ଦକ୍ଷିଣ କୋରିଆରେ ବାଚସ୍ପତି

ଭୁବନେଶ୍ୱର : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ତାଙ୍କର ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ ଦକ୍ଷିଣ କୋରିଆଠାରେ ପହଞ୍ଚିଥିବାବେଳେ ସେଠାକାର ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନିମୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ଅମିତ କୁମାରଙ୍କ ସହ ବାଚସ୍ପତି ଦକ୍ଷିଣ କୋରିଆର ବୃହତ ଇସ୍ପତ ନିର୍ମାଣକାରୀ କମ୍ପାନୀ ପୋସ୍କୋ ସହ ଜିନ୍ଦଲ ଷ୍ଟିଲ କମ୍ପାନୀ ମଧ୍ୟରେ ହୋଇଥିବା ବୁଝାମଣା ଚୁକ୍ତି ଓ ଓଡ଼ିଶାରେ ଇସ୍ପାତ କମ୍ପାନୀ ପ୍ରତିଷ୍ଠା, ପୁଞ୍ଜିନିବେଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସାୟିକ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରର ବିକାଶରେ ପାରସ୍ପରିକ ସହଯୋଗ ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା । ଦକ୍ଷିଣ କୋରିଆରେ ଓଡ଼ିଶୀ ନୃତ୍ୟର ପ୍ରଚାର, ପ୍ରସାର ଓ ଲୋକପି୍ରୟତା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରଦୂତ ଶ୍ରୀ ଅମିତ କୁମାର କହିଥିଲେ ଯେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଫର କଲ୍‌ଚରାଲ୍‌ ରିଲେସନ୍ସ (ଆଇସିସିଆର୍‌)
ପକ୍ଷରୁ ଦକ୍ଷିଣ କୋରିଆ ସ୍ଥିତ ଭାରତୀୟ ଦୂତାବାସଠାରେ ଆୟୋଜିତ ‘ସାର ଙ୍ଗ ’ ଉତ୍ସବକୁ ଏକ ଓଡ଼ିଶୀ ନତ୍ୟ ଦଳ ପଠାଯାଇଥିବାବେଳେ ସେମାନେ ସେଠାରେ ମୁଖ୍ୟ ସ୍ଥାନଗୁଡ଼ିକରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏଠାକାର ସ୍ଥାନୀୟ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରଠାରେ ମଧ୍ୟ ନିୟମିତ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଅଛି ବୋଲି ଶ୍ରୀ ଅମିତ କୁମାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।