ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶାର ବିଧାୟକ ଦଳ

ଭୁବନେଶ୍ୱର: ବୁଧବାର ଦିନ ପୂର୍ବାହ୍ନରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବିଧାୟକ ଦଳ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଅବସରରେ ଓଡ଼ିଶା ବିଧାନସଭାରେ ମହାମହିମ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜ୍ଞାପନ ଉଦ୍ଦେଶ୍ୟରେ ପାରିତ ହୋଇଥିବା ସଂକଳ୍ପପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ବିଧାୟକମାନଙ୍କ ପକ୍ଷରୁ ବାଚସ୍ପତି ଶ୍ରୀ ଆରୁଖ ମହାମହିମ ରାଷ୍ଟ୍ରପତିଙ୍କୁ ଉପହାର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମୁତାବକ ଓଡ଼ିଶାର ବିକାଶ ପାଇଁ ତାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତାଙ୍କ ପ୍ରତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମ କରି ଶୁଭେଚ୍ଛା ଓ ସହଯୋଗର ହାତ ବଢ଼ାଇଥିବାରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତିଙ୍କ ସହ ସାକ୍ଷାତକୁ ଅତ୍ୟନ୍ତ ଆନନ୍ଦଦାୟକ, ଗର୍ବ ଓ ଗୌରବର ଅବସର ବୋଲି ବାଚସ୍ପତି ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି । ଏଥି ସହ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଷ୍ଟ୍ରପତି ଆନ୍ତରିକତାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ଆରୁଖ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ବାଚସ୍ପତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ସର୍ବଦଳୀୟ କମିଟିରେ ମାନ୍ୟବର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ,  ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,  ବିରୋଧି ଦଳର ମୁଖ୍ୟସଚେତକ ଶ୍ରୀ ମୋହନ ଚରଣ ମାଝୀ,  ବିରୋଧି ଦଳର ଉପନେତା ଶ୍ରୀ ବିଷ୍ଣୁଚରଣ ସେଠୀ, କଂଗ୍ରେସ ଦଳର  ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଓ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ସର୍ବଦଳୀୟ କମିଟିର ୨୪ ଜଣ ସଦସ୍ୟ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ଓ ରାଷ୍ଟ୍ରପତି ଭବନ ବୁଲି ଦେଖିଥିଲେ ।

Leave a Reply

Your email address will not be published. Required fields are marked *