ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗ
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଭି.କେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ବେଳେ ହୋଇଥିବା ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ୨୦୨୨ ଓ ୨୦୨୩ ମସିହାରେ ରୋମ୍, ଜାପାନ ଓ ଦୁବାଇ ଗସ୍ତ ସମୟରେ ଦର୍ଶାଯାଇଥିବା ସରକାରୀ ତଥ୍ୟ ସହ ସୂଚନା ଅଧିକାର ବଳରେ ସୂଚନା ଅଧିକାର କର୍ମୀଙ୍କୁ ଦିଆଯାଇଥିବା ତଥ୍ୟର ତାଳମେଳ ରହୁ ନଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ବିଜୁ ଜନତା ଦଳ ବିଚଳିତ ହେଇପଡ଼ିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଯେକେହି ହୁଅନ୍ତୁ କେହି ବି ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି । ଦାୟିତ୍ୱରେ ଥିଲା ବେଳେ ଯେଉଁମାନେ ସରକାରୀ ଅର୍ଥରେ ବିଦେଶ ଗସ୍ତରେ ଯାଉଛନ୍ତି କିମ୍ବା କୌଣସି ପ୍ରକାର ଖର୍ଚ୍ଚ କରୁଛନ୍ତି ସେ ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ କରିବାର ଆବଶ୍ୟକତା ରହିଛି । କାରଣ ଏହା ଜାତୀୟ ଓ ସାଧାରଣ ଲୋକଙ୍କର ସମ୍ପତି । ଏ ସମ୍ପତିକୁ ବେନିୟମ ଭାବେ ଖର୍ଚ୍ଚ କରିବାର ଅଧିକାର କାହାର ନାହିଁ । ସେ ଦୃଷ୍ଟିରୁ ବାସ୍ତବ ଘଟଣା କ’ଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଧିକାରୀସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବିଦେଶ ଗସ୍ତର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ଏବଂ ସତ୍ୟାସତ୍ୟ ସାର୍ବଜନୀନ ହେବା ଆବଶ୍ୟକତା ରହିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ଦଳର ନେତାମାନେ ଗଣମାଧ୍ୟମରେ ବକ୍ତବ୍ୟ ଦେବା ସମୟରେ ସେମାନଙ୍କ ଶାରୀରିକ ଭାବଭଙ୍ଗୀ, ଆଚରଣ ଓ ଉଚ୍ଚାରଣରେ ଶାଳୀନତା ରହୁନାହିଁ । କ’ଣ ପାଇଁ ଏତେ ଡର ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ସରକାରରେ ଥିଲାବେଳେ ବିଜେଡି ଯଦି କୌଣସି ଅନିୟମିତତା କରିଛି, ତା’ର ଉତର ଓଡ଼ିଶାବାସୀଙ୍କୁ ଦେବାକୁ ପଡ଼ିବ । ତେଣୁ ଯେତେବେଳେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ତାହାକୁ ସାମ୍ନା କରିବା ପାଇଁ ସାହସ ଓ ଧର୍ଯ୍ୟ ରଖିବାକୁ ପଡ଼ିବ । ଏ ପ୍ରକାର ଅଧର୍ଯ୍ୟ ହୋଇ ବାଚାଳାମୀ କଲେ ଓଡ଼ିଶାବାସୀ ଆଦୌ ଗ୍ରହଣ କରିବେ ନାହିଁ । ଜଣେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ ଏବଂ ଭାରତୀୟ ଦୂତାବାସଙ୍କ ପାଖରେ ଖବର ରହିବ ନାହିଁ କାହିଁକି ? ଓଡ଼ିଶାରେ ଓଟିଡିସି ଭଳି ଗୋଟିଏ ସରକାରୀ ସଂସ୍ଥା ଥିବାସତ୍ୱେ ନବୀନ ବାବୁ ଓ ତାଙ୍କ ସରକାର ବିଦେଶ ଗସ୍ତ ନିମନ୍ତେ କେଉଁ କାରଣ ପାଇଁ ଘରୋଇ ସଂସ୍ଥାକୁ ବ୍ୟବହାର କଲେ? ବିଦେଶଗସ୍ତର ବିଲ୍ କେତେଜଣଙ୍କ ନାମରେ ଓ କାହା ନାମରେ ହୋଇଛି ? ଏଭଳି ଅଭିଯୋଗର ତଦନ୍ତ ହେବା ଆବଶ୍ୟକତା ନାହିଁ କି ? ଏ ସମସ୍ତ ପ୍ରଶ୍ନର ଉତର ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରଠାରୁ ବିଜୁ ଜନତା ଦଳର ନେତାମାନେ ଛାନିଆ ହୋଇ ବାଚାଳାମୀ ଆରମ୍ଭ କରି ଦେଇଛନ୍ତି । ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଛି ବିଜେଡି । ମାତ୍ର ସେମାନେ ଭଲଭାବେ ଜାଣି ରଖିବା ଉଚିତ୍, ଜାତୀୟ କିମ୍ବା ଲୋକଙ୍କ ସମ୍ପତିକୁ ସୁରକ୍ଷା ଦେବା ହେଉଛି ବିଜେପି ସରକାରର ପ୍ରାଥମିକତା । ଯଦି କେହି ଅନିୟମିତତା କରିବେ ସେ ଯେତେବଡ଼ ବ୍ୟକ୍ତିବିଶେଷ ହୋଇଥାନ୍ତୁ ନା କାହିଁକି ତାହା ସାର୍ବଜନୀନ ହେବ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ଆଦେଶ ଶୁଣି ବିଜେଡି ଯଦି ଏ ପ୍ରକାର ବାଚାଳାମୀ କରୁଛି, ସତ୍ୟାସତ୍ୟ ସାମ୍ନାକୁ ଆସବା ପରେ ତାଙ୍କ ଦଳର ଯେ, କ’ଣ ଅବସ୍ଥା ହେବ ଏଥିରୁ ସହଜେ ଅନୁମେୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।