ଓଡ଼ିଶାର ନାଟ୍ୟ ପରମ୍ପରା କାଳଜୟୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହେଉଥିବା ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି । ଆଜିର ଉଦ୍‌ଯାପନୀ ସନ୍ଧ୍ୟାରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଓଡ଼ିଶାର ନାଟ୍ୟ ପରମ୍ପରା କାଳଜୟୀ । ଆମ ବରପୁତ୍ରମାନଙ୍କର ଜୀବନୀ ଉପରେ ଆଧାରିତ ନାଟକ କାର୍ଯ୍ୟକ୍ରମ ଆମ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିବା ସହ ବିଶେଷ ଭାବରେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ ।

ଆଜି ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହରେ “ଘୁମୁସରା ବିପ୍ଳବର କର୍ଣ୍ଣଧାର ଚକରା ବିଷୋୟୀ” ନାଟକ ମଞ୍ଚସ୍ଥ ହୋଇଥିଲା । ନାଟ୍ୟକାର ଶ୍ରୀ ମନ୍ମଥ ଶତପଥୀ ନାଟକ ରଚନା କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ଦିନେଶ ଦାସ ନିର୍ଦ୍ଦେଶନା ଦେଇଥିଲେ ।

ପ୍ରକାଶଯୋଗ୍ୟ ଯେ, ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ପ୍ରତ୍ୟେକ ଦିନ ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶାର ବରପୁତ୍ରମାନଙ୍କର ଜୀବନୀକୁ ନେଇ ଏହି ନାଟକ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।