ଭୁବନେଶ୍ୱର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର ଭଗୀରଥ ଥିଲେ । ଜାତୀୟପ୍ରୀତି, ଶିକ୍ଷା ପ୍ରସାର, ସମାଜସେବା, ସାହିତ୍ୟ ଓ ସମାଜସଂସ୍କାର କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ ବୋଲି ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ସତ୍ୟବାଦୀ ଚେତନାର କର୍ଣ୍ଣଧାର ପଣ୍ଡିତ ଗୋପବନ୍ଧୁଙ୍କୁ ଏକାଧାରରେ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାବିତ୍, ଚିନ୍ତାନାୟକ, ଜନସେବକ, ସଂଗଠକ ଓ ସାରସ୍ୱତ ସାଧକ ଭାବରେ ବର୍ଣ୍ଣନା କରିଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋକୁ ଆକର୍ଷଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନ ଭାବରେ ବିକାଶିତ କରିବା ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ପଣ୍ଡିତ ଗୋପବନ୍ଧୁ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସେବା ଓ ସାହିତ୍ୟ ପାଇଁ ସେ ନମସ୍ୟ । ମାନବତାର ପୂଜାରୀ ପଣ୍ଡିତ ଗୋପବନ୍ଧୁଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ । ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିକ୍ଷାବିତ୍ ତଥା ପ୍ରାବନ୍ଧିକ ପ୍ରଫେସର ଶରତ ରଥ ପଣ୍ଡିତ ଗୋପବନ୍ଧୁଙ୍କ ସାରସ୍ୱତ ସାଧନାର ବିଶେଷତ୍ୱଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ତାଙ୍କ ଲେଖାରେ ଜାତୀୟତା, ସ୍ୱଦେଶ ଭାବନା, ସାଂସ୍କୃତିକ ଅଭ୍ୟୁଦୟ ଓ ନୈତିକ ମୂଲ୍ୟବୋଧର ବାର୍ତ୍ତା ପ୍ରତିଫଳିତ ହୋଇଛି ବୋଲି ଦର୍ଶାଇ ଜାତୀୟ ସଂସ୍କୃତିର ଅଭିବ୍ୟକ୍ତି ପ୍ରଦାନରେ ଗୋପବନ୍ଧୁଙ୍କ ପ୍ରତିବଦ୍ଧତା ରହିଥିଲା ବୋଲି ଉଲ୍ଲେଖ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ ଉତ୍ତରପିଢ଼ି ନିମନ୍ତେ ଆଲୋକବର୍ତ୍ତିକା ହୋଇ ରହିଥିବ ବୋଲି ପ୍ରକାଶ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପଣ୍ଡିତ ଗୋପବନ୍ଧୁଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଓ କଣ୍ଠଶିଳ୍ପୀ ଶ୍ରୀମତୀ ସାଗରିକା ପଟ୍ଟନାୟକ ଏବଂ ତାଙ୍କ ସାଥିମାନେ ଉତ୍କଳମଣିଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ମୁଖ୍ୟବକ୍ତା ଶ୍ରୀ ରଥଙ୍କ ଲିଖିତ ଓ ‘କାବ୍ୟଲୋକ ପ୍ରକାଶନୀ’ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଚିତ୍ର ଓ କଥାରେ ଉତ୍କଳମଣି’ ଲୋକାର୍ପିତ ହୋଇଥିଲା । ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।