଟ କବିତଥା ପୂର୍ବତଟ ରେଲପଥର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ଯୋଗଦେଇ କିହିଲେ ଯେ କବି ଓ ଲେଖକ ମାନଙ୍କର ରଚନା ସଫଳ ସୃଷ୍ଟି ହେବା ଉଚିତ୍ । ଯାହାକି ଆଗାମୀ ପିଢିକୁ ଉଦ୍‌ବୁଦ୍ଧ କରିବ ଓ ତାହା ସେମାନଙ୍କର ଜ୍ଞାନ ଆରୋହଣର ଭଣ୍ଡାର ପାଲଟି ପାରିବ । ଚଲାପଥର ସଭାପତି ବରିଷ୍ଠ ଲେଖିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଇସ୍ରୋର ବୈଜ୍ଞାନିକ ତଥା ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ମୁଖ୍ୟ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. ନୃସିଂହ ଚରଣ ସାହୁ, ବରିଷ୍ଠ କବି ବିଜନ କୁମାର ବେହେରା, ପ୍ରାବନ୍ଧିକା ଡ. ବାସନ୍ତୀ ମହାନ୍ତି, ଆମେରିକା ଟୋରଣ୍ଟ ବିଦ୍ୟାପ୍ରକାଶନୀର ପ୍ରକାଶକ ତଥା ସାହିତ୍ୟିକ ଡକ୍ଟର ତନ୍ମୟ ପଣ୍ଡା ମୃତ୍ୟୁଞ୍ଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *