ମୋହନ ଚରଣ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଫୁଡ୍‌ କୋଟ୍‌ର ଶୁଭାରମ୍ଭ କରିବା ସହିତ ବୁଲି ଦେଖିଥିଲେ ।

ସୂଚନାଯୋଗ୍ୟ ଯେ ଏହି ବିକାଶ ମେଳା ଜୁନ୍‌ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୭୫ରୁ ଅଧିକ ଷ୍ଟଲ୍‌ରେ ଜନସାଧାରଣଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତି ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରାଯାଉଛି । ଏଥିସହିତ ସୁଭଦ୍ରା ଶକ୍ତି ମହିଳା ମାନଙ୍କ ଦ୍ବାରା ୪୦ ରୁ ଅଧିକ ଷ୍ଟଲରେ ଓଡିଆ ପାରମ୍ପାରିକ ଖାଦ୍ୟର ବିବିଧତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଫୁଡ୍ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ଷକ ତଳେ ରାଜ୍ୟବାସୀ ଯେଉଁ ଆଶା ଆକାଂକ୍ଷା ନେଇ ଶାସନରେ ପରିବର୍ତ୍ତନ ଆଣିଥିଲେ ଓ ଆମକୁ ଦାୟିତ୍ବ ଭାର ଦେଇଥିଲେ, ଆମେ ଲୋକଙ୍କ ସେହି ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଦୃଢ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିଛୁ । ବିଗତ ଏକ ବର୍ଷ ଥିଲା ଆମ ପାଇଁ ଆହ୍ବାନର ବର୍ଷ । ଆମର ସବୁ କାର୍ଯ୍ୟକ୍ରମରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆମକୁ ମାର୍ଗଦର୍ଶନ ଦେଇଆସିଛନ୍ତି । ଏହି ସମୟ ମଧ୍ୟରେ ଆମେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ ଏବଂ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଗୁଡିକୁ ବାସ୍ତବତାରେ ପରିଣତ କରିଛୁ । ଆମ ପ୍ରତିଶ୍ରୁତି ପାଣିର ଗାର ନୁହେଁ, ପଥରରେ ଅଙ୍କା ଯାଇଥିବା ଅଲିଭା ଗାର। କଥା ଦେଇଥିଲୁ କଥା ରଖିଛୁ ।

ସେ କହିଥିଲେ ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଭଗବାନଙ୍କ ସ୍ବର । ଯଦି ଲୋକେ ସେମାନଙ୍କ ନିର୍ବାଚିତ ସରକାରଙ୍କୁ ନିଜର କଥା, ନିଜର ବ୍ୟଥା କହିପାରିବେନି, ସେ ପ୍ରକାର ଗଣତନ୍ତ୍ର ଆତ୍ମାହୀନ । ଆମ ସରକାର ଆସିବା ପରେ ମୁଁ ବ୍ୟକ୍ତିଗତ ଭାବେ ଲୋକଙ୍କୁ ଭେଟି ଛୋଟବଡ ସମସ୍ୟା on the spot ସମାଧାନ କରିବା ପାଇଁ ମନସ୍ତ କଲି । ଗତ ଏକ ବର୍ଷ ମଧ୍ୟରେ ଓଡିଶାର ସମସ୍ତ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ କଥାବାର୍ତ୍ତା କରିଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛି । ପୁରା ସରକାରକୁ ସମ୍ବଲପୁର ନେଇ ଯାଇ ଲୋକଙ୍କ କଥା ଶୁଣିଥିଲି । ଆଗାମୀ ଦିନରେ ଓଡିଶାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିବାର ଯୋଜନା ରହିଛି ।

ସେ ପୁଣି କହିଥିଲେ ଯେ ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଂ ଦେହି ଡାକରା ଦିଆଯାଇଛି । ଗୋଟିଏ ବର୍ଷର ରେକର୍ଡ ଦେଖନ୍ତୁ । ଆଜି ପିଅନ ଠାରୁ ଆଇ.ଏ. ଏସ୍ ଅଧିକାରୀ ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗସ୍ତ ଅଧିକାରୀ ଓ କର୍ମଚାରୀ ସୁରକ୍ଷିତ ନୁହନ୍ତି ।

ସେ ଆହୁରି କହିଥିଲେ ଯେ ଲୋକଙ୍କ ପାଇଁ କାମ କରିବାର ଦୃଢ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଯୋଗୁ ଆମ ଲୋକଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ପ୍ରାୟ ସମସ୍ତ ପ୍ରମୁଖ ପ୍ରତିଶ୍ରୁତିକୁ ସଫଳତାର ସହ କାର୍ଯ୍ୟକାରୀ କରିଛୁ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀଙ୍କ ମାର୍ଗଦର୍ଶନ ଓ ଅକୁଣ୍ଠ ସମର୍ଥନ ଆମକୁ ଏ ଦିଗରେ ବିଶେଷ ସାହାଯ୍ୟ କରିଥିଲା । ପ୍ରଥମରୁ ଆମେ ସମାଜର ସବୁ ବର୍ଗର ସଶକ୍ତିକରଣ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲୁ । ବିଶେଷକରି ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ ସଶକ୍ତିକରଣ ଥିଲା ପ୍ରମୁଖ ଆବଶ୍ୟକତା । ସେ ଦିଗରେ ଆମେ ନିଷ୍ଠାପର ଉଦ୍ୟମ କରିଛୁ । ବିରୋଧୀ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ଅନେକ କଥା କରୁଛନ୍ତି । ୨୪ ବର୍ଷ ମଧ୍ୟରେ ସେମାନେ ଯେଉଁ କାମ କରି ନଥିଲେ, ଆମେ ୨୪ ମିନିଟ୍‌ ଭିତରେ କରି ଦେଖାଇପାରିଛୁ । କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ରାଜ୍ୟରେ ପ୍ରତି ଚାଷୀ ପରିବାର ର ବାର୍ଷିକ ଆୟରେ ଅତି କମ୍‌ରେ ୩୦ ହଜାର ଟଙ୍କା ବୃଦ୍ଧି ହୋଇଛି । ଜନଜାତି ସଂପ୍ରଦାୟର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ ଜାରି ରହିଛି । ସମସ୍ତଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛୁ । ଯୁବବର୍ଗଙ୍କ ପାଇଁ ସରକାରୀ ନିଯୁକ୍ତିର ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରିଛୁ । SEBC ବର୍ଗର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇଛି । ୨୭ ହଜାରରୁ ଉର୍ଦ୍ଧ୍ବ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ଉତ୍କର୍ଷ ଓଡିଶା ୨୦୨୫ ମାଧ୍ୟମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୧୨.୯୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି । ଓଡିଶାର ପ୍ରତ୍ୟେକ ଅଞ୍ଚଳକୁ ବିକାଶର ସୁଫଳ ପହଞ୍ଚାଇବା ପାଇଁ ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ଓ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଆମକୁ ଆତ୍ମନିର୍ଭରଶୀଳତାର ମନ୍ତ୍ର ଦେଇଛନ୍ତି । ତେଣୁ ଓଡିଶାକୁ ପ୍ରତ୍ୟେକ ସ୍ତରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଆମେ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛୁ । ଆମର ଲକ୍ଷ୍ୟ ଏକ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ଓଡିଶା । ଗାଁର ବିକାଶ ହେଲେ, ବିକଶିତ ଓଡିଶାର ସ୍ବପ୍ନ ସାକାର ହେବ । ଏହାକୁ ଲକ୍ଷ୍ୟ ରଖି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଜନମଙ୍ଗଳକାରୀ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଅଭିବୃଦ୍ଧି ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଏକାମ୍ର ଭୁବନେଶ୍ବର ବିଧାୟକ ଶ୍ରୀ ବାବୁ ସିଂହ ଉପସ୍ଥିତ ଥିଲେ ।


ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।