ଭୁବନେଶ୍ୱର : ଡିଜିଟାଲ୍ ଗିରଫ କରିବାକୁ ଧମକ ଦେଇ ଜଣେ ବ୍ୟକ୍ତିଙ୍କ ଠାରୁ ୭୩.୬୨ ଲକ୍ଷ ଠକେଇ କରିବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସାଇବର କ୍ରାଇମ୍ ୟୁନିଟ୍ ପଶ୍ଚିମବଙ୍ଗର ହାୱଡ଼ାରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ରୋହିତ କୁମାର ଜୟସୱାଲ। ଅଭିଯୁକ୍ତ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ ସମେତ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି। ଏହାସହ ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫ୍ରିଜ୍ କରାଯାଇଛି ।
ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମେ ୧୫ ତାରିଖରେ ପାରାଦ୍ଵୀପ ଅଞ୍ଚଳର ଜଣେ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ରୋହିତ ନିଜକୁ CBI ଏବଂ ଦିଲ୍ଲୀ ପୋଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲା । ଏହାସହ ତାଙ୍କ ନାମରେ ବୁକ୍ ହୋଇଥିବା ଏକ ପାର୍ସଲକୁ ଦିଲ୍ଲୀ କଷ୍ଟମ୍ସ ବିଭାଗ ଜବତ କରିଛି ବୋଲି ସୂଚନା ଦେଇଥିଲା । ସେହି ପାର୍ସଲରେ ATM କାର୍ଡ, ୧୫ଟି ଭାରତୀୟ ପାସପୋର୍ଟ, ୨ଟି ଲାପଟପ୍, ୪ କିଲୋଗ୍ରାମ କପଡା ଏବଂ ଡ୍ରଗ୍ସ ରହିଛି ବୋଲି କହିଥିଲା । ଉକ୍ତ ପାର୍ସଲକୁ ନୂଆଦିଲ୍ଲୀର ଚାନ୍ଦନୀ ଚୌକରୁ ସଂଘାଇ (ଚୀନ୍) ପଠାଯିବାର ରହିଛି ବୋଲି ଭୟଭୀତ କରିଥିଲା । ଏଭଳି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଟଙ୍କା ପଠାଇବାକୁ କହିଥିଲା ନ ହେଲେ ଡିଜିଟାଲ ଗିରଫ କରାଯିବ ବୋଲି ଧମକ ଦେଇଥିଲା । ଅଭିଯୋଗକାରୀ ଜଣକ ଭୟଭୀତ ହୋଇ ୭୩ ଲକ୍ଷ ୬୨ ହଜାର ଟଙ୍କା ଉକ୍ତ ଠକର ବିଭିନ୍ନ ଆକାଉଣ୍ଟକୁ ପଠାଇଥିଲା । କିଛିଦିନ ପରେ ଅଭିଯୋଗକାରୀ ଠକାମିର ଶିକାର ହୋଇଥିବା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ ।
ସୋସିଆଲ ମିଡିଆ ଏବଂ ମେସେଜିଂ ଆପରେ ନିଜକୁ ପୋଲିସ ଅଧିକାରୀ, ନ୍ୟାୟିକ ଅଧିକାରୀ ବୋଲି ନିଜକୁ ପରିଚୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ସତର୍କ ରହିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଉଛି । ଆମ ଆଇନରେ ଡିଜିଟାଲ ଗିରଫ ଭଳି କୌଣସି ଶବ୍ଦ ନାହିଁ। ସାଇବର ଠକାମି ସଂକ୍ରାନ୍ତରେ ସଚେତନ ହୁଅନ୍ତୁ। ଠକାମିର ଶିକାର ହେଲେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରନ୍ତୁ ।