
ଏଣିକି ଦିଲ୍ଲୀର ଜଗନ୍ନାଥ ମନ୍ଦିରଗୁଡ଼ିକରେ ଉପଲବ୍ଧ ହେବ ଓମଫେଡ୍ ଘିଅ, ଓମଫେଡ୍ ଦ୍ରବ୍ୟର ସ୍ୱାଦ ଓ କୋରାପୁଟ କଫିର ସୁଗନ୍ଧ ଦିଲ୍ଲୀସ୍ଥିତ ଓଡିଆ ସମୁଦାୟଙ୍କୁ ଓଡ଼ିଶା ସହ ଯୋଡ଼ି ରଖିବାରେ ସହାୟକ ହେବ : ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଏକ ଓମଫେଡ୍ କାଫେ ଏବଂ କୋରାପୁଟ କଫି କାଫେର ଉଦ୍ଘାଟନ କରିଛନ୍ତି । ଏହି କାଫେ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ଗ୍ରାହକମାନଙ୍କୁ ମଧ୍ୟ ସେବା ଯୋଗାଇ ଦେବ ।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ବିନିମୟ କରି କହିଥିଲେ ଯେ, ଦିଲ୍ଲୀରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନେ ଏବେ OMFED ଦ୍ରବ୍ୟର ସ୍ୱାଦ ଉପଭୋଗ କରିପାରିବେ । ଏହାର ଅନୁପମ ସ୍ୱାଦ ଜନ୍ମମାଟି ସହ ଯୋଡ଼ି ହୋଇ ରହିବାରେ ସହାୟକ ହେବ ।
ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ ଯେ, OMFED କାଫେକୁ ଦିଲ୍ଲୀବାସୀ ଓ ଅନ୍ୟ ରାଜ୍ୟର ଅଧିବାସୀ ମଧ୍ୟ ଆଦର କରିବେ । ଏହା ସହ କୋରାପୁଟ କଫିର ଚାହିଦା ନିଶ୍ଚୟ ବୃଦ୍ଧି ପାଇବ ବୋଲି କହିଥିଲେ । ଓଡ଼ିଶା ନିବାସରେ ଏହି ପଦକ୍ଷେପ ପାଇଁ ରେସିଡେଣ୍ଟ କମିଶନର ଏବଂ ବିଭାଗୀୟ ଅଧିକାରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ପୁରୀ ଶ୍ରୀମନ୍ଦିରରେ OMFED ଘିଅ ବ୍ୟବହାର ହେବା ପରଠାରୁ ଏହାର ବିଶ୍ଵସନୀୟତା ବଢିଛି । OMFED ବ୍ରାଣ୍ଡ ତାହାର ଗୁଣବତ୍ତା, ପବିତ୍ରତା ଓ ସ୍ୱାଦ ପାଇଁ ବେଶ ପରିଚିତ । ବିଭିନ୍ନ ଓଡ଼ିଆ ସଂଗଠନ ପକ୍ଷରୁ ଦିଲ୍ଲୀ ଜଗନ୍ନାଥ ମନ୍ଦିରଗୁଡ଼ିକରେ OMFED ଘିଅର ଉପଲବ୍ଧତା ପାଇଁ ପୂର୍ବରୁ ଦାବି ହୋଇ ଆସୁଥିଲା । ଏବେ ଦିଲ୍ଲୀ ଜଗନ୍ନାଥ ମନ୍ଦିରଗୁଡ଼ିକରେ OMFED ଘିଅ ବ୍ୟବହାର କରିବାରେ କୌଣସି ସମସ୍ୟା ରହିବ ନାହିଁ ।
ସୂଚନାଯୋଗ୍ୟ, ଲୋକଙ୍କ ସରକାର ରାଜ୍ୟର ଦୁଗ୍ଧ ଚାଷୀ ଏବଂ ଦୁଗ୍ଧ ଉତ୍ପାଦକମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ OMFED ରେ ସଂସ୍କାର ଆଣିଛି । ଦୁଗ୍ଧଚାଷୀମାନେ ଯୁକ୍ତିସଙ୍ଗତ ଦରରେ OMFEDକୁ ଦୁଗ୍ଧ ବିକ୍ରି କରନ୍ତି ଏବଂ OMFED ସେହି ଦୁଗ୍ଧର ଉଚ୍ଚ ଗୁଣବତ୍ତା ରକ୍ଷା କରି ଉପଭୋକ୍ତାଙ୍କ ପାଖରେ ଦ୍ରବ୍ୟ ପହଞ୍ଚାଇ ପାରୁଛି । ରାଜ୍ୟ ସରକାରଙ୍କ ଦୃଢ ପ୍ରତିବଦ୍ଧତା, ଦୁଗ୍ଧ ଉତ୍ପାଦକମାନଙ୍କର ସହଯୋଗ ଏବଂ OMFEDର ନିଷ୍ଠାପର ପ୍ରୟାସ ପାଇଁ ଏହା ସମ୍ଭବ ହୋଇପାରିଛି ।
ଏହି କାଫେରେ ପନିର, ବଟର, ଘିଅ, ରାବିଡି, ଲସି, ଫ୍ଲେଭର ମିଲ୍କ, ଗୁଣ୍ଡଦୁଗ୍ଧ, ସାଦା ଓ ମିଠା ଦହି, ପେଡା, ଗୋଲାପ ଜାମୁ, ହଳଦି, A2 ଦୁଗ୍ଧ ପରି ଓମଫେଡ ଉତ୍ପାଦ ଉପଲବ୍ଧ ହେବ । ଓମଫେଡର ୧୦ ପ୍ରକାରର ଆଇସକ୍ରିମ୍ ମଧ୍ୟ ଏଠାରେ ଉପଲବ୍ଧ ହେବ । ଓମଫେଡ ଗୁଣବତ୍ତା ରକ୍ଷା କରି ଜନସାଧାରଣଙ୍କ ପାଇଁ ଉତ୍ପାଦ ପ୍ରସ୍ତୁତ କରୁଛି । ତେଣୁ ଆଗାମୀ ଦିନରେ ଓମଫେଡ ଉତ୍ପାଦ ଅନ୍ୟ ରାଜ୍ୟରେ ମଧ୍ୟ ବିକ୍ରି ହେବାର ସୁଯୋଗ ସୃଷ୍ଟି କରାଯିବ । ଓମଫେଡ ଓଡ଼ିଶାର ଗୋପାଳକଙ୍କ ନିଜସ୍ଵ ସଂଗଠନ । ଓମଫେଡର ବୃଦ୍ଧିରେ ରାଜ୍ୟର ଗୋପାଳକ ମାନେ ଲାଭବାନ ହେବେ ।
ଗୋପାଳକଙ୍କ ଆୟକୁ ବହୁଗୁଣିତ କରିବା ଲକ୍ଷ୍ୟରେ ଆମ ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗୋପାଳନର ବିକାଶ ଦିଗରେ ଏପରି ଯୋଜନା ଆଗରୁ କେବେ ହୋଇନଥିଲା । ରାଜ୍ୟର ଗୋପାଳକମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ସଶକ୍ତ ହୋଇପାରୁଛନ୍ତି ।
ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ ବା ଓମଫେଡ୍ ଦୀର୍ଘ ୪୫ ବର୍ଷ ହେଲା ରାଜ୍ୟର ଲକ୍ଷ ଲକ୍ଷ ଗୋପାଳକଙ୍କୁ ନିରନ୍ତର ଭାବେ ପ୍ରୋତ୍ସାହିତ କରିଆସୁଛି । ଏହାସହିତ ରାଜ୍ୟର ଅଗଣିତ ଗ୍ରାହକଙ୍କୁ ଉତ୍ତମମାନର ଦୁଗ୍ଧ ସହ ଅନ୍ୟାନ୍ୟ ଦୁଗ୍ଧଜାତ ଉତ୍ପାଦ ଯୋଗାଇ ଆସୁଛି । ରାଜ୍ୟର ଆର୍ଥିକ ବିକାଶ କ୍ଷେତ୍ରରେ ଓମଫେଡର ପ୍ରମୁଖ ଭୂମିକା ରହିଛି । ଓମଫେଡର ଲକ୍ଷ ଲକ୍ଷ ଦୁଗ୍ଧ ଉତ୍ପାଦକ ଗୋପାଳନ କରି ଆର୍ଥିକ ରୂପେ ସ୍ୱାବଲମ୍ବୀ ଓ ସଶକ୍ତ ହୋଇପାରିଛନ୍ତି ।
ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ୍ କର୍ପୋରେସନ ଅଫ୍ ଓଡିଶା ଲିମିଟେଡ୍ ବା ଟିଡିକଲ୍ ପକ୍ଷରୁ ପ୍ରାକୃତିକ ଉପାୟରେ ଉତ୍ପାଦନ ହେଉଥିବା କୋରାପୁଟ ଜିଲ୍ଲାର କଫି ମଧ୍ୟ ଏବେଠାରୁ ଏଠାରେ ମିଳିବ । କୋରାପୁଟ ଅଂଚଳରେ ହେଉଥିବା ଖାସ୍ କରି ଆଦିବାସୀ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ଏହି କଫି ଉଚ୍ଚ ଗୁଣମାନର ଏବଂ ସ୍ୱାଦିଷ୍ଠ । ଏହି କଫି ଆଜି କେବଳ ଓଡିଶାରେ ନୁହେଁ, ସମଗ୍ର ଦେଶ ଏପରିକି ବିଦେଶରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସେହି କଫି ଏବେ ଦିଲ୍ଲୀରେ ଉପଲବ୍ଧ ହେବ । ଏହା ଦିଲୀରେ ରହୁଥିବା ଓଡିଆ ଲୋକ ଏବଂ ଅନ୍ୟ ରାଜ୍ୟର ଲୋକଙ୍କ ଦ୍ୱାରା ଆଦୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଥିଲେ । କୋରାପୁଟ କଫି ବର୍ତ୍ତମାନ ତିନୋଟି ବ୍ରାଣ୍ଡ୍ରେ ଉପଲବ୍ଧ ହେଉଛି। ଏଗୁଡିକ ହେଉଛି- କୋରାପୁଟ ଇନ୍ଷ୍ଟାଣ୍ଟ୍ କଫି, ଟାଇଗର୍ ବ୍ରାଇଟ୍ ଓ ଏଥ୍ନିକ୍। ଏ ତିନୋଟି ଯାକ ଉତ୍ପାଦର ସ୍ୱାଦ ଓ ସୁଗନ୍ଧ ସ୍ୱତନ୍ତ୍ର। ଏହି ତିନୋଟି ଯାକ ଉତ୍ପାଦ ଗୁଣବତ୍ତାରେ ଉତ୍କୃଷ୍ଟ। ଦିଲ୍ଲୀରେ ଏହି କାଫେ କୋରାପୁଟର ଅଧିବାସୀ ମାନଙ୍କର ଔଦ୍ୟୋଗିକତା, ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହା ଦ୍ୱାରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡିଶାରେ ପ୍ରସ୍ତୁତ କଫି ବ୍ରାଣ୍ଡ୍ର ପ୍ରସାର ହୋଇପାରିବ। ଏହାର ମାର୍କେଟିଙ୍ଗ୍ ପାଇଁ ରାଜ୍ୟ ଆଦିବାସୀ ବିକାଶ ସମବାୟ ନିଗମ (TDCCOL) ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ରେସିଡେଣ୍ଟ କମିସନର ବିଶାଲ ଗଗନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ବି. ପରମେଶ୍ଵରନ, ଟିଡିକଲ୍ ପରିଚାଳନା ନିର୍ଦ୍ଦେଶିକା ପୋମା ଟୁଡୁ, ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।