ଏ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ

ଭୁବନେଶ୍ୱର : ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ । ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ

ଏହି ଅବସରରେ ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ । ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ । ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀମତୀ ସନ୍ତୋଷ ବାଲା ଓ କଟକ-ଭୁବନେଶ୍ବରର ପୋଲିସ କମିଶନର ଶ୍ରୀ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।