ବଳଙ୍ଗା ଦିବଙ୍ଗତାଙ୍କୁ ନ୍ୟାୟ ନ ମିଳିବା ଯାଏ କଂଗ୍ରେସ ଛାଡ଼ିବ ନାହିଁ

ପ୍ରେସ ସମ୍ମିଳନୀର ଅନ୍ୟତମ ମୁଖପାତ୍ର ଜୟଶ୍ରୀ ପାତ୍ର ଛାତ୍ରୀ ପୋଡ଼ି ଘଟଣାରେ ସାମିଲ ବ୍ୟକ୍ତି ବିଶେଷ, ପୋଲିସ, ସରକାର ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପୁଲିସକୁ ଅନେକ ପ୍ରଶ୍ନ ପଚାରିଛନ୍ତି । ଦୁର୍ବୃତ୍ତମାନେ ନିଆଁ ଲଗାଇଲା ପରେ ଛାତ୍ରୀଜଣକ ସାହାଯ୍ୟ ପାଇଁ ପ୍ରଥମେ ପହଞ୍ଚିଥିବା ତେରହଳ ଗ୍ରାମର ଦୁଃଖିଶ୍ୟାମ ସେନାପତି ପ୍ରଥମଥର ବାଇଟ ଦେଇ ସମସ୍ତ ଘଟଣା ବର୍ଣନା କରିଥିଲେ । ପରେ ତାଙ୍କ ପରିବାର ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ । କିନ୍ତୁ ବର୍ତ୍ତମାନ ଶ୍ରୀ ସେନାପତି ଗଲେ କୁଆଡ଼େ ? କାହାକୁ ସେ ଏତେ ଭୟ କରୁଛନ୍ତି ? ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଦୁଇ ଆନୁଗତ୍ୟଙ୍କୁ କାହିଁକି ଦିଲ୍ଲୀ ପଠାଇଥିଲେ ? କାହିଁକି ଏହି ଦୁଇ ଜଣ ପୀଡ଼ିତାଙ୍କ ପରିବାରକୁ ଆଢୁଆଳରେ ରଖୁଥିଲେ ? କାହିଁକି ମିଡ଼ିଆକୁ ବାଇଟ ନ ଦେବା ପାଇଁ ଅନ୍ୟଙ୍କୁ ନିରୁତ୍ସାହିତ କରୁଥିଲେ ? ଘଟଣା ସହ ଏହି ଦୁଇଜଣଙ୍କ କ’ଣ ସମ୍ପର୍କ ଅଛି ? ପୁରୀ ଏସପି କହୁଛନ୍ତି, ପୀଡ଼ିତାଙ୍କ ଭାଇରାଲ ବୟାନ ମେଡିକାଲ ପ୍ରଶାସନ ପ୍ରଘଟ କରିଥାଇପାରନ୍ତି । ଭାଇରାଲ ଭିଡିଓରେ ବୟାନ ଗ୍ରହଣ କରୁଥିବା ମହିଳା ଜଣକ ଯେଉଁ ପ୍ୟାଡ୍‌ରେ ଲେଖୁଛନ୍ତି, ସେଇ ପ୍ୟାଡ୍‌ରେ ‘୨୦/୭/୨୦୨୫’ ସହ ‘ଆଇଆଇସି ବଳଙ୍ଗା’ ବୋଲି ମଧ୍ୟ ଲେଖାହୋଇଛି । ବର୍ତ୍ତମାନ ଗୁରୁତର ପ୍ରଶ୍ନ ଉଠୁଛି ଯେ, ଯଦି ପୁଲିସ ବୟାନ ରେକର୍ଡ଼ିଂ କରୁଥିଲା, ପୁଲିସଠାରୁ କେମିତି ଭିଡିଓ ଲିକ ହୋଇ ଭାଇରାଲ ହେଲା ? ଯଦି ପୁଲିସ ବୟାନ ରେକର୍ଡ କରିନାହିଁ, ଏତେ କଡ଼ା ସୁରକ୍ଷା ଥାଇ ସୁଦ୍ଧା କିଏ ବୟାନ ଭିଡିଓ ରେକର୍ଡ଼ିଂ କରିଛି ଏବଂ ଭାଇରାଲ କରିଛି ? ତାକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ କାହିଁକି ବୋଲି ପୁଲିସକୁ ସିଧାସଳଖ ପ୍ରଶ୍ନ କରାଯାଇଛି । ଘଟଣାରେ ରାଜନୈତିକ ଲୋକଙ୍କ ସମ୍ପୃକ୍ତି ଅଛି ତେଣୁ ଆଜି ପର୍ଯ୍ୟନ୍ତ ଜଣକୁ ମଧ୍ୟ ପୁଲିସ ଗିରଫ କରିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବଳଙ୍ଗା ପୀଡ଼ିତା ନିଜ ନିର୍ବାଚନମଣ୍ଡଳୀର ହୋଇ ସୁଦ୍ଧା ପୋଡ଼ି ହେଲା ଦିନଠୁ ଦିଲ୍ଲୀ ଯିବା ପର୍ଯ୍ୟନ୍ତ ଥରଟିଏ ମଧ୍ୟ ଭୁବନେଶ୍ବରେ ଉପମୁଖ୍ୟମନ୍ତ୍ରୀ ଭେଟିବାକୁ ଯାଇପାରିଲେ ନାହିଁ । ଦିଲ୍ଲୀ ଯାଇ ସାକ୍ଷାତ କଲେ । ଦିଲ୍ଲୀରେ ଗଣମାଧ୍ୟମକୁ ପୀଡ଼ିତା ସୁସ୍ଥ ଅଛି ବୋଲି ଉଲ୍ଲେଖ କଲେ । ତଥାପି କେମିତି ଝିଅଟାର ଜୀବନ ଚାଲିଗଲା ରାଜ୍ୟବାସୀ ଉତ୍ତର ଅପେକ୍ଷାରେ ଅଛନ୍ତି । ସୂଚନାଯୋଗ୍ୟ, ଯଦି ଦିବଙ୍ଗତା ବଳଙ୍ଗା ଛାତ୍ରୀକୁ ନ୍ୟାୟ ନ ମିଳିଲା, ଆଗାମୀ ଦିନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟର ସମସ୍ତ ଥାନା ଘେରାଉ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରାଯାଇଥିଲା ।