ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଅବସରରେ ରବିବାର ଦିନ ସକାଳେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଏହି ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପୁଷ୍ପମାଲ୍ୟ ଏବଂ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏକାଧାରରେ ଜଣେ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ , ସାମ୍ବାଦିକ, ଶିକ୍ଷାବିତ୍, ଚିନ୍ତାନାୟକ, ଜନସେବକ, ସାରସ୍ୱତ ସାଧକ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ ମହାନାୟକ,ମାନବବାଦୀ ଭାବଧାରାର ପ୍ରତୀକ ଏବଂ ଓଡିଆ ଜାତିର ଆଦର୍ଶ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଏହି ପୁଣ୍ୟାତ୍ମାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିସ୍ଥଳକୁ ପୁଷ୍ପମାଲ୍ୟରେ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେବିଧାୟକଶ୍ରୀ ଅନନ୍ତ ନାରାୟଣ ଜେନା, ପୂର୍ବତନ ସାଂସଦ ଶ୍ରୀ ତଥାଗତ ଶତପଥୀ, ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ,ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ବିଭିନ୍ନ ରାଜନୈତିକ ନେତୃବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି, ଉତ୍କଳ ସମ୍ମିଳନୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ)ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ମାନସ ରଂଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମର ପରିଚାଳନାକରିଥିଲେ ।

Leave a Reply

Your email address will not be published. Required fields are marked *