କ୍ରୀଡ଼ା ହବ୍‌ ଏବଂ ଆଇଟି ପାର୍କ ପ୍ରତିଷ୍ଠା ହେବ

ପୁରୀଠାରେ

ଭୁବନେଶ୍ୱର: ଫନୀ ବାତ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ପୁରୀଠାରେ କ୍ରୀଡ଼ାହବ୍‌ ଏବଂ ଆଇଟି ପାର୍କ ପ୍ରତିଷ୍ଠା ସମେତ ବିଭିନ୍ନ ବିଷୟ ଉପରେ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପୁରୀ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂହଙ୍କ ସହ ଆଜି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ମୂଳମନ୍ତ୍ରକୁ ପାଥେୟ କରି ପୁରୀ ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନା ଓ ବିକାଶ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲେ ।
ଏହି ବୈଠକରେ ପୁରୀ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ, କୋଣାର୍କରେ ଶିଶୁ ଓ ସ୍ତ୍ରୀରୋଗ ହସ୍‌ପିଟାଲ୍‌ ନିର୍ମାଣ ସ୍ଥିତି, କୋଣାର୍କ ମିନିଷ୍ଟାଡିୟମ୍‌,କାକଟପୁରରେ ଆଇନଶୃଙ୍ଖଳା ପରିସ୍ଥିତି, ଅସ୍ତରଙ୍ଗ ଆଇ.ବି.ର ମରାମତି ଓ ପୁନର୍ନିମାଣ, କୋଣାର୍କ ଓ ଅସ୍ତରଙ୍ଗରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା, ପ୍ରନିତାତ୍ତ୍ୱିକ ସର୍ଭେ ଅଫ୍‌ ଇଣ୍ଡିଆ ସହ କୋଣାର୍କର ଜମିଜମା ସମସ୍ୟା, ଏସ୍‌ଟିପିଆଇ, ଅସ୍ତରଙ୍ଗ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଏବଂ କାକଟପୁରରେ ଡାକ୍ତରଖାନାର ସ୍ଥିତି ସଂପର୍କରେ ମନ୍ତ୍ରୀ ଶ୍ରୀ ବେହେରା ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ମନ୍ତ୍ରୀ ଶ୍ରୀ ବେହେରା ପୁରୀଠାରେ ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବା ଏବଂ ନିଜସ୍ୱ କୋଠାରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଏବଂ ପଞ୍ଚାୟତ ଆଲୋକୀକରଣ ବ୍ୟବସ୍ଥା ଖୁବ୍‌ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପାଳ ଶ୍ରୀ ସିଂହଙ୍କୁ କହିଥିଲେ । ଏହି
ବୈଠକରେ ପୁରୀ ଉପଜିଲ୍ଲାପାଳ ଭବଚରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ସ୍ୱାଇଁ, ଏସ୍‌ଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।