କମ୍ପାନୀର ପୁନର୍ଗଠନ ଓ ମିଶ୍ରଣ ପ୍ରକ୍ରିୟାରେ ଷ୍ଟାମ୍ପ ଡ୍ୟୁଟି ଛାଡ଼ ଓ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ସହ କମ୍ପାନୀଗୁଡ଼ିକର ପୁନର୍ଗଠନ, ମିଶ୍ରଣ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରିହାତି ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଦେଶ ଜାରି କରାଯାଇଛି । ଏହି ଆଦେଶ ଅନୁଯାୟୀ, କମ୍ପାନୀ ଆଇନ, ୨୦୧୩ର ଧାରା ୨୩୦ରୁ ୨୩୨ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ଧାରା ଅନ୍ତର୍ଗତ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ପୁନର୍ଗଠନ, ମିଶ୍ରଣ, ବିଭାଜନ କିମ୍ବା କମ୍ପାନୀଗୁଡ଼ିକର ପୁନଃବ୍ୟବସ୍ଥାପନ ସମ୍ପର୍କିତ ଦଲିଲ ଉପରେ ନିମ୍ନଲିଖିତ ଷ୍ଟାମ୍ପ ଡ୍ୟୁଟି ରିହାତି ପ୍ରଦାନ କରାଯିବ । ମାଇକ୍ରୋ, ସ୍ମଲ୍ ଓ ମିଡିୟମ୍ ଉଦ୍ୟୋଗ କ୍ଷେତ୍ରରେ ଏହି ଦଲିଲ ଉପରେ ୧୦୦ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଛାଡ଼ ପ୍ରଦାନ କରାଯିବ । ଏଥିପାଇଁ ଶିଳ୍ପ ନିର୍ଦ୍ଦେଶକଙ୍କ ପ୍ରତିସ୍ୱାକ୍ଷର ସହିତ ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର (DIC)ଙ୍କ ଅନୁମୋଦନ ଆବଶ୍ୟକ ହେବ । ବୃହତ୍ ଶିଳ୍ପ ଓ କମ୍ପାନୀ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିର ସର୍ବାଧିକ ଦେୟ ପରିମାଣ ୫୦ କୋଟି ଟଙ୍କାରେ ସୀମିତ ରହିବ। ଓଡ଼ିଶା ଶିଳ୍ପ (ସୁବିଧା) ଆଇନ, ୨୦୦୪ ଅନୁଯାୟୀ ଗଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କର୍ତ୍ତୃପକ୍ଷ (HLCA)ଙ୍କ ଦ୍ୱାରା ସମ୍ପୃକ୍ତ ବିଭାଗର ଯଥାଯଥ ଯାଞ୍ଚ ଓ ବିଚାରବିମର୍ଶ ପରେ ମାମଲାଭିତ୍ତିକ ଭାବେ ଏହାର ବିଚାର କରାଯିବ। ଏହି କମିଟିର ଅଧ୍ୟକ୍ଷତା ମାନ୍ୟବର ମୁଖ୍ୟମନ୍ତ୍ରୀ କରିବେ । ଏହି ଆଦେଶ ଭାରତୀୟ ଷ୍ଟାମ୍ପ ଆଇନ, ୧୮୯୯ର ଧାରା ୯(୧)(କ) ଅନୁଯାୟୀ ପ୍ରଦତ୍ତ କ୍ଷମତା ବଳରେ ଜାରି କରାଯାଇଛି ଏବଂ ଏହା ମାଧ୍ୟମରେ ୨୪ ମାର୍ଚ୍ଚ ୨୦୨୩ ତାରିଖର ପୂର୍ବ ଆଦେଶରେ ସଂଶୋଧନ କରାଯାଇଛି । ଏହି ପଦକ୍ଷେପ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି, ବ୍ୟବସାୟିକ ସୁଗମତା ଏବଂ ଉଦ୍ୟୋଗଗୁଡ଼ିକର ପୁନର୍ଗଠନ ପ୍ରକ୍ରିୟାକୁ ସହଜ କରିବା ଦିଗରେ ସହାୟକ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମତବ୍ୟକ୍ତ କରିଛନ୍ତି ।