ନିଯୁକ୍ତି ମେଳା : ୫ ବିଭାଗରେ ୯୬୪ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର : ଯୁବ ଶକ୍ତି ହେଉଛନ୍ତି ଆମ ରାଜ୍ୟର ବିକାଶ ରଥର ସାରଥୀ । ଯୁବ ଶକ୍ତିଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଆଜି ଭୁବନେଶ୍ୱର OUAT ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ତ୍ତ ବିଭାଗର ୫୬୩ଟି, ଜଳ ସମ୍ପଦ ବିଭାଗର ୬୨ଟି, ପଞ୍ଚାୟିତ ରାଜ ଓ ପାନୀୟ ଜଳ ବିଭାଗର ୧୧୭ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୪ଟି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧୮ଟି ପଦବୀରେ ନିଯୁକ୍ତି ଦିଆଯାଇଛି । ଏହି ସବୁ ପଦବୀ ଗୁଡିକ ମଧ୍ୟରେ କନିଷ୍ଠ ଯନ୍ତ୍ରୀ, କନିଷ୍ଠ ପ୍ରବର୍ତ୍ତନ ଅଧିକାରୀ, ଟ୍ରେସର, ବୈଧ ମାପ ବିଜ୍ଞାନ ନିରୀକ୍ଷକ, ଜୁନିଅର ଆକାଉଣ୍ଟାଣ୍ଟ ପଦବୀ ରହିଛି । ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ରଜ ଶୁଭେଚ୍ଛା ଜଣାଇ ଉଦବୋଧନ ଦେଇ କହିଥିଲେ ଯେ, ସରକାରୀ ଚାକିରୀ ସର୍ବଦା ଜନସେବା ପାଇଁ ଉତ୍ସର୍ଗୀକୃତ । ତେଣୁ, ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରତିଶ୍ରୁତିବଦ୍ଧ ହୋଇ ଆପଣ ମାନେ କାମ କରିବେ ବୋଲି ମୋର ଆଶା ଓ ବିଶ୍ୱାସ । ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନ ମଙ୍ଗଳ ଉପରେ ଯେପରି ଆଧାରିତ ହେବ ସେଥପ୍ରତି ଆପଣ ମାନେ ଯତ୍ନବାନ ହେବେ । ସେ ପୁଣି କହିଥିଲେ, ବିଗତ କିଛି ବର୍ଷ ଧରି ସରକାରୀ କ୍ଷେତ୍ରରେ ନିଯୁକ୍ତି ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିଲା । ଆମ ସରକାର ଆସିବା ପରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଯୁବ ଶକ୍ତିଙ୍କ ନିୟୋଜନକୁ ଗୁରୁତ୍ୱଦେଇ ଅପାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛୁ । ଆମ ସରକାର ୫ ବର୍ଷରେ ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଆଜି ସୁଦ୍ଧା ୨୮,୩୪୬ ସରକାରୀ ନିଯୁକ୍ତି ଦିଆଗଲାଣି। ଏହା ଆମ ପାଇଁ ଏକ ଐତିହାସିକ ଉପଲବ୍ଧି । ୨୦୨୬ ଜୁନ ସୁଦ୍ଧା ଆମେ ଆମର ଧାର୍ଯ୍ୟ ଲକ୍ଷ୍ୟ ୬୫ ହଜାର ଅତିକ୍ରମ କରିଯାଇଥିବୁ । କେବଳ ସରକାରୀ ସ୍ତରରେ ନୁହେଁ, ବେସରକାରୀ ସ୍ତରରେ ପ୍ରଥମ ବର୍ଷରେ ଆମେ ୪୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛୁ। ଗୋଟଏ ବର୍ଷ ମଧ୍ୟରେ ଆମେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୭୩,୩୪୬ ଜଣଙ୍କୁ ନିଯୁକ୍ତି ଦେଇଛୁ । ସେ ଆହୁରି କହିଥିଲେ, ଯୁବ ଶକ୍ତିକୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ ଆମ ସରକାରଙ୍କ ଦ୍ୱାରା କ୍ରମାଗତ ଭାବେ ଆଗେଇ ଚାଲିଛି । ଯୁବ ଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ଶିଳ୍ପାୟନ ମାଧ୍ୟମରେ ମଧ୍ୟ ଆମେ ଯୁବ ଶକ୍ତିଙ୍କ ପାଇଁ ଆଣିଛୁ ବିପୁଳ ନିଯୁକ୍ତି ସୁଯୋଗ । ଉତ୍କର୍ଷ ଓଡିଶା ୨୦୨୫ ରାଜ୍ୟରେ ୧୬ଟି କ୍ଷେତ୍ରରେ ୧୭ ଲକ୍ଷର ପୁଞ୍ଜିନିବେଶ ସହ ୧୨.୯୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଉତ୍କର୍ଷ ଓଡିଶା ଆୟୋଜନର ୫ ମାସ ମଧ୍ୟରେ ୫୬ଟି ଶିଳ୍ପାନୁଷ୍ଠାନର ଉଦଘାଟନ ଓ ଭିତ୍ତିପ୍ରସ୍ତର ଦିଆଯାଇଛି । ଏହା ମାଧ୍ୟମରେ ୧.୧୦ ଲକ୍ଷ ନିଯୁକ୍ତି ନିଶ୍ଚିତ ହୋଇଛି । ସେ ପୁଣି କହିଥିଲେ, ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଦୁର୍ନୀତିମୁକ୍ତ କରିବା ପାଇଁ କଡା ଆଇନ ପ୍ରଣୟନ କରାଯାଇଛି । ଶେଷରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ସମାଜ ଓ ରାଜ୍ୟର ବିକାଶ ପାଇଁ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଭିନ୍ନ ବିଭାଗର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଆମ ସମୃଦ୍ଧ ଓଡିଶା ଗଠନରେ ଆପଣ ମାନଙ୍କଭଳି ଯୁବ ପ୍ରତିଭାଙ୍କ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି କହିଥିଲେ ଯେ ଭଗବାନଙ୍କ କରୁଣାରୁ ଆପଣ ମାନେ ନିଯୁକ୍ତି ପାଇଛନ୍ତି । ଭଗବାନଙ୍କ ସେହି କରୁଣାକୁ ଜନସେବାରେ ଉପଯୋଗ କରିବା ପାଇଁ ସେ ଉପଦେଶ ଦେଇଥିଲେ । ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ କହିଲେ ଯେ ଓଡିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢୁଛି, ଆପଣ ମାନଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରୟୋଗରେ ଓଡିଶା ଶୀର୍ଷକୁ ଯିବ, ସେଥିପାଇଁ ଆପଣ ମାନେ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ମୋର ବିଶ୍ୱାସ ।
ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆମ ସରକାର ଖାଲି ଥିବା ସରକାରୀ ପଦବୀ ଗୁଡିକୁ ପୂରଣ କରିବା ଲକ୍ଷ୍ୟନେଇ କାମ ଆରମ୍ଭ କରିଥିଲେ । ଏହି ବର୍ଷକ ମଧ୍ୟରେ ଆମେ ଯେତିକି ସରକାରୀ ପଦବୀ ପୂରଣ କରିଛୁ ସ୍ୱାଧୀନତା ପରେ ଓଡିଶା ଇତିହାସରେ ଏହା କେବେ ହୋଇ ନଥିଲା । ନବ ନିଯୁକ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଓଡିଶା ବିକାଶ ରଥର ଡୋରି ଆପଣ ମାନଙ୍କ ହାତରେ ଅଛି । ଆପଣ ମାନେ ବିକାଶ ରଥକୁ ସଫଳତାର ସହ ପରିଚାଳନା କରିବେ ବୋଲି ମୋର ବିଶ୍ୱାସ । କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ନବ ନିଯୁକ୍ତ ଶିବଲାଲ୍ କିଶନ, ଜଳ ସମ୍ପଦ ବିଭାଗର ଅନୁସୟା ମହାନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବି. ପ୍ରବୋଧ ରଞ୍ଜନ ପାତ୍ର ଓ ସନ୍ଧ୍ୟାରାଣୀ ସାହୁ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଚଣ୍ଡୀପ୍ରସାଦ ମିଶ୍ର ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଆଦ୍ୟାଶ ସିଂ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସମୟାନୁଭିତ୍ତିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।