ଓଡ଼ିଶାରେ ବିଧାୟକ ହାତପାଣ୍ଠିର ପ୍ରାୟ ୯୦୦ କୋଟି ଟଙ୍କା ଅବ୍ୟବହୃତ

ଭୁବନେଶ୍ୱର : ଆଜି ଓଡ଼ିଶା କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଚିବ ତଥା ପଶ୍ଚିମବଙ୍ଗ କଂଗ୍ରେସ ସହ-ପ୍ରଭାରୀ ଭାବେ ନିଯୁକ୍ତ ଡ଼. ଦେବାଶିଷ ପଟ୍ଟନାୟକଙ୍କୁ ମିଡିଆ ଚେୟାରମ୍ୟାନ୍ ଶ୍ରୀ ଅରବିନ୍ଦ ଦାସ, ପିସିସି ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାସ ଓ ଡ଼. ମନିଷା ଦାସ ପଟ୍ଟନାୟକ, ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡ଼. ଦେବାଶିଷ ପଟ୍ଟନାୟକ କହିଥିଲେ, ଫିକିର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଲାଭଖୋର ମନୋଭାବ, କର୍ମଚାରୀଙ୍କ ଦରମା ବୃଦ୍ଧି ନକରିବା ଓ ଛଟେଇ ଭଳି ପଦକ୍ଷେପକୁ ନେଇ ସମାଲୋଚନା କରିଛନ୍ତି । କିନ୍ତୁ କର୍ପୋରେଟ୍‌ଙ୍କ ଏହି ଲାଭଲୋଭୀ ମନୋଭାବକୁ ଆଜି ଯେଉଁ ସରକାରୀ ନୀତି ଓ ରାଜନୈତିକ ସମ୍ପର୍କ ପ୍ରୋତ୍ସାହିତ କରୁଛି, ସେଥିପାଇଁ ପ୍ରଧାନମନ୍ତ୍ରୀ ନିଜେ କେତେ ଦାୟୀ, ତାହାର ଉତ୍ତର ଦେବା ଆବଶ୍ୟକ । କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଟିକସ ରିହାତି, ବିଭିନ୍ନ ସୁବିଧା ଓ ନୀତିଗତ ସହଯୋଗ ଦେଇ ଲାଭ ବଢ଼ାଇବାର ସୁଯୋଗ ସରକାର ଦେଉଛନ୍ତି । ନିର୍ବାଚନୀ ବଣ୍ଡ୍‌କୁ ନେଇ କର୍ପୋରେଟ୍ ଓ ରାଜନୈତିକ ଦଳ ମଧ୍ୟରେ ଅର୍ଥର ସମ୍ପର୍କ ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠିଛି । ଏପରି ସମୟରେ କର୍ପୋରେଟ୍‌ଙ୍କ ଲାଭଖୋର ମନୋଭାବକୁ ନେଇ ପ୍ରଧାନମନ୍ତ୍ରୀଙ୍କ ହଠାତ୍ ଉଦ୍‌ବେଗ ଏକ ରାଜନୈତିକ ନାଟକ ଭଳି ଲାଗୁଛି । ଆଜି ଦେଶର ସାଧାରଣ ଲୋକ ମୁଦ୍ରାସ୍ଫୀତି, ଦରବୃଦ୍ଧି ଓ ଆୟର ଅଭାବରେ ଜୀବନ ଚଳାଇବାକୁ ସଂଘର୍ଷ କରୁଛନ୍ତି । ଛୁଞ୍ଚିଠାରୁ ଔଷଧ ପର୍ଯ୍ୟନ୍ତ ଅନେକ ସାମଗ୍ରୀର ମୂଲ୍ୟ ବଢ଼ୁଥିବା ବେଳେ କର୍ପୋରେଟ୍‌ଙ୍କ ଲାଭ ବଢ଼ୁଛି, କିନ୍ତୁ ସାଧାରଣ ଲୋକଙ୍କ କ୍ରୟକ୍ଷମତା ହ୍ରାସ ପାଉଛି । ବଡ଼ କର୍ପୋରେଟ୍‌ଙ୍କ ଋଣ ଛାଡ଼ ଓ ସୁବିଧା ଉପରେ ପ୍ରଶ୍ନ ଉଠୁଥିବା ବେଳେ ସାଧାରଣ ଲୋକଙ୍କ ମୁଣ୍ଡରେ ଋଣର ଭାର ବଢ଼ୁଛି । ଏହି ଦୁଇମୁଖୀ ଅର୍ଥନୀତି କାହା ପାଇଁ ଚାଲିଛି—କର୍ପୋରେଟ୍‌ଙ୍କ ପାଇଁ ନା ସାଧାରଣ ଜନତାଙ୍କ ପାଇଁ ? ଡ. ଦେବାଶିଷ ପଟ୍ଟନାୟକ ପ୍ରଶ୍ନ କରିଥିଲେ, ଯେତେବେଳେ ସରକାର କର୍ପୋରେଟ୍‌ଙ୍କୁ ଲାଭ ପାଇଁ ସୁବିଧା ଦେଉଛନ୍ତି, ନିର୍ବାଚନୀ ଅର୍ଥର ସମ୍ପର୍କ ନେଇ ପ୍ରଶ୍ନ ଉଠୁଛି ଏବଂ ସାଧାରଣ ଲୋକ ଦରବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି, ସେତେବେଳେ କର୍ପୋରେଟ୍‌ଙ୍କୁ ଦୋଷ ଦେଇ ପ୍ରଧାନମନ୍ତ୍ରୀ କାହାକୁ ଭ୍ରମିତ କରିବାକୁ ଚାହୁଁଛନ୍ତି ? ଆଗକୁ ଚାରିଟି ରାଜ୍ୟରେ ନିର୍ବାଚନ ଥିବାରୁ ଏହା ଜନମତକୁ ପ୍ରଭାବିତ କରିବା ଓ ସରକାରଙ୍କୁ ଦାୟିତ୍ୱରୁ ମୁକ୍ତ କରିବାର ଏକ ପ୍ରୟାସ ନୁହେଁ କି ? ଅନ୍ୟପକ୍ଷରେ, ଡ. ମନିଷା ଦାସ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ବିକାଶର ବଡ଼ ବଡ଼ ଘୋଷଣା ଓ ଆର୍ଥିକ ଆବଣ୍ଟନର ପ୍ରଚାର ଚାଲିଥିବା ବେଳେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅର୍ଥ ବିନିଯୋଗକୁ ନେଇ ସରକାରଙ୍କ ତଥ୍ୟ ଅତ୍ୟନ୍ତ ଉଦ୍‌ବେଗଜନକ । ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଉଦ୍ଦିଷ୍ଟ ଏହି ପାଣ୍ଠିର ପ୍ରାୟ ୯୦୦ କୋଟି ଟଙ୍କା ଦୁଇଟି ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇନପାରିବା ସରକାରଙ୍କ ପ୍ରଶାସନିକ ଅକ୍ଷମତା ଓ ଯୋଜନା କାର୍ଯ୍ୟାନ୍ୱୟନର ବିଫଳତାକୁ ପଦାରେ ପକାଉଛି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୪–୨୫ରେ ୪୪୧ କୋଟି ଟଙ୍କା ଆବଣ୍ଟନ ହୋଇଥିବା ବେଳେ ୧୯୮ କୋଟି ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ; ପ୍ରାୟ ୨୪୨ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିନଥିଲା । ୨୦୨୫–୨୬ରେ ୭୩୧ କୋଟି ୩୨ ଲକ୍ଷ ଟଙ୍କା ଆବଣ୍ଟନ ହୋଇଥିବା ବେଳେ ମାତ୍ର ୭୭ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି; ୬୫୪ କୋଟି ୧୦ ଲକ୍ଷ ଟଙ୍କା ଅବ୍ୟବହୃତ ରହିଛି । ଦୁଇ ବର୍ଷରେ ମୋଟ ୧,୧୭୨ କୋଟି ୩୨ ଲକ୍ଷ ଟଙ୍କା ଆବଣ୍ଟନ ହୋଇଥିବା ବେଳେ ମାତ୍ର ୨୭୫ କୋଟି ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି; ପ୍ରାୟ ୮୯୭ କୋଟି ଟଙ୍କା ଅବ୍ୟବହୃତ ରହିଛି । ଆହୁରି ଉଦ୍‌ବେଗଜନକ ହେଉଛି, ୨୦୨୫–୨୬ରେ ରାଜ୍ୟର ୪୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ହାତପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ । ବିନିଯୋଗ ପ୍ରମାଣପତ୍ର ଦାଖଲରେ ମଧ୍ୟ ଅବସ୍ଥା ଚିନ୍ତାଜନକ—୨୦୨୪–୨୫ରେ ୬୫ କୋଟି ୫୫ ଲକ୍ଷ ଏବଂ ୨୦୨୫–୨୬ରେ ମାତ୍ର ୮ କୋଟି ୯୪ ଲକ୍ଷ ଟଙ୍କାର UC ଦାଖଲ ହୋଇଛି । ବ୍ଲକ୍ ଓ ତହସିଲ ସ୍ତରରେ ପ୍ରମାଣପତ୍ର, ମଞ୍ଜୁରି ଓ ବୈଷୟିକ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଜନସାଧାରଣଙ୍କ କାମ ଅଟକି ରହୁଛି । କାହିଁକି ସରକାର ଏବଂ ପ୍ରଶାସନ ଭିତରେ ସମନ୍ନୟ ନାହିଁ ? ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ, ଏହି ତଥ୍ୟ ଡବଲ୍ ଇଞ୍ଜିନ୍ ସରକାରଙ୍କ ବିକାଶ ଦାବିର ବାସ୍ତବତାକୁ ପଦାରେ ପକାଉଛି । ଘୋଷଣା ଓ ପ୍ରଚାର ନୁହେଁ, ଆବଣ୍ଟିତ ଅର୍ଥର ସଠିକ୍ ବିନିଯୋଗ ଓ କାମର ସମାପ୍ତି ହିଁ ବିକାଶର ପ୍ରକୃତ ମାପଦଣ୍ଡ । କଂଗ୍ରେସ ଦାବି କରୁଛି ଯେ ସରକାର ପ୍ରାୟ ୯୦୦ କୋଟି ଟଙ୍କାର ଅବ୍ୟବହୃତ ହାତପାଣ୍ଠିର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରନ୍ତୁ ; ୪୭ଟି ନିର୍ବାଚନମଣ୍ଡଳୀରେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିବାର କାରଣ ସ୍ପଷ୍ଟ କରନ୍ତୁ ; ପ୍ରଶାସନିକ ବିଳମ୍ବର ସମୀକ୍ଷା କରି ଦାୟିତ୍ୱ ନିର୍ଦ୍ଧାରଣ କରନ୍ତୁ; ଏବଂ ଅନୁମୋଦିତ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ସମାପ୍ତ କରି ଖର୍ଚ୍ଚ ଓ ପ୍ରକଳ୍ପର ଅବସ୍ଥା ନିୟମିତ ସାର୍ବଜନୀନ କରନ୍ତୁ । ଜନସାଧାରଣଙ୍କ ଟଙ୍କା ଜନସାଧାରଣଙ୍କ ବିକାଶ ପାଇଁ । କର୍ପୋରେଟ୍‌ଙ୍କୁ ସୁବିଧା ଦେଇ ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧି ଓ ଋଣର ଭାର ଲଦିବା, ଏବଂ ଓଡ଼ିଶାରେ ବିକାଶ ପାଇଁ ଆବଣ୍ଟିତ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ନକରି ପଡ଼ିରହିବା-ଏହି ଦୁଇଟି ଚିତ୍ର ସରକାରଙ୍କ ଲୋକବିରୋଧୀ ନୀତି ଓ ଶାସନର ବିଫଳତାକୁ ସ୍ପଷ୍ଟ କରୁଛି । ସରକାର ଏହାର ଉତ୍ତର ଦିଅନ୍ତୁ ଏବଂ ଜନସାଧାରଣଙ୍କ ପ୍ରତି ନିଜ ଦାୟିତ୍ୱ ପୂରଣ କରନ୍ତୁ ।