ସିଏଜି ରିପୋର୍ଟରେ ବିଜେଡି ଦୁର୍ନୀତିର ପର୍ଦ୍ଦାଫାଶ

ତତ୍କାଳୀନ ବିଜେଡି ସରକାର ଅତୀତରେ ନିଲାମ ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି କରି ନ ଥିଲେ କାହିଁକି ?

କେନ୍ଦୁଝର ଡିଏମ୍‌ଏଫ୍ ଫଣ୍ଡରେ ସର୍ବାଧିକ ୮୪.୫୧ କୋଟି, ଢେଙ୍କାନାଳରେ ୨.୪୪ କୋଟି, ମୟୂରଭଞ୍ଜରେ ୬.୮୫ କୋଟି ଏବଂ ନବରଙ୍ଗପୁରରେ ୦.୨୦ କୋଟି ଟଙ୍କା ସୁଧ ବାବଦରେ କ୍ଷତି ହୋଇଛି


ଭୂବନେଶ୍ୱର : ଗତ ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭାରେ ସିଏଜିଙ୍କର ୬ଟି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି । ଏହି ରିପୋର୍ଟରେ ପୂର୍ବତନ ବିଜେଡି ସରକାରଙ୍କ ସମୟରେ ବିଭିନ୍ନ ବିଭାଗରେ ବ୍ୟାପକ ଅନିୟମିତତା, ଆର୍ଥକ ଅବ୍ୟବସ୍ଥା ତଥା ଦୁର୍ନୀତି ସାମ୍‌ନାକୁ ଆସିଛି । ଖଣି ଅଂଚଳର ବିକାଶର ଏକ ମୁଖ୍ୟ ଆଧାର ଭାବେ ଡିଏମ୍‌ଏଫ୍ ଫଣ୍ଡକୁ ସୁଦୃଢ଼ କରିବା ପରିବର୍ତେ ପୂର୍ବତନ ସରକାର ଏହାକୁ ତୃଣମୂଳସ୍ତରରେ ଦୁର୍ବଳ କରିଦେଇଛନ୍ତି । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ସମ୍ଭାବନା ଥିବା ସତ୍ୱେ ଅନିୟମିତତା ଓ ଅପରଗତା ଯୋଗୁ ଏହାର ବିକାଶ ବାଧାପ୍ରାପ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଦୁର୍ନୀତିର ଏକ ପାହାଡ଼ ଉପରେ ବିଜେଡି ନେତୃବୃନ୍ଦ ବସିଛନ୍ତି, ସିଏଜି ରିପୋର୍ଟ ସେହି ବାରୁଦ ଗଦାରେ ନିଆଁ ଲଗାଇଦେଇଛି । ଏବେ ଜନସାଧାରଣଙ୍କ ପ୍ରତିକ୍ରିୟାର ବିସ୍ଫୋରଣ ଅବଶ୍ୟମ୍ଭାବୀ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଠ ମୁଖ୍ୟ ଡ. ତପନ ଚାନ୍ଦ କହିଛନ୍ତି । ଡ.ଚାନ୍ଦ କହିଛନ୍ତି ଯେ, ସିଏଜି ରିପୋର୍ଟରେ ଦର୍ଶାଯାଇଥିବା ଅନିୟମିତତା ଓ ଆର୍ଥିକ ଅବ୍ୟବହାର ପରିସରକୁ ଦେଖିଲେ ଏମ୍‌ଏମ୍‌ଡିଆର୍ ଆକ୍ଟ ୨୦୨୬ କୁ ନେଇ କରାଯାଇଥିବା ବିଜେଡିର ବିଭିନ୍ନ ଅଭିଯୋଗ ଓ ବାସ୍ତବ୍ୟ ତଥ୍ୟ ମଧ୍ୟରେ ପ୍ରାର୍ଥକ୍ୟ ଜଣାପଡ଼ିବ । ଏମ୍‌ଏମ୍‌ଡିଆର୍ ୨୦୧୫ ଆକ୍ଟକୁ ନେଇ ମଧ୍ୟ ପୂର୍ବରୁ ବିଜେଡି ଓ କଂଗ୍ରେସ ପାର୍ଲ୍ୟାମେଂଟରେ ବିରୋଧରେ କରିଥିଲେ । ଏହା ରାଜ୍ୟ ପାଇଁ କ୍ଷତିକାରକ ହେବ ବୋଲି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ପରବର୍ତୀ ସମୟରେ ରାଜ୍ୟର ଖଣି ରାଜସ୍ୱରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା । ୨୦୨୬ ଏମ୍‌ଏମ୍‌ଡିଆର୍ ଆଇନ୍ ସଂଶୋଧନ ଯୋଗୁ ଖଣି ରାଜସ୍ୱରେ ପ୍ରତିବର୍ଷ ୧୨ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ବିଜେଡି ଯେଉଁ ଅପପ୍ରଚାର ଓ ବିଭ୍ରାନ୍ତି କର ମନ୍ତବ୍ୟ ଦେଉଛି ତାହା ହାସ୍ୟାସ୍ପଦ ଓ ଅମୂଳକ। ପ୍ରକୃତରେ ୨୦୧୫ ପୂର୍ବରୁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ କମ୍ ଥିବା ବେଳେ ୨୦୨୫-୨୬ରେ ଏହା ୫୧ ହଜାର କୋଟିରେ ପହଂଚିଛି । ୨୦୦୫ ମସିହାରେ ଓରିସେଡ୍ ଆଇନ୍‌କୁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ରଦ୍ଦ କରିଥିଲେ । ଏହାସତ୍ୱେ ତତ୍କାଳୀନ ବିଜେଡି ସରକାର ନିଲାମ ବ୍ୟବସ୍ଥା ପ୍ରଚଳନ ପାଇଁ ଦାବି କରି ନ ଥିଲେ କାହିଁକି ? ସେତେବେଳେ ନିଲାମ ବ୍ୟବସ୍ଥା ଆସିଥିଲେ ରାଜ୍ୟର ଖଣି ରାଜସ୍ୱ ପ୍ରତିବର୍ଷ ଅତିକମ୍‌ରେ ୧୭,୦୦୦ କୋଟି ଟଙ୍କା ବଢ଼ିପାରିଥାନ୍ତା । ୨୦୦୫ରୁ ୨୦୧୫ ମଧ୍ୟରେ ନିଲାମ ବ୍ୟବସ୍ଥା ପ୍ରଚଳନ ନ ହେବା ଯୋଗୁ ରାଜ୍ୟ ପ୍ରାୟ ୧.୭୦ ଲକ୍ଷ କୋଟି ଟଙ୍କା ହରାଇଥିବା ଆକଳନ କରାଯାଉଛି । ଅପରପକ୍ଷରେ ସୁପ୍ରିମକୋର୍ଟରେ ଦୀର୍ଘ ୧୮ ବର୍ଷ ଧରି ଓରିେସେଡ୍ ଆଇନ୍ ମାମଲାରେ ବିଜେଡି ସରକାର କୌଣସି ତତ୍ପରତା ନ ଦେଖାଇବା ଓଡ଼ିଶାର ସ୍ୱାର୍ଥର ପରିପନ୍ଥୀ ବୋଲି ଡ. ଚାନ୍ଦ ପ୍ରକାଶ କରିଥଲେ । ଖଣିଜ ସମୃଦ୍ଧ ଓଡ଼ିଶାରେ ଡିଏମ୍‌ଏଫ୍‌(ଡିଷ୍ଟିକ୍ ମିନେରାଲ ଫାଉଣ୍ଡେଶନ ଫଣ୍ଡ)ବିକାଶର ଏକ ମୁଖ୍ୟ ଆଧାର । କିନ୍ତୁ ସିଏଜି ଅଡିଟ୍‌ରେ ଡିଏମ୍‌ଏଫ୍‌ର ପରିଚାଳନା ଓ ଅର୍ଥ ବ୍ୟବହାର ସମ୍ପର୍କରେ ଅନେକ ଅନିୟମିତତା ଚିହ୍ନଟ ହୋଇଛି । ଡିଏମ୍‌ଏଫ୍ ଆଇନ୍ ଅନୁଯାୟୀ ପ୍ରତ୍ୟକ୍ଷ ଭାବରେ ଖଣିର ୧୫ କିଲୋମିଟର ବ୍ୟାସାର୍ଦ୍ଧ ଓ ପରୋକ୍ଷଭାବରେ ଖଣିର ୨୫ କିଲୋମିଟର ବ୍ୟାସାର୍ଦ୍ଧର ପରିସୀମା ମଧ୍ୟରେ ଡିଏମ୍‌ଏଫ୍ ପାଣ୍ଠି ଖର୍ଚ୍ଚ ହେବା କଥା । କିନ୍ତୁ ସିଏଜିଙ୍କ ରିପୋର୍ଟ ଅନୁଯାୟୀ, ଖଣି ଦ୍ୱାରା ଆଦୌ ପ୍ରଭାବିତ ହୋଇ ନ ଥିବା ଗ୍ରାମରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳ, ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ୫୮୪ଟି ପ୍ରଭାବିତ ଗ୍ରାମରେ ଡିଏମ୍‌ଏଫ୍ ପାଣ୍ଠିରୁ କୌଣସି ପ୍ରକଳ୍ପ କିମ୍ବା ପାଣ୍ଠି ଦିଆଯାଇନାହିଁ । ଏହାଦ୍ୱାରା ସ୍ଥାନୀୟ ଜନଜାତି, ଅନୁସୂଚିତ ଜାତି ଓ ଖଣି ଦ୍ୱାରା ପ୍ରଭାବିତ ଜନସାଧାରଣଙ୍କୁ ସେମାନଙ୍କ ନାର୍ଯ୍ୟ ଅଧିକାରରୁ ବଂଚିତ କରାଯାଇଛି । ୨୦୧୫-୨୪ ମଧ୍ୟରେ କେନ୍ଦୁଝର ଡିଏମ୍‌ଏଫ୍ ଦ୍ୱାରା ୯,୭୩୩.୩୭ କୋଟି ଟଙ୍କାର ୩,୨୬୯ଟି ପ୍ରକଳ୍ପ ଅନୁମୋଦିତ ହୋଇଥିଲା । ସେଥିରୁ ୭୫୭ଟି ପ୍ରକଳ୍ପ ଅର୍ଥାତ୍ ୨୩% ଏକ୍‌ଜିକ୍ୟୁଟିଭ୍ କମିଟି / ବୋର୍ଡ ଅଫ୍ ଟ୍ରଷ୍ଟିର ଅନୁମୋଦନ ବିନା କାର୍ଯ୍ୟକାରୀ କରାଯାଇଛି । ଉଚିତ୍ ନିବେଶ ନିଷ୍ପତି ନେବାରେ ବ୍ୟର୍ଥତା ଯୋଗୁ ସୁଧ ବାବଦରେ କେନ୍ଦୁଝର ଡିଏମ୍‌ଏଫ୍‌ର ୮୪.୫୧ କୋଟି ଟଙ୍କା କ୍ଷତି ହୋଇଛି । ସେହିପରି ଢେଙ୍କାନାଳରେ ୨.୪୪ କୋଟି, ମୟୂରଭଞ୍ଜରେ ୬.୮୫ କୋଟି ଏବଂ ନବରଙ୍ଗପୁରରେ ୦.୨୦ କୋଟି ଟଙ୍କା କ୍ଷତି ହୋଇଛି । ଖାଲି ସେତିକ ନୁହେଁ, ବିଜେଡି ସରକାର ସମୟରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତା ଓ କାର୍ଯ୍ୟ କ୍ରିୟାନ୍ୱୟନରେ ଅପରାଗତା ଧରାପଡ଼ିଛି । ସିଏଜି ଅଡିଟ୍ ରିପୋର୍ଟରେ ପର୍ଯ୍ୟଟନ କ୍ଷେତ୍ରରେ, ୧୦୩.୩୫ କୋଟି ଟଙ୍କା ଅବ୍ୟବହୃତ ହୋଇ ଫେରିଯାଇଛି । ୮୯୮.୪୮ କୋଟି ଟଙ୍କା ଏଜେନ୍ସିର ବ୍ୟାଙ୍କ ଆକାଉଂଟରେ ପଡ଼ିରହିଛି । ଏହା ଉପରେ ଅର୍ଜିତ ୫୯.୨୫ କୋଟି ଟଙ୍କା ସୁଧ ବ୍ୟବହାର କିମ୍ବା ଫେରସ୍ତ ନ ହେବା ଭଳି ତଥ୍ୟ ସାମ୍‌ନାକୁ ଆସିଛି । ଇକୋ ରିଟ୍ରିଟ୍‌ରେ ୨୦୭.୬୮ କୋଟି ଟଙ୍କା କ୍ଷତି ହୋଇଥିବା ବେଳେ ପୁରୀ ପ୍ରସାଦ ପ୍ରକଳ୍ପରେ ୬.୪୯ କୋଟି ଟଙ୍କା ଅପବ୍ୟୟ ହେବା ସଙ୍ଗେ ଏହା ଅଧାରୁ ବନ୍ଦ କରିଦିଆଯାଇଥିଲା । ବିନ୍ଦୁ ସାଗର ପ୍ଲୋଟିଂ ମ୍ୟୁଜିକାଲ ଫାଉଟେନ୍ ପାଇଁ ୮.୧୬ କୋଟି ଟଙ୍କା ଅଯଥା ଅପବ୍ୟୟ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହି ଏହି ପ୍ରକଳ୍ପ ବିଫଳ ହୋଇଛି । ବୋଟ୍ ରୟାଲଟି କ୍ଷେତ୍ରରେ ଘରୋଇ ସଂସ୍ଥାରୁ ୧.୪୨ କୋଟି ଟଙ୍କା ଆଦାୟ ହୋଇନାହିଁ । ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ସିଏଜି ରିପୋର୍ଟରେ ଉଠିଥିବା ପ୍ରଶ୍ନଗୁଡ଼ିକ ଏବେ ସାର୍ବଜନୀନ ଚର୍ଚ୍ଚାର ବିଷୟ ହୋଇଛି ବୋଲି ଡ.ଚାନ୍ଦ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି ଓ ରାଜ୍ୟ ପ୍ରବକ୍ତା ଶ୍ରୀ ସଞ୍ଜୟ ରଥ ଉପସ୍ଥିତ ଥିଲେ ।